Latest Odisha News

BREAKING NEWS

ଛତିଶା ନିଯୋଗ ବୈଠକ: କାର୍ତ୍ତିକ ନୀତି ଚୂଡ଼ାନ୍ତ, ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ଉପରେ ଗୁରୁତ୍ୱ

ପୁରୀ: ଆଜି ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧକ୍ଷତାରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କାର୍ତ୍ତିକ ମାସ ନୀତି ଚୂଡ଼ାନ୍ତ ହୋଇଛି। ହବିଷ୍ୟାଳୀଙ୍କ ଦର୍ଶନ ଉପରେ ଅଧିକ ଗୁରୁତ୍ଵ ଦିଆଯାଇଛି। ଏହାସହ ବୈଠକରେ ମନ୍ଦିରରେ ପ୍ରବେଶ ନେଇ ଶାଳୀନତା ପୂର୍ବକ ପୋଷାକ ପରିଧାନ ଉପରେ ମଧ୍ୟ ବେଶ ଗୁରୁତ୍ବ ଦିଆଯାଇଛି।

ସେହିପରି, ଶୃଙ୍ଖଳିତ ନୀତି, ବାଳଭୋଗ, କିଭଳି ଠିକ୍ ସମୟରେ ମହାପ୍ରସାଦ ବାହାରିବ, ପଞ୍ଚୁକରେ ପ୍ରଭୁଙ୍କ ୫ଟି ବେଶ ଉପରେ ଭିଡ ନିୟନ୍ତ୍ରଣ ଉପରେ ଆଲୋଚନା ହୋଇଛି । ଯେଭଳି କୌଣସି ସ୍ଥାନରେ ଶ୍ରଦ୍ଧାଳୁ ଠିଆହୋଇ ରହିବେ ନାହିଁ  ସେ ଉପରେ ଗୁରୁତ୍ବ ଦିଆଯିବା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି।

ତେବେ ୨୮ ତାରିଖରେ ହେବାକୁ ଥିବା ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ପାଇଁ ସ୍ବତନ୍ତ୍ର ନୀତିନିର୍ଘଣ୍ଟ ହୋଇଛି। ୨୮ ତାରିଖ ରାତି ୨ଟାରୁ ଦ୍ୱାରଫିଟା ଯାଇ ଭୋର ୪ଟା ୩୦ ରୁ ୫ଟା ୩୦ ମଧ୍ୟରେ ରାଧା ଦାମୋଦର ବେଶ, ସକାଳ ୮ ଟାରୁ ୮ଟା ୩୦ ମଧ୍ୟରେ ବାଳଭୋଗ ଓ ଅପରାହ୍ନ ୨ଟାରେ ଗ୍ରହଣ ମହାସ୍ନାନ ଶେଷ ହେବ। ସେହିଦିନ ୪ଟା ୪ ମିନିଟ ୫୫ ସେକେଣ୍ଡରୁ ପାକ ତ୍ୟାଗ ଓ ଦେବ ନୀତି ନିଷିଦ୍ଧ ହେବ। ଆସନ୍ତା ୨୫ ତାରିଖରୁ ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ରାତି ୪ଟାରେ ଦ୍ଵାର ଫିଟା, ସକାଳ ୬ଟା ୩୦ ରୁ ୭ଟା ୩୦ ମଧ୍ୟରେ ରାଧା ଦାମୋଦର ବେଶ, ସକାଳ ୧୦ଟା ରୁ ୧୦ଟା ୩୦ ମଧ୍ୟରେ ବାଳ ଧୂପ ଶେଷ ହେବ।

ତେବେ ଏହି ମାସରେ କେବଳ ହବିଷ୍ୟାଳୀ ନୁହେଁ ଭକ୍ତଙ୍କ ଅସମ୍ଭବ ଭିଡ଼କୁ ଦୃଷ୍ଟିରେ ରଖି ରୋଷଘରକୁ ଦର୍ଶନ ପାଇଁ କୌଣସି ଭକ୍ତଙ୍କୁ ଛଡା ଯିବ ନାହିଁ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ସେହିପରି କୌଣସି ଭକ୍ତ ଗୋଟିଏ ସ୍ଥାନରେ ଛିଡା ହୋଇ ରହିବେ ନାହିଁ । ହବିଷ୍ୟାଳୀଙ୍କ ସହ ବୃଦ୍ଧ ବୃଦ୍ଧାଙ୍କ ଦର୍ଶନ ଉପରେ ଗୁରୁତ୍ବ ଦେଇ ସ୍ବତନ୍ତ୍ର ଯୋଜନା କରାଯାଉଛି। ଏହାସହ ମନ୍ଦିରରେ ଶାଳୀନତା ପୂର୍ବକ ପୋଷାକ ପରିଧାନ ଉପରେ ସବୁ ନିଯୋଗ ସହାୟତା କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ବୈଠକରେ ଛତିଶା ନିଯୋଗର ସଦସ୍ୟ ଉପସ୍ଥିତ ଥିଲେ। ପୂର୍ବରୁ ନୀତି ସବ କମିଟି ବୈଠକରେ ଚୂଡାନ୍ତ କାର୍ତ୍ତିକ ମାସ ନୀତିକାନ୍ତି ଉପରେ ଛତିଶା ନିଯୋଗ ମୋହର ମାରିଛି ।

Leave A Reply

Your email address will not be published.