ନୂଆଦିଲ୍ଲୀ:ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ପାଇଁ ଖୁବ ଶୀଘ୍ର ଭାରତ ଦଳ ଚୟନ ହେବ । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଯଶସ୍ୱୀ ଜୈସୱାଲ ସବୁଠାରୁ ଭଲ ପ୍ରଦର୍ଶନ କରି ଚୟନ କମିଟିଙ୍କ ବିଶ୍ୱାସ ଜିଣି ପାରିଛନ୍ତି । ଚାମ୍ପିୟନ୍ସ ଟ୍ରଫିରେ ତାଙ୍କୁ ସ୍ଥାନ ମିଳିବା ନେଇ ଆଲୋଚନା ଜୋର ଧରିଛି । ତେବେ ସେ କେଉଁ ଖେଳାଳିଙ୍କ ସ୍ଥାନରେ ଖେଳିବେ ତାହା ବର୍ତମାନ ଚିନ୍ତାର କାରଣ ହୋଇଛି । ଦିନିକିଆରେ ଶୁଭମନ ଗିଲ ଓ ରୋହିତ ଶର୍ମା ଓପିନଂ କରୁଛନ୍ତି । ଉଭୟ ଖେଳାଳି ଭଲ ଫର୍ମରେ ନାହାନ୍ତି । ଯଦି ରୋହିତଙ୍କୁ ଅଧିନାୟକ କରାଯାଏ ତେବେ ଗିଲଙ୍କ ସ୍ଥାନରେ ଯଶସ୍ୱୀଙ୍କୁ ସୁଯୋଗ ମିିଳିପାରେ ବୋଲି ଅନୁମାନ କରାଯାଉଛି ।
ବିସିସିଆଇ ଚାମ୍ପିୟନ୍ସ ଟ୍ରଫି ମାଧ୍ୟମରେ ରୋହିତ ଓ ବିରାଟ କୋହଲିଙ୍କୁ ଶେଷ ସୁଯୋଗ ଦେବାକୁ ଚାହୁଁଛି । ଏପରିକି ଚାମ୍ପିୟନ୍ସ ଟ୍ରଫି ପରେ ସେମାନଙ୍କୁ ଅବସର ନେବା ପାଇଁ ମଧ୍ୟ ଚାପ ପକାଯାଇପାରେ । ଯଶସ୍ୱୀଙ୍କ ପ୍ରତିଭାବାନ ଯୁବ ଖେଳାଳି ହୋଇଥିବାରୁ ସେ ଆଗାମୀ ଦିନରେ ଭାରତ ପାଇଁ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହୋଇପାରନ୍ତି । ଯଶସ୍ୱୀଙ୍କୁ ପ୍ରଥମେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ସୁଯୋଗ ପ୍ରଦାନ କରାଯିବ । ସେ ଯଦି ଭଲ ପ୍ରଦର୍ଶନ କରିବେ ତେବେ ଚାମ୍ପିୟନ୍ସ ଟ୍ରଫିରେ ଖେଳିବା ଏକପ୍ରକାର ନିଶ୍ଚିତ ମନେ କରାଯାଉଛି । ଅନ୍ୟ ଅର୍ଥରେ ଯେତେଦୂର ସମ୍ଭବ ଇଂଲଣ୍ଡ ବିପକ୍ଷରେ ଯଶସ୍ୱୀ ତାଙ୍କ ଦିନିକିଆ କ୍ୟାରିୟର ଆରମ୍ଭ କରିପାରନ୍ତି ।