Latest Odisha News

BREAKING NEWS

ମାଓ ଦମନ ରଣନୀତି ବୈଠକରେ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ : ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳ ପ୍ରସଙ୍ଗରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଗୁରୁତ୍ବପୂର୍ଣ୍ଣ ବୈଠକ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉଠାଇଛନ୍ତି । ଦିଲ୍ଲୀରେ ଆୟୋଜିତ ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ରାଜ୍ୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ କହିଛନ୍ତି ଯେ, ବାମପନ୍ଥୀ ଉଗ୍ରବାଦ ସମସ୍ୟାର ସମାଧାନ, ଆଭ୍ୟନ୍ତରୀଣ ସୁରକ୍ଷା ରଣନୀତି ସହ ମାଓ ଉପଦ୍ରୁତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଓଡିଶା ପ୍ରତିବଦ୍ଧ । ଏ ଦିଗରେ ଓଡ଼ିଶା ସରକାର କାମ କରି ଆସୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବୈଠକରେ ୫ଟି ପ୍ରମୁଖ ଦାବି ଓ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ବୈଠକରେ ମୁଖ୍ୟମନ୍ତ୍ରୀ ମୁଖ୍ୟତଃ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରେ ଗମନାଗମନ, ଯୋଗାଯୋଗ, ଶିକ୍ଷା ଓ ବ୍ୟାଙ୍କିଙ୍ଗ ସେବାକୁ ବ୍ୟାପକ କରିବା ଲାଗି ଦାବି କରିଛନ୍ତି । ଏହି ଦାବି ଗୁଡିକ ହେଲା – ଜୟପୁରରୁ ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥକୁ ୪ ଲେନ୍ ବିଶିଷ୍ଟ କରିବା । ଏହା ସମ୍ପ୍ରସାରଣ ହେଲେ ଛତିଶଗଡ, ଝାଡଖଣ୍ଡ ଓ ଓଡିଶାରୁ ବେଙ୍ଗାଳୁରୁ ଓ ହାଇଦ୍ରାବାଦକୁ ଗମନାଗମନ ଦୂରତା ଓ ସମୟ ହ୍ରାସ ପାଇବ । ଓଡ଼ିଶାର ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ଜିଲ୍ଲାରେ ରେଳ ନେଟଓ୍ବର୍କ ନାହିଁ । ମାଲକାନଗିରି- ଭଦ୍ରାଚଳମ ମଧ୍ୟରେ ୧୫୩ କିଲୋମିଟର ରେଳ ଲାଇନ ପ୍ରତିଷ୍ଠା କରିବାର ରହିଛି ଆବଶ୍ୟକତା । ନବରଙ୍ଗପୁର-ଜୁନାଗଡ ମଧ୍ୟରେ ୧୧୮ କିଲୋମିଟର ରେଳଲାଇନ ପାଇଁ ଦାବି । ରେଳ ଲାଇନ ବୃଦ୍ଧି ପାଇଲେ ସମ୍ପୃକ୍ତ ଅଞ୍ଚଳରେ ଅର୍ଥନୈତିକ ଅଭିବୃଦ୍ଧି ଘଟିବ ।

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ମୋବାଇଲ ନେଟଓ୍ବର୍କ ବୃଦ୍ଧି କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ୬ ହଜାର ୨୭୮ଟି ଗାଁରେ ମୋବାଇଲ ନେଟଓ୍ବର୍କ ନାହିଁ । କୌଣସି ରାଜ୍ୟରେ ଏତେ ସଂଖ୍ୟକ ଗାଁରେ ମୋବାଇଲ ନେଟଓ୍ବର୍କ ନ ରହିବା କ୍ଷେତ୍ରରେ ଏହା ସର୍ବାଧିକ । ଏହା ମଧ୍ୟରେ ଓଡିଶାକୁ କେନ୍ଦ୍ର ସରକାର ୪୮୮ଟି ମୋବାଇଲ ଟାଓ୍ବାର ଲାଗି ଅନୁମତି ପ୍ରଦାନ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଅନ୍ୟାନ୍ୟ ଗ୍ରାମାଞ୍ଚଳକୁ ମୋବାଇଲ ନେଟଓ୍ବର୍କ ସହ ଯୋଡିବା ଲାଗି ଆଉ ୨ହଜାର ମୋବାଇଲ ବେସ୍ ଷ୍ଟେସନର ଆବଶ୍ୟକତା ରହିଛି । ବ୍ୟାଙ୍କିଙ୍କ ସେବା ଲାଗି ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା ବ୍ୟାଙ୍କ ଗୁଡିକ ପାଇଁ ଇଣ୍ଟରନେଟ ହେଉଛି ପ୍ରାଥମିକ ଆବଶ୍ୟକତା । ସେହିପରି ଶିକ୍ଷା ଏବଂ ସରକାରୀ ଯୋଜନାର ସଫଳ ରୂପାୟନ କ୍ଷେତ୍ରରେ ମଧ୍ୟ ମୋବାଇଲ ଇଣ୍ଟରନେଟର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଏହି ଦୃଷ୍ଟିରୁ ସବୁଠାରେ 4G ନେଟଓ୍ବର୍କ ସମ୍ପନ୍ନ ବେସ୍ ଷ୍ଟେସନ ସ୍ଥାପନ ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । 2G ବେସ୍ ଷ୍ଟେସନକୁ 4G ବେସ୍ ଷ୍ଟେସନରେ ପରିଣତ କରିବା ଲାଗି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ବ୍ୟାପକ ବ୍ୟାଙ୍କ ସେବା ନାହିଁ । ତେଣୁ ରାଜ୍ୟ ସରକାର ବ୍ୟାଙ୍କ ପ୍ରତିଷ୍ଠା ପାଇଁ ବିନା ମୂଲ୍ୟରେ ଜମି ଯୋଗାଇ ଦେବାକୁ ପ୍ରସ୍ତୁତ ଅଛନ୍ତି । ମାଓ ଉପଦ୍ରୁତ ଅଞ୍ଚଳରେ ଥିବା ଛାତ୍ରଛାତ୍ରୀମାନେ ନିଟ୍, ଆଇଆଇଟି, ଜେଇଇ ଭଳି ସର୍ବଭାରତୀୟ ପରୀକ୍ଷାରେ କେତେ କୃତକାର୍ଯ୍ୟ ହେଉଛନ୍ତି ତାହାର ସର୍ବଭାରତୀୟ ସର୍ଭେ କରିବା ଲାଗି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.