କେନ୍ଦୁଝର: ଆଜିଠାରୁ ମା’ ତାରିଣୀଙ୍କ ବିଶ୍ୱ ପ୍ରସିଦ୍ଧ ଚଇତି ପର୍ବ ଆରମ୍ଭ । କେନ୍ଦୁଝର ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କ ଏହା ୮୯ ତମ ବିଶ୍ୱ ପ୍ରସିଦ୍ଧ ଚଇତି ପର୍ବ । ଏଥିପାଇଁ ମନ୍ଦିରରେ ବିଭିନ୍ନ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚଳିତବର୍ଷ ଚଇତି ପର୍ବର ସୁପରିଚାଳନା ଲାଗି ଘନ ଘନ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏତଦ୍ବ୍ୟତୀତ ସପ୍ତାହବ୍ୟାପୀ ପ୍ରତିଦିନ ଦିନ ବେଳା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଧ୍ୟାତ୍ମିକ ନୃତ୍ୟ, ଲୋକନୃତ୍ୟ, ଛଉନୃତ୍ୟ, ପାଇକ ଆଖଡା, ଯୋଡିଶଙ୍ଖ, ରଣପାନୃତ୍ୟ, କଣ୍ଢେଇ ନାଚ, ମାଲଖମ୍ବ, ଘୋଡାନାଚ, ସମ୍ବଲପୁରୀ ନୃତ୍ୟ ଓ ଭଜନ ସମାରୋହ ଅନୁଷ୍ଠିତ ହେବ । ସେହିପରି ପବିତ୍ର ପଣା ସଂକ୍ରାନ୍ତି ଦିନ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀମାନଙ୍କ ଦ୍ବାରା ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଅଖଣ୍ଡ ଭଜନ ସମାରୋହ ଅନୁଷ୍ଠିତ ହେବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ଏନେଇ ଟ୍ରଷ୍ଟ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ସେପଟେ ଗତକାଲି ଜଣେ ଭକ୍ତ ମାଆଙ୍କୁ ୫୦ ଲକ୍ଷ ଟଙ୍କା ର ସୁନା ମୁକୁଟ ଅର୍ପଣ କରିଛନ୍ତି । ମାଆଙ୍କ ଆଖି ପତା, ନୋଥ, ଏବଂ ଟିକିଲି ମଧ୍ୟ ଅର୍ପଣ କରିଛନ୍ତି। ମୁକୁଟର ଓଜନ ୪୪୫ ଗ୍ରାମ ୪୭୦ ମିଲିଗ୍ରାମ ରହିଛି। ମୁକୁଟ ଅର୍ପଣ କରିଥିବା ଭକ୍ତ ଜଣକ ସୁନ୍ଦରଗଡ ଜିଲ୍ଲାର ବଜରଙ୍ଗ ଅଗ୍ରଓ୍ବାଲ୍ ବୋଲି ଜଣାପଡିଛି। ପୂର୍ବରୁ ମାଆଙ୍କ ନିକଟରେ ମାନସିକ ରଖିଥିଲେ ବଜରଙ୍ଗ । ଚଇତି ପର୍ବର ପ୍ରଥମ ଦିନରେ ମାଆ ତାରିଣୀଙ୍କୁ ଏହି ସ୍ଵର୍ଣ୍ଣ ମୁକୁଟ ପିନ୍ଧାଇବା ଲାଗି ଅନୁରୋଧ କରିଛନ୍ତି ଶ୍ରୀ ଅଗ୍ରଓ୍ବାଲ। ତେବେ ମା’ ତାରିଣୀ ଠାକୁରାଣୀଙ୍କ ଏହି ପ୍ରସିଦ୍ଧ ଚଇତି ପର୍ବରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସାମିଲ ହୋଇ ମା’ଙ୍କ ସାନିଧ୍ୟ ଲାଭ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ସୁଯୋଗ ନେବାକୁ ଟ୍ରଷ୍ଟ ପକ୍ଷରୁ ନିବେଦନ କରାଯାଇଛି ।
ଖବର ଅନୁଯାୟୀ, ୧୯୩୬ ମସିହା ଠାରୁ ମାଙ୍କର ଏହି ଚଇତି ପର୍ବ ମହା ଆଡ଼ମ୍ବରରେ ପାଳିତ ହୋଇଆସୁଛି । ଆଜି ଠାରୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମା ତାରିଣୀ । ଏହି ଅବସରରେ ଆଜି ରାତି ପ୍ରାୟ ସାଢେ଼ ଚାରିଟା ସମୟରୁ ସେବାୟତ ମାନେ ମାଙ୍କୁ ପ୍ରଥମେ ମାଜଣା, ମହାସ୍ନାନ, ବଡ଼ ସିଂହାର ବେଶ, ଷୋଡଶ ଉପଚାର ପୂଜା ସମେତ ଯଥା ରିତିକାନ୍ତିରେ ମାଙ୍କର ପୂଜାର୍ଚ୍ଚନା କରିସାରିବା ପରେ ସୁନାବେଶରେ ସଜ୍ଜିତ କରିଥିଲେ । ପରେ ଭକ୍ତଙ୍କ ପାଇଁ ମନ୍ଦିର ପହଡ଼ ଖୋଲିଥିଲା ।
Comments are closed.