Latest Odisha News

BREAKING NEWS

ମହେଶ୍ୱରଙ୍କ ବିୟୋଗ ଓଡ଼ିଶା ପାଇଁ ବଡ କ୍ଷତି -ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀର ପୂର୍ବତନ ବିଧାୟକ ତଥା ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ଆଉ ନାହାନ୍ତି । ଭୋର ୩.୨୫ ମିନିଟରେ ତାଙ୍କର ପରଲୋକ ହୋଇ ଯାଇଛି  । ତାଙ୍କର ମୃତ୍ୟୁରେ ସାରା ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି । ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି ।

ମହେଶ୍ୱର ମହାନ୍ତିଙ୍କ ପରଲାେକର  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରି କହିଛନ୍ତି, ସେ ଜଣେ ଲୋକ ପ୍ରିୟ ଜନନେତା ଭାବରେ ସୁନାମ ଅର୍ଜନ କରିଥିଲେ। ଜଣେ ଦକ୍ଷ ସଂଗଠକ ଭାବରେ  ମଧ୍ୟ ତାଙ୍କର ସୁନାମ ଥିଲା। ମନ୍ତ୍ରୀ ତଥା ବିଧାୟକ ଭାବେ ରାଜ୍ୟର ବିକାଶରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ବିଶେଷକରି ପୁରୀ ଅଞ୍ଚଳର ବିକାଶରେ ତାଙ୍କର ଭୂମିକା ତାଙ୍କୁ ଅମର କରି ରଖିବ । ବାଚସ୍ପତି ଭାବରେ ଉଚ୍ଚ ଗଣତାନ୍ତ୍ରିକ, ସଂସଦୀୟ ପରମ୍ପରା ପ୍ରତିଷ୍ଠା ପାଇଁ ନିଜର ଅବଦାନ ରଖି ଯାଇଛନ୍ତି। ତାଙ୍କ ବିୟୋଗ ଓଡିଶା ପାଇଁ ଏକ ବଡ କ୍ଷତି ବୋଲି କହିଛନ୍ତିମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ।

ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମ ବେଦନା ପ୍ରକାଶ କରିଛନ୍ତି।

ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ସେ ତାଙ୍କ ଜୀବନ ସାରା ସଂଗ୍ରାମ କରିଆସିଛନ୍ତି। ବିକାଶ ହେଉଛି ମହେଶ୍ୱର ମହାନ୍ତିଙ୍କ ମୂଳ ଉଦ୍ଦେଶ୍ୟ। ଆଜି ମୋ ପାଇଁ ଗୋଟେ ଖରାପ ଦିନ ବୋଲି ଭରାଗଳାରେ କହିଥିଲେ ବାହିନୀପତି ।

ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି,  ଛାତ୍ର ଜୀବନରୁ ସେ ସଂଘର୍ଷ କରିଆସିଥିଲେ ।  ତାଙ୍କର ସମସ୍ତଙ୍କୁ ଆଦରି ନେବା ଗୁଣ ତାଙ୍କୁ ଆଜି ମହାନ କରିଛି ।

ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ କହିଛନ୍ତି,  ମହେଶ୍ୱର ମହାନ୍ତି  ପୁରୀର ୫ ଥରର ବିଧାୟକ । ତାଙ୍କ ବିୟୋଗରେ ପୁରୀ ଜିଲ୍ଲା ବିଜେଡି ମୁରବୀଶୂନ୍ୟ ହୋଇଛି ବୋଲି କହିଛନ୍ତି ।

ସେହିପରି ମହେଶ୍ୱରଙ୍କ ବିୟୋଗ ଓଡ଼ିଶା ରାଜନୀତିରେ ଅପୂରଣୀୟ କ୍ଷତି  ବୋଲି କହିଛନ୍ତି  ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ  ।

ଏହାବ୍ୟତୀତ ବହୁ ନେତା, ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ପୁରୀ ସହରର ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବିୟୋଗରେ ଶାେକବାର୍ତ୍ତା ପଠାଇଛନ୍ତି ।

Comments are closed.