ବେଜିଂ: ତାଇୱାନ ରାଷ୍ଟ୍ରପତିଙ୍କ ଆମେରିକା ଗସ୍ତ ପରେ ପରୋକ୍ଷରେ ତାଇୱାନକୁ ଘେରିବାକୁ ଚେଷ୍ଟା କରୁଛି ଚୀନ। ଏଥିପାଇଁ ତାଇୱାନ ସୀମାରେ ସେନା ଅଭ୍ୟାସ୍ କରିବାକୁ ଚୀନ ଘୋଷଣା କରିଛି। ୩ଦିନ ଧରି ଏହି ସମରାଭ୍ୟାସ ଚାଲିବ ବୋଲି ଶନିବାର ଘୋଷଣା କରିଛି ଚୀନ।
ଚୀନ ସେନାର ଇଷ୍ଟର୍ଣ୍ଣ ଥିଏଟର କମାଣ୍ଡ କହିଛନ୍ତି ଯେ ଯୁଦ୍ଧ ପ୍ରସ୍ତୁତି ପାଇଁ ‘ୟୁନାଇଟେଡ୍ ଶାର୍ପ ଶୋର୍ଡ’ ନାଁରେ ଏହି ସମରାଭ୍ୟାସ ଏପ୍ରିଲ ୮ରୁ ଅର୍ଥାତ୍ ଆଜି ଠାରୁ ଆରମ୍ଭ ହୋଇ ୧୦ ପର୍ଯ୍ୟନ୍ତ ଚାଲିବ। ଚୀନର ଘୋଷଣା ପରେ ସତର୍କ ହୋଇଛି ତାଇୱାନ। ଦ୍ୱୀପଦେଶର ସୀମାରେ ୪୦ ଟି ଚୀନ ଯୁଦ୍ଧ ବିମାନ ଉଡ଼ୁଥିବାର ଦେଖିବାକୁ ମିଳିଥିବା ତାଇୱାନ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ସେହିପରି ଜଳ ସୀମାରେ ମଧ୍ୟ ଚୀନ ଯୁଦ୍ଧ ଜାହାଜ ଛାଡିଛି।
ସୂଚନା ଥାଉକି ତାଇୱାନକୁ ନିଜ ଦେଶରେ ମିଶାଇବାକୁ ଶପଥ ନେଇଛି ଚୀନ। ଏଥିପାଇଁ ଦରକାର ପଡିଲେ ଚୀନ ସୈନ୍ୟ ଶକ୍ତି ବ୍ୟବହାର କରିବ ବୋଲି ଧମକାଇ ବି ସାରିଛି। ତାଇୱାନ ରାଷ୍ଟ୍ରପତି ସାଇ ଇଙ୍ଗ ୱେନ୍ଙ୍କ ଆମେରିକା ଗସ୍ତକୁ ଗୁରୁବାର ସମ୍ପୂର୍ଣ୍ଣ ଅନୁଚିତ ବୋଲି ଚୀନ ଦର୍ଶାଇଛି। ଏଥିସହିତ ଆମେରିକାକୁ ମଧ୍ୟ ଚୀନ ଚେତାବନୀ ଦେଇଛି। ଆମେରିକାର ଏଭଳି ପଦକ୍ଷପେ ଭୁଲ ବୋଲି ଚୀନ କହିବା ସହ ତାଇୱାନଙ୍କୁ ନିଜ ଦେଶରେ ମିଶାଇବାକୁ ଶପଥ ନେଇଛି।
Comments are closed.