ଭୁବନେଶ୍ବର: ବଢ଼ିଲା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ । ୬ମାସ କାର୍ଯ୍ୟକାଳ ବୃଦ୍ଧି କଲେ ରାଜ୍ୟ ସରକାର । ୨୦୨୪ ଜୁନ ୩୦ ପର୍ଯ୍ୟନ୍ତ ଏହି ପଦରେ ରହିବେ ପ୍ରଦୀପ ଜେନା। ରାଜ୍ୟ ସରକାର ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି।
ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଡିସେମ୍ବର ୩୧ ତାରିଖରେ ଅବସର ନେବାର ଥିଲା । ତାଙ୍କ ସ୍ଥାନରେ କାହାକୁ ମିଳିବ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଦାୟିତ୍ବ, ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ଆଜି ସେ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି । ନୂଆବର୍ଷରେ ନୂଆ ମୁଖିଆ ଆସିବେ ନାହିଁ ବରଂ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ହିଁ ରହିବେ । ଆଗକୁ ସାଧାରଣ ନିର୍ବାଚନ ଆସୁଛି। ପରବର୍ତ୍ତୀ ମୂଖ୍ୟ ଚୟନ କରିବା ସରକାରଙ୍କ ପାଇଁ କାଠିକର ପାଠ ଥିଲା । କାହାକୁ ନୂଆ ମୁଖିଆ କରିବେ ତାକୁ ନେଇ ଆଲୋଚନା ଜୋର ଧରିଥିଲା।
୧୯୮୯ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ପ୍ରଦୀପ ଜେନା। ରାଜ୍ୟର ୪୫ତମ ମୁଖ୍ୟ ଶାସନ ସଚିବ ଭାବେ ମାର୍ଚ୍ଚ ୧ ତାରିଖରେ ଦାୟିତ୍ବ ଗ୍ରହଣ କରିଥିଲେ। ଜଣେ ଦକ୍ଷ ପ୍ରଶାସକ ଭାବେ ବେଶ୍ ଜଣାଶୁଣା। ୧୯୯୧ ମସିହାରେ ପ୍ରଥମେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ର ଉପଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ପରେ ସେଠାରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଓ ଜିଲ୍ଲାପାଳ ଭାବେ ଦାୟିତ୍ବ ତୁଲାଇଥିଲେ। ପରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ତାଙ୍କୁ ବଦଳି କରାଯାଇଥିଲା।ସେହିପରି କୋଭିଡ୍ ମହାମାରୀ ସମୟରେ ସାରା ରାଜ୍ୟ ସଂଗ୍ରାମ କରୁଥିବାବେଳେ ସ୍ବତନ୍ତ୍ର ରିଲିଫ୍ କମିସନର ପଦରେ ରହି ସେ ଗୁରୁଦାୟିତ୍ବ ତୁଲାଇଥିଲେ।
Comments are closed.