Latest Odisha News

BREAKING NEWS

ଝାରସୁଗୁଡ଼ାରେ ଡ଼ିସେମ୍ବର ଶେଷସୁଦ୍ଧା ୫୦ ପ୍ରତିଶତ ପରିବାରଙ୍କୁ ପାଇପ୍ ଜଳ ଯୋଗାଣ

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଦେଲେ ନିର୍ଦ୍ଦେଶ

ଝାରସୁଗୁଡ଼ା: ଆଜି ଝାରସୁଗୁଡ଼ା ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।  ଝାରସୁଗୁଡ଼ା ସହରର ବାଲିଯୁରି ସ୍ଥିତ ହାର୍ଟ ହସ୍ପିଟାଲକୁ ପରିଦର୍ଶନ କରିଥିଲେ । ପରେ ପରେ ଜିଲ୍ଲା ଖଣିଜ ପାଣ୍ଠି କକ୍ଷରେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡିକର କ୍ଷେତ୍ରସ୍ତରୀୟ କାର୍ଯ୍ୟ ଅଗ୍ରଗତି ସମୀକ୍ଷା  କରିଛନ୍ତି।

ଚଳିତ ବର୍ଷ ଡ଼ିସେମ୍ବର ଶେଷସୁଦ୍ଧା ଜିଲ୍ଲାର ୫୦ ପ୍ରତିଶତ ପରିବାରଙ୍କୁ  ପାଇପ୍ ଜଳ ଯୋଗାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ୬ ମାସ ମଧ୍ୟରେ ହୃଦରୋଗ ହସ୍ପିଟାଲ୍ କାର୍ଯ୍ୟକ୍ଷମ  କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ୧୧ ଟି ମେଗା ଉଠା ଜଳସେଚନ ପ୍ରକଳ୍ପର ବିଭିନ୍ନ ପର୍ଯ୍ୟାୟ କାମ ପାଇଁ  ସମୟ ନିର୍ଘଣ୍ଟ ନିର୍ଦ୍ଧାରଣ  କରାଯାଇଛି ।

ଜଳସେଚିତ ଅଞ୍ଚଳରେ ଅଣ-ଧାନ ଅର୍ଥକରୀ ଫସଲ ଚାଷ ପାଇଁ କୃଷକମାନଙ୍କୁ ଉତ୍ସାହିତ  କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । କୃଷକମାନଙ୍କ ସହ  ସିଧାସଳଖ  ଯୋଗାଯୋଗରେ ରହି  ସେମାନଙ୍କ ଚାଷ ସମ୍ବନ୍ଧୀୟ ଆବଶ୍ୟକତା ଓ ସମସ୍ୟା ଅନୁସାରେ ସହଯୋଗ ଯୋଗାଇବାକୁ  କୃଷି ଓ ଉଦ୍ୟାନଚାଷ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଝାରସୁଗୁଡ଼ାଠାରେ ହୃଦରୋଗ ହସ୍ପିଟାଲ୍, ଏଚ୍.କଟାପାଲିରେ ଜଳ ବିଶୋଧନ ପ୍ଲାଂଟ୍, ବାଂଝୀବୋରାରେ ବୃହତ୍ ଉଠାଜଳସେଚନ ପ୍ରକଳ୍ପ ଏବଂ ବନ୍ହରପାଲିରେ ଓ.ପି.ଜି.ସି. ପାୱାର ପ୍ଲାଣ୍ଟ୍ ଆଦିର କ୍ଷେତ୍ର ପରିଦର୍ଶନ କରିଛନ୍ତି ।        ସୁନ୍ଦରଗଡ଼ ଜିଲ୍ଲାସ୍ଥିତ ଓ.ସି.ପି.ଏଲ୍. ପ୍ଲାଣ୍ଟ୍ ପ୍ରଦର୍ଶନ ଏବଂ ନବନିର୍ମିତ ସମନ୍ୱୟ ଭବନ ଉଦ୍ଘାଟନ କରିଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ଗସ୍ତକାଳରେ ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ, ସୁନ୍ଦରଗଡ଼ ଜିଲ୍ଲାପାଳ ଗାଭାଲ ହର୍ଷଦ ପରାଗ୍, ଝାରସୁଗୁଡ଼ା ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ତପିରାମ ମାଝୀଙ୍କ ସମେତ ସଂପୃକ୍ତ ବିଭାଗ ଓ ନିଗମର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି  ଆବଶ୍ୟକୀୟ ତଥ୍ୟ  ଓ ସୂଚନା  ପ୍ରଦାନ କରିଥିଲେ ।

Leave A Reply

Your email address will not be published.