ରାୟପୁର: ତନ୍ତ୍ରମନ୍ତ୍ର ଯୋଗୁଁ ଦେଶରେ ଅନେକ ଜୀବନ ଯାଉଛି। ନିକଟରେ ଆଉ ଏକ ଖବର ସାମ୍ନାକୁ ଆସିଛି ଯେଉଁଠି ତନ୍ତ୍ରମନ୍ତ୍ର ଯୋଗୁଁ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି।
ସୂଚନା ଅନୁଯାୟୀ, ଛତିଶଗଡରେ ଜଣେ ୩୫ ବର୍ଷ ବୟସ୍କ ବ୍ୟକ୍ତି ଜୀଅନ୍ତା କୁକୁଡା ଚିଆଁ ଗିଳି ଦେଇଛନ୍ତି। ଯେଉଁଥିପାଇଁ ତାଙ୍କର ଶ୍ୱାସନଳୀ ଏବଂ ଖାଦ୍ୟ ନଳୀ ଜାମ୍ ହୋଇଯାଇଥିଲା। ଏହି କାରଣରୁ ସେ ଶ୍ୱାସରୁଦ୍ଧ ହୋଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।
ପରିବାର ସଦସ୍ୟଙ୍କ ଅନୁଯାୟୀ ସେ ଗାଧୋଇ କି ଆସିବା ପରେ ହଠାତ୍ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ଏହା ପରେ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଶବ ବ୍ୟବଚ୍ଛେଦ ସମୟରେ ଡାକ୍ତରମାନେ ଉକ୍ତ ବ୍ୟକ୍ତିଙ୍କ ବେକରୁ ଗୋଟିଏ କୁକୁଡ଼ା ଚିଆଁ ବାହାର କରିଥିଲେ।
ତେବେ ଚିଆଁ ଗଳାରେ ଫସି ରହିଥିବାରୁ ଶ୍ୱାସନଳୀ ଏବଂ ଖାଦ୍ୟ ନଳୀ ଜାମ୍ ହୋଇଯାଇଥିଲା ବୋଲି ଡାକ୍ତର କହିଛନ୍ତି। ଯେଉଁଥିପାଇଁ ଶ୍ୱାସରୁଦ୍ଧ ହୋଇ ତାଙ୍କ ଜୀବନ ଯାଇଛି।
ତାଙ୍କ ମୃତ୍ୟୁକୁ ନେଇ ଗ୍ରାମବାସୀ ସନ୍ଦେହ କରୁଛନ୍ତି ଯେ ତାଙ୍କ ମୃତ୍ୟୁ ପଛରେ ତନ୍ତ୍ରମନ୍ତ୍ର ମାମଲା ଥାଇପାରେ। କିଛି ସ୍ଥାନୀୟ ବାସିନ୍ଦା ଏହା ମଧ୍ୟ କହିଛନ୍ତି ଯେ ଯାଦବଙ୍କର ସନ୍ତାନ ନ ଥିବାରୁ ଏକ ତାନ୍ତ୍ରିକଙ୍କ ସହ ଯୋଗାଯୋଗ କରିଥିଲେ। ସେ ପିଲା ଆଶାରେ କୁକୁଡ଼ାକୁ ଗିଳି ଦେଇଥିବେ। ତେବେ ସ୍ଥାନୀୟ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
Comments are closed.