Latest Odisha News

ଚାଷୀଙ୍କୁ ଗରମ, କଂପାନୀଙ୍କୁ ନରମ

ଚାଷୀଙ୍କୁ ଗରମ, କଂପାନୀଙ୍କୁ ନରମ

ବିଚିତ୍ର ବିଶ୍ୱାଳ

ଗତ କିଛି ଦିନ ତଳେ ଅର୍ଥନୈତିକ ମାନ୍ଦାବସ୍ଥା ଉପରେ ଫେସବୁକରେ ଗୋଟେ ପୋଷ୍ଟ ବହୁତ ଲୋକଙ୍କର ପସନ୍ଦ ଆସିଥିଲା । କିଏ ଜଣେ ଫେସବୁକରେ ଲେଖିଥିଲେ ଯେ ଚାଷରେ ମାନ୍ଦାବସ୍ଥା ବେଳେ ଚାଷୀ ଯେମିତି ତା ତିରିଶ ଟଙ୍କା କିଲୋ ପିଆଜକୁ ମାତ୍ର ପାଂଚ ଟଙ୍କାରେ ବିକିବାକୁ ବାଧ୍ୟ ହୋଇଥାଏ, ସେମିତି ବଜାରରେ ମାନ୍ଦାବସ୍ଥା ବେଳେ ଅଟୋମୋବାଇଲ୍ କଂପାନୀମାନେ ତାଙ୍କ ପନ୍ଦର ଲକ୍ଷ ଟଙ୍କା ଗାଡ଼ିକୁ ଦୁଇ ଲକ୍ଷ ତିନି ଲକ୍ଷ ଟଙ୍କାରେ ବିକ୍ରି କରିବେ କି? ଯଦିଓ ଏହି କଥାଟି ମଜାଳିଆ ଢ଼ଙ୍ଗରେ କୁହାଯାଇଛି, କିନ୍ତୁ ଏହାର ଗମ୍ଭୀରତା ପକ୍ଷକୁ ବି ଏଡ଼ାଇ ଦେଇହେବ ନାହିଁ । ଏହା ସତ୍ୟ ଯେ ବର୍ଷବର୍ଷ ଧରି ଆମ ଦେଶର ଚାଷୀମାନେ ତାଙ୍କ ଉତ୍ପାଦିତ ଦ୍ରବ୍ୟର ନ୍ୟାୟପୂର୍ଣ୍ଣ ମୂଲ୍ୟ ପାଉନାହାନ୍ତି । ଚାଷରେ ଯେତିକି ସେମାନେ ଖର୍ଚ୍ଚ କରୁଛନ୍ତି, ଉତ୍ପାଦିତ ଦ୍ରବ୍ୟକୁ ବିକିଲେ ସେମାନଙ୍କ ଖର୍ଚ୍ଚ ବି ଉଠୁନାହିଁ । ସରକାର ଘୋଷଣା କରୁଥିବା ସର୍ବନିମ୍ନ ସହାୟକ ମୂଲ୍ୟ ବି ଚାଷୀମାନଙ୍କ ପ୍ରତି ଉପହାସ ଭଳି । ଫଳରେ ବର୍ଷ ବର୍ଷ ଧରି ଚାଷୀମାନେ କ୍ଷତି ସହି ସହି ତାଙ୍କ ମେରୁଦଣ୍ଡ ଭାଙ୍ଗିଗଲାଣି ।

