Latest Odisha News

BREAKING NEWS

ଆଜି ଶ୍ରୀମନ୍ଦିରରେ ଚକବିଜେ ନୀତି, ଶିଘ୍ର ଆରୋଗ୍ୟ ଲାଭ କରିବେ ଶ୍ରୀଜଗନ୍ନାଥ

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ କରି ମହାପ୍ରଭୁ ଡ଼ାକିଆଣନ୍ତି ଅସୁସ୍ଥତାକୁ ଏବଂ ପୀଡ଼ିତ ହୁଅନ୍ତି ଭୀଷଣ ଜ୍ୱରରେ । ଏହି ଅଣବସର ସମୟରେ ଥାହି ଶ୍ରୀଜୀଉମାନଙ୍କର ହୋଇଥାଏ ଜ୍ୱର ଉପଚାର । ପୂର୍ବରୁ ପଞ୍ଚମୀ ତିଥିରେ ‘ଫୁଲୁରୀ ତେଲ’ ଦ୍ୱାରା ଠାକୁରମାନଙ୍କୁ ବୈଦ୍ୟ ସେବକ ଉପଚାର କରିଥିବା ବେଳେ ଏକାଦଶୀ ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ଲାଗି ହେବ ଦଶମୂଳ ମୋଦକ ।

ଆଜି ଶ୍ରୀମନ୍ଦିରର ରାଜବୈଦ୍ୟ ପ୍ରାକୃତିକ ଜଡ଼ିବୁଟିରେ ନିର୍ମିତ ଏହି ‘ଦଶମୂଳ ମୋଦକ’ ଶ୍ରୀଜୀଉମାନଙ୍କୁ ଲାଗି କରାଇବା ଦ୍ୱାରା ଠାକୁରମାନେ ଆରୋଗ୍ୟ ଲାଭ କରିଥାଆନ୍ତି । ଆଜି ଏହି ‘ଦଶମୂଳ ମୋଦକ’ ଶ୍ରୀମନ୍ଦିରରେ ପହଞ୍ଚିଲା ପରେ ଶନିବାର ଦିନ ମହାପ୍ରଭୁଙ୍କୁ ଲାଗିହେବ ।

‘ଦଶମୂଳ ମୋଦକ’ ସେବନରେ ମହାପ୍ରଭୁଙ୍କ ଆରୋଗ୍ୟ ଲାଭ
ଶ୍ରୀମନ୍ଦିରରେ ପ୍ରଚଳିତ ପାରମ୍ପରିକ ରୀତି ନୀତି ଅନୁଯାୟୀ, ରାଜବୈଦ୍ୟ ‘ଦଶମୂଳ ମୋଦକ’ ଆଣି ପହଞ୍ଚାଇବେ । ଏହି ‘ଦଶମୂଳ ମୋଦକ’ ୧୦ଟି ପ୍ରାକୃତିକ ଜଡ଼ିବୁଟିରେ ନିର୍ମିତ । ଏଥିରେ ରହିଛି – ବେଲ, ଗମ୍ଭୀରା, ପଣପଣା, ଅଗିବଥୁ, ପାଟଳୀ, ଶାଳପନ୍ନି, କୃଷ୍ଣପନ୍ନି, ନବାଙ୍କୁର, ଅଙ୍କରାନ୍ତି ଏବଂ ଗୋଖରା ମୂଳ ଓ ଛାଲି । ଏହିପରି ଫଳ, ମୂଳ ଓ ଛାଲିରୁ ଦଶମୂଳ ଔଷଧ ପ୍ରସ୍ତୁତ ହୋଇଥାଏ ।

ଏକାଦଶୀ ତିଥିରେ ପତି ମହାପାତ୍ର ସେବକ ଅତ୍ୟନ୍ତ ନିଷ୍ଠାର ସହିତ ଏହି ‘ଦଶମୂଳ ମୋଦକ’ ଔଷଧକୁ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ଶ୍ରୀସୁଦର୍ଶନଙ୍କୁ ସେବନ କରାଇଥାଆନ୍ତି ।

ଏହି ପାରମ୍ପରିକ ରୀତି ପରେ ଶ୍ରୀଜୀଉମାନେ ସମ୍ପୂର୍ଣ୍ଣ ଭାବେ ଆରୋଗ୍ୟ ଲାଭ କରିଥାଆନ୍ତି । ଠାକୁରମାନଙ୍କର ଉପଚାର କରୁଥିବା ଏହି ପତି ମହାପାତ୍ର ସେବକମାନେ ଦ୍ୱାଦଶୀ ତିଥିରେ ଶ୍ରୀଜୀଉଙ୍କ ଏହି ଆରୋଗ୍ୟ ହେବା ଖବରକୁ ପ୍ରଥମେ ଗଜପତି ମହାରାଜାଙ୍କୁ ଜଣାଇଥଆନ୍ତି ।

ରଥଯାତ୍ରା ଉତ୍ସବରେ ଅନେକ ପର୍ବ କ୍ରମାନ୍ୱୟରେ ଅନୁଷ୍ଠିତ ହୋଇଥାଏ । ଦେବସ୍ନାନ ପୂର୍ଣ୍ଣିମାରେ ଚତୁର୍ଦ୍ଧା ମୂରତୀ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଥାଆନ୍ତି । ସ୍ନାନମଣ୍ଡପରେ ଗଜପତି ମହାରାଜା ଛେରା ପହଁରା କରିବା ପରେ ଠାକୁରମାନଙ୍କୁ ଭୋଗ ଲାଗି କରାଯାଇଥାଏ । ପରେ ଠାକୁରମାନଙ୍କର ହାତୀ ବେଶ ବା ଗଜାନନ ବେଶ ଅନୁଷ୍ଠିତ ହୋଇଥାଏ ।

ଅଣସରଘରେ ଠାକୁରମାନେ ଜ୍ୱରରେ ପୀଡ଼ିତ ହୋଇ ବିଶ୍ରାମ ନିଅନ୍ତି । ଏହି ସମୟରେ ଶ୍ରୀମନ୍ଦିର ବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ପ୍ରାକୃତିକ ଔଷଧ ଦ୍ୱାରା ଠାକୁରମାନଙ୍କ ଉପଚାର ହୋଇଥାଏ । ଏହି ସମୟରେ ଠାକୁରମାନଙ୍କୁ ଦଇତାପତି ସେବକମାନେ ଫଳ ଭୋଗ ସେବନ କରିବାକୁ ଦେଇଥାଆନ୍ତି ।

ଶ୍ରୀଜୀଉମାନେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିବା ପରେ ହିଁ ରତ୍ନ ସିଂହାସନରେ ବିଜେ କରିଥାଆନ୍ତି । ଏହାପରେ ଶ୍ରୀଜୀଉଙ୍କ ‘ନବଯୌବନ ଦର୍ଶନ’ ଅନୁଷ୍ଠିତ ହୋଇଥାଏ । ଆସନ୍ତା ଜୁଲାଇ ୨ ତାରିଖରେ ନବଯୌବନ ଦର୍ଶନ ଅନୁଷ୍ଠିତ ହେବାକୁ ଥିବା ବେଳେ ଜୁଲାଇ ୪ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ ।

Leave A Reply

Your email address will not be published.