ନୂଆଦିଲ୍ଲୀ: ୨୦୩୦ ଫିଫା ବିଶ୍ୱକପ ମରକ୍କୋ, ସ୍ପେନ ଓ ପର୍ତୁଗାଲ ମିଳିତ ଭାବେ ଆୟୋଜନ କରୁଛନ୍ତି । ଏହି ମେଗା କ୍ରୀଡା ଇଭେଂଟକୁ ସଫଳତାର ସହ ଆୟୋଜନ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଆରମ୍ଭ କରାଯାଇଛି । ତେବେ ମରକ୍କୋ ସରକାରର ଏକ ପଦକ୍ଷେପ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି । ରିପୋର୍ଟ ମୁତାବକ ମରକ୍କୋ ୩୦ ଲକ୍ଷ ବୁଲା କୁକୁରଙ୍କୁ ମାରିବା ପାଇଁ ଯୋଜନା କରୁଛି । ଯାହାକୁ ସହଜରେ କ୍ରୀଡାପ୍ରେମୀ ଓ ପଶୁପ୍ରେମୀ ଗ୍ରହଣ କରିପାରୁ ନାହାନ୍ତି । ଏଥିନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଆନିମଲ୍ସ ରାଇଟ୍ସ ଆକ୍ଟିଭିଷ୍ଟ ଏବେଠାରୁ ବିରୋଧ କରିବା ଆରମ୍ଭ କରିଛି ।
ସହରକୁ ପରିଷ୍କାର କରିବା ମାନେ ନୁହେଁ ଯେ, ନିରୀହ ପ୍ରାଣୀଙ୍କୁ ବିନା କାରଣରେ ହତ୍ୟା କରିବା ବୋଲି ପଶୁପ୍ରେମୀମାନେ ଫିଫାର ସେକ୍ରେଟାରୀ ମ୍ୟାଟିୟସ ଗ୍ରାଫକୁ ପତ୍ର ଲେଖି ଜଣାଇଛନ୍ତି । ଫୁଟବଲପ୍ରେମୀମାନଙ୍କୁ ମଧ୍ୟ ଏ ନେଇ ବିରୋଧ କରିବା ପାଇଁ ଅନୁରୋଧ କରାଯାଇଛି । ମରକ୍କୋ ସରକାର ଏବେ ବି ଲୁଚେଇ ଛପେଇ କୁକୁର ମାରିବା ଆରମ୍ଭ କରିଛି । ଅନ୍ୟ ଆୟୋଜକ ଦେଶମାନେ ଏ ଭଳି ପଦକ୍ଷେପ ଗ୍ରହଣ କରୁ ନ ଥିବା ବେଳେ ମରକ୍କୋ କାହିଁକି କରୁଛି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ କରାଯାଇଛି । କେତେକ ଫୁଟବଲ ଷ୍ଟାର ମଧ୍ୟ ଏହି ଘଟଣାକୁ ବିରୋଧ କରିଛନ୍ତି ।