Latest Odisha News

୯ ମାସ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସାରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ । ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରି ୯ ମାସ ମଧ୍ୟରେ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବା ସହ ମୁଖ୍ୟ ଶାସନ ସଚିହ ଇଞ୍ଜିନିୟରଙ୍କ ସହ ଆଲୋଚନା କରିଥିଲେ । ସମସ୍ତ ନିର୍ମାଣ ୯ ମାସ ମଧ୍ୟରେ ସାରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ମେଘନାଦ ପାଚେରି ଚାରିପଟେ ଐତିହ୍ୟ କରିଡର ଶୋଭାବର୍ଦ୍ଧନ କରୁଛି । ସୁରକ୍ଷା ବ୍ୟବସ୍ଥା ବଢ଼ିଥିବା ବେଳେ ଭକ୍ତଙ୍କୁ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି । ଐତିହ୍ୟ କରିଡର ଭକ୍ତ, ସେବାୟତଙ୍କ ସହ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ପର୍ବପର୍ବାଣୀର ସୁପରିଚାଳନାରେ ସହାୟକ ହେବ ବୋଲି ମତ ରଖିଛନ୍ତି ମୁଖ୍ୟ ଶାସନ ସଚିବ ।

ତଥ୍ୟ ଅନୁସାରେ, ପରିକ୍ରମା ପ୍ରକଳ୍ପ ମାର୍ଗରେ ମୋଟ ୫ଟି ଜୋନ୍ ରହିବ । କରିଡରକୁ ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ପଥର, କାଠ ଓ ଫୁଲରେ ସଜ୍ଜାଯିବ । ଭିତର ପ୍ରଦକ୍ଷିଣ ପଥ ବିଶେଷକରି ଶ୍ରୀଜୀଉଙ୍କ ଉତ୍ସବ ପାଇଁ ବ୍ୟବହୃତ ହେବ । ସେହିଭଳି ମନ୍ଦିର ପ୍ରଦକ୍ଷିଣ ପଥ ଭକ୍ତଙ୍କ ପାଇଁ ଉଦ୍ଦିଷ୍ଟ ରହିବ । ଭକ୍ତଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରାଯିବ । ସେଠାରେ ପାନୀୟ ଜଳ ସହ ସୂଚନା କେନ୍ଦ୍ର ରହିବ । ପୁରୁଷ ଓ ମହିଳା ଭକ୍ତଙ୍କ ପାଇଁ ଅଲଗା ଅଲଗା ଟଏଲେଟ୍ ରହିବ ।

ପ୍ରଥମ ପର୍ଯ୍ୟାୟରେ ପ୍ରକଳ୍ପ ପାଇଁ ୩୩୧.୨୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଯାହାର କାମ ଆଗେଇ ଚାଲିଛି । ଏଥିରେ ୩ ପାର୍ଶ୍ୱରେ ରାସ୍ତା, ୬ଟି ଟଏଲଟ୍, ୩ଟି ସେଲ୍ଟର, ମିନି କ୍ଲକ୍ ରୁମ୍ ଆଦି କାର୍ଯ୍ୟ ଆଗେଇ ଚାଲିଛି । ମୁଖ୍ୟ ଶାସନ ସଚିବଙ୍କ ଗସ୍ତ ବେଳେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଇଞ୍ଜିନିୟର ପ୍ରଭାତ ପାଣିଗ୍ରାହୀଙ୍କ ସହ ବରିଷ୍ଠ ଇଞ୍ଜିନିୟର ଉପସ୍ଥିତ ଥିଲେ ।

Leave A Reply

Your email address will not be published.