Latest Odisha News

BREAKING NEWS

ଡିଜିପିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପରାମର୍ଶ, ଲୋକଙ୍କ ସହ ପୁଲିସ ଭଲ ବ୍ୟବହାର କରିବା ଉଚିତ

ଭୁବନେଶ୍ୱର: ଥାନାକୁ ଆସୁଥିବା ଲୋକଙ୍କୁ ଧୈର୍ଯ୍ୟର ସହ ଶୁଣ। ସେମାନଙ୍କ ସହ ଭଲ ବ୍ୟବହାର ଏବଂ ଉତ୍ତମ ସେବା ଯୋଗାଇ ଦିଅ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ପୁଲିସକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

ଡିଜିପି ଅରୁଣ ଷଡ଼ଙ୍ଗୀଙ୍କ ସମେତ ପୁଲିସ ମୁଖ୍ୟାଳୟ, କଟକ ଓ ଭୁବନେଶ୍ବରର ଅନ୍ୟ ଅଧିକାରୀମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ଯେ ନ୍ୟାୟ ପାଇଁ ଥାନାକୁ ଆସୁଥିବା ଲୋକଙ୍କୁ ଗୁଣାତ୍ମକ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଉ।

ଡିଜିପି ଅରୁଣ ଷଡ଼ଙ୍ଗୀ କହିଛନ୍ତି, ଏହା କେବଳ ମୁଖ୍ୟମନ୍ତ୍ରୀଙ୍କ ସହିତ ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା। ଆମେ ଅନେକ ବିଷୟରେ ଆଲୋଚନା କରିଛୁ । ବିଶେଷ କରି ଲୋକଙ୍କୁ କିଭଳି ଗୁଣାତ୍ମକ ସେବା ଯୋଗାଇପାରିବ । ସେଥିପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି। ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ଲୋକଙ୍କୁ ଧୈର୍ଯ୍ୟର ସହ ଶୁଣାଣି କରିବାକୁ କହିବା ସହ ଲୋକଙ୍କ ସହ ଭଲ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିବା ପାଇଁ ସମସ୍ତ ଥାନାକୁ ଅବଗତ କରାଯିବ।

ନୂଆ ଅପରାଧିକ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଆମର ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛୁ। ସେ ସେଗୁଡ଼ିକର ସମୀକ୍ଷା କରିବେ । ଏହାପରେ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

Leave A Reply

Your email address will not be published.