Latest Odisha News

BREAKING NEWS

୧୨ ବର୍ଷ ହେଲା ରନ ପିଛା କରିବାରେ ଟିମ ଇଣ୍ଡିଆର ରେକର୍ଡ ଖରାପ

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟରେ ରନ ପିଛା କରି ଜିତିବା ଏବେ ଟିମ ଇଣ୍ଡିଆ ପାଇଁ ବଡ ସମସ୍ୟା ଭାବେ ଉଭା ହୋଇଛି । ସଚିନ ତେନ୍ଦୁଲକର ଅବସର ନେବା ପରେ ଭାରତ ୨୬ ଟେଷ୍ଟରେ ରନ ଚେଜ କରି ମାତ୍ର ୨ଟିରେ ବିଜୟ ହାସଲ କରିବାକୁ ସକ୍ଷମ ହୋଇଛି । ନିଶ୍ଚିତ ଭାବେ ଏହି ରେକର୍ଡ ଗ୍ରହଣୀୟ ନୁହେଁ । ଟିମ ଇଣ୍ଡିଆର ରଣନୀତି, ଆତ୍ମବିଶ୍ୱାସ ଓ ବ୍ୟାଟିଂ ଅର୍ଡର ଉପରେ ଏହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପରିକି ୧୫୦ରୁ ଊର୍ଦ୍ଧ୍ୱ ରନ ଚେଜ କରିବାରେ ମଧ୍ୟ ଦଳ ବିଫଳ ହେଉଛି । ୨୦୧୩ ପରଠାରୁ ଟିମ ଇଣ୍ଡିଆ ୨୬ ଥର ୧୫୦ରୁ ଊର୍ଦ୍ଧ୍ୱ ରନ ଚେଜ କରି ୨ ଥର ବିଜୟୀ ହୋଇଛି । ୧୭ ଥର ପରାଜିତ ହୋଇଥିବା ବେଳେ ୭ଟି ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ୨୦୨୧ରେ ବ୍ରିସବେନରେ ଏବଂ ଗତ ବର୍ଷ ରାଂଚୀରେ ଭାରତ ବିଜୟ ହାସଲ କରିଥିଲା ।

ଲର୍ଡସରେ ଭାରତ ୧୯୩ ରନର ପିଛା କରି ୧୭୦ ରନରେ ଅଲଆଉଟ ହୋଇ ଯାଇଥିଲା । କେଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ଭଲ ନ ଥିଲା । ଆଗକୁ ଭାରତକୁ ତାର ରଣନୀତିରେ ପରିବର୍ତନ କରିବାକୁ ହେବ । ଟେଷ୍ଟ କ୍ରିକେଟରେ ସ୍ଥିତି ସୁଧାରିବା ପାଇଁ ପର୍ଯ୍ୟାପ୍ତ ସମୟ ରହିଥାଏ । ବୋଲରଙ୍କ ଉଚିତ ମୁକାବିଲା ଟେଷ୍ଟ କ୍ରିକେଟର ମୂଖ୍ୟ ରଣନୀତି । ଏଥିପାଇଁ ଧୈର୍ଯ୍ୟ ଏବଂ ଆତ୍ମବିଶ୍ୱାସର ଆବଶ୍ୟକତା ରହିଛି । ଯାହାକି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ନିକଟରେ ଦେଖିବାକୁ ମିଳୁ ନାହିଁ । ସିରିଜରେ ଅଗ୍ରଣୀ ରହିବା ପାଇଁ ଭାରତ ଏକ ସୁବର୍ଣ୍ଣ ସୁଯୋଗ ହାତଛଡା କରିଛି । ଆଗକୁ ଇଂଲଣ୍ଡର ମନୋବଳ ନିଶ୍ଚିତ ଭାବେ ବୃଦ୍ଧି ପାଇବ ।

Comments are closed.