ଚାଷୀମାନେ ଯେତେବେଳେ ତାଙ୍କ ଉତ୍ପାଦିତ ଦ୍ରବ୍ୟକୁ ଅତ୍ୟନ୍ତ କମ୍ ମୂଲ୍ୟରେ ବିକ୍ରି କରୁଛନ୍ତି, ସେତେବେଳେ ଏହାର ନକରାତ୍ମକ ପ୍ରଭାବ କ’ଣ ଅର୍ଥନୀତି ଉପରେ ପଡ଼ୁନାହିଁ କି? ଚାଷୀମାନେ ଉପଯୁକ୍ତ ମୂଲ୍ୟ ପାଉନଥିବାରୁ ସେମାନଙ୍କ କ୍ରୟଶକ୍ତି ହ୍ରାସ ପାଉଛି । ଦେଶର ଗୋଟେ ବଡ଼ ଭାଗ ଜନସଂଖ୍ୟାର କ୍ରୟଶକ୍ତି ହ୍ରାସ ପାଇଲେ ଏହାର ପ୍ରଭାବ ଅର୍ଥନୀତି ଉପରେ ନିଶ୍ଚୟ ପଡ଼ିବ । କିନ୍ତୁ ସେତେବେଳେ ସରକାର ଚାଷୀମାନଙ୍କ ପାଇଁ ଅଧିକ କିଛି କରୁଥିବାର କୌଣସି ବି ନଜିର୍ ନାହିଁ । ଦେବାଳିଆ ହୋଇଗଲେ, ଅଧିକ ଋଣଭାରରେ ବୁଡ଼ିଗଲେ ବା କଂପାନୀ ମାନଙ୍କ ବିକ୍ରିବଟାରେ ମାନ୍ଦା ଅବସ୍ଥା ଆସିଲେ, ସରକାର ଯେମିତି ବ୍ୟାଙ୍କ୍ ଓ ବଡ଼ ବଡ଼ କଂପାନୀମାନଙ୍କୁ ଟପ୍-ଅପ୍ ତଥା ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ଦେଉଛନ୍ତି, ଚାଷୀ ମାନଙ୍କ କ୍ଷେତ୍ରରେ ସେମିତି କିଛି କରିବାର ସରକାରଙ୍କ ତରଫରୁ ଦେଖାଯାଇନାହିଁ । ଏଥିରୁ ସରକାରଙ୍କର ଚାଷୀ ମାନଙ୍କ ପ୍ରତି ଥିବା ଗରମ ମନୋଭାବ ଓ କଂପାନୀ ମାନଙ୍କ ପ୍ରତି ଥିବା ନରମ ମନୋଭାବର ସ୍ପଷ୍ଟ ପରିଚୟ ମିଳୁଛି ।

ଅର୍ଥନୈତିକ ମାନ୍ଦାବସ୍ଥା ପରିସ୍ଥିତି ଯୋଗୁ ଗତ କିଛି ଦିନ ହେବ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସବୁଠାରୁ ଅଧିକ ସମାଲୋଚନା କରାଯାଉଥିଲା । କିନ୍ତୁ ଗତ ଦୁଇ ତିନି ଦିନ ହେବ ହଠାତ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସବୁଠାରୁ ଅଧିକ ସାହସୀ ଓ ଆଇରନ୍ ଲେଡ଼ି ଭାବେ ଉପସ୍ଥାପନ କରାଯାଉଛି । ଏଇ ଦୁଇ ତିନି ଦିନ ଭିତରେ କ’ଣ ଏମିତି ହଠାତ୍ ବଦଳିଗଲା ଯେ, ସବୁଠାରୁ ଦୁର୍ବଳ ଭାବେ ଗଣନା କରାଯାଉଥିବା ବ୍ୟକ୍ତିଙ୍କୁ ସବୁଠାରୁ ସାହସୀ ବ୍ୟକ୍ତି ଭାବେ ପ୍ରଚାର କରାଯାଉଛି! କାରଣ ଗତ ସେପ୍ଟେମ୍ବର କୋଡ଼ିଏ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କଂପାନୀ ମାନଙ୍କ ଉପରେ ବସୁଥିବା କର୍ପୋରେଟ୍ ଟ୍ୟାକ୍ସକୁ ୩୦%ରୁ କମ୍ କରି ୨୨% କରିଦେଇଛନ୍ତି ଓ ନୂଆ ଉତ୍ପାଦନଭିତ୍ତିକ କଂପାନୀ ମାନଙ୍କ ପାଇଁ ଟ୍ୟାକ୍ସକୁ ୨୫%ରୁ କମ୍ କରି ୧୫% କରିଦିଆଯାଇଛି । ସିଧା କଥାରେ କହିଲେ ଅର୍ଥମନ୍ତ୍ରୀ କଂପାନୀ ମାନଙ୍କ ପାଇଁ ପ୍ରାୟ ୮%ରୁ ୧୦% ଟ୍ୟାକ୍ସ ରିହାତି ଘୋଷଣା କରଛନ୍ତି । ସୀତାରମଣଙ୍କ ଏହି ପଦକ୍ଷେପ ପାଇଁ ତାଙ୍କୁ ଭୂରି ଭୂରି ପ୍ରଶଂସା କରାଯାଉଛି । ସେ ଗୋଟିଏ ସାହସିକ ପଦକ୍ଷେପ ନେଇଛନ୍ତି ବୋଲି ପ୍ରଚାର କୁହାଯାଉଛି ।

କର୍ପୋରେଟ୍ କଥାରେ ନାଚୁଥିବା ମେଡ଼ିଆ ହାଉସ୍ ଓ ଅର୍ଥନୀତି ବିଶାରଦ ମାନେ ନିର୍ମଳା ସୀତାରମଣଙ୍କ ପ୍ରଶଂସାରୁ ବିରତ ହେଉନାହାନ୍ତି ଓ ଏହା ଦ୍ୱାରା ଆମ ଅର୍ଥନୀତିରେ ତୀବ୍ରତା ଆସିବ ବୋଲି କୁହାଯାଉଛି । କିନ୍ତୁ ଗୋଟିଏ କଥା ବୁଝିହେଉନାହିଁ ଯେ, ଯେତେବେଳେ କୁହାଯାଉଛି ଯେ, ଘରୋଇ ଚାହିଦା କମ୍ ହେଉଥିବାରୁ ଅର୍ଥାତ୍ ଲୋକମାନଙ୍କର କ୍ରୟଶକ୍ତି ହ୍ରାସ ପାଇଥିବାରୁ ଅର୍ଥନୀତିରେ ମାନ୍ଦାବସ୍ଥା ଆସିଛି, ସେତେବେଳେ କର୍ପୋରେଟ୍ ଟ୍ୟାକ୍ସ କମ୍ କରିଦେଲେ ଘରୋଇ ଚାହିଦା କିପରି ବଢ଼ିବ ଓ ଏହା କିପରି ଭାବେ ଅର୍ଥନୀତିରେ ଉନ୍ନତି ଆଣିବ! ଅବଶ୍ୟ ବଡ଼ ଲୋକଙ୍କୁ ଉତର ଦେବ କିଏ! ଆମ ଦେଶର ନୀତି ଓ ଆଇନ୍ କାନୁନ୍ ମୂଖ୍ୟତଃ କର୍ପୋରେଟଙ୍କ ସ୍ୱାର୍ଥ ଉଦ୍ଦେଶ୍ୟରେ ହିଁ ପରିଚାଳିତ ହେଉଛି ବୋଲି ଆଉ ବୁଝିବାରେ ବାକି ନାହିଁ । ତେଣୁ ସୀତାରମଣଙ୍କ ଏହି ପଦକ୍ଷେପରେ ବେଶୀ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ । କାରଣ ଦୀର୍ଘ ଦିନ ହେବ ସରକାରଙ୍କ ମୂଖ୍ୟ ନୀତି ରହିଆସିଛି ଚାଷୀମାନଙ୍କ ପ୍ରତି ଗରମ ଓ କର୍ପୋରେଟଙ୍କ ପ୍ରତି ନରମ ।

ତଥ୍ୟ ଅନୁସାରେ ଚାଷୀ ମାନଙ୍କୁ ସେମାନଙ୍କ ଉତ୍ପାଦନର ଉଚିତ୍ ମୂଲ୍ୟ ମିଳୁନଥିବା ଯୋଗୁ ୨୦୦୭ରୁ ୨୦୧୭ ମଧ୍ୟରେ ଆମ ଦେଶର ଚାଷୀମାନେ ପ୍ରାୟ ୪୫ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି । ଠିକ୍ ଏହି ସମୟରେ କର୍ପୋରେଟମାନଙ୍କୁ ବିଭିନ୍ନ ପ୍ରକାର ଟ୍ୟାକ୍ସ ରିହାତି ମାଧ୍ୟରେ ବର୍ଷକୁ ପ୍ରାୟ ୧.୪୫ ଲକ୍ଷ କୋଟି ଟଙ୍କା ରିହାତି ପ୍ରଦାନ କରାଯାଉଛି । ଏବେ ପୁଣି କର୍ପୋରେଟ୍ ଟ୍ୟାକ୍ସକୁ କମ୍ କରାଯାଇଛି । ତା’ମାନେ ସରକାର ଚାଷୀ ପ୍ରତି ଦିନକୁ ଦିନ ଗରମ ଆଭିମୂଖ୍ୟ ପୋଷଣ କରୁଥିବା ବେଳେ, କର୍ପୋରେଟଙ୍କ ପ୍ରତି ତୁଳାଠାରୁ ବି ଆହୁରି ନରମ ଆଭିମୂଖ୍ୟ ପୋଷଣ କରୁଛନ୍ତି । ଏହା ଆମ ଦେଶର ଅର୍ଥନୀତିକୁ ଆହୁରି ଅଧିକରୁ ଅଧିକ ମାନ୍ଦାବସ୍ଥା ଆଡ଼କୁ ଟାଣିନେବ ।
…………………..
ଭିରଙ୍ଗ, ତିରଣ, ଜଗତସିଂହପୁର-୭୫୪୧୩୮
ମୋ- ୯୪୩୮୪୬୮୪୭୪

Leave A Reply

Your email address will not be published.