ବେଜିଂ: ମାଛ ଖାଇବାକୁ କିଏ ବା ନ ଭଲ ପାଏ । ତେବେ କଂଟା ଥିବା ମାଛ ଅନେକଙ୍କୁ ବିରକ୍ତି ପ୍ରଦାନ କରିଥାଏ । ଏହା ମାଛ ପ୍ରିୟ ଲୋକଙ୍କ ପାଇଁ କିଛି ମାତ୍ରାରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ । ଏବେ ଚୀନର ବୈଜ୍ଞାନିକମାନେ କଂଟା ନ ଥିବା ମାଛ ତିଆରି କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତିି । ଲ୍ୟାବରେ ଏହାକୁ ପ୍ରସ୍ତୁତ କରାଯାଇଛି । ଚାଇନୀଜ ଏକାଡେମୀ ଅଫ ସାଇଁସେଜର ବୈଜ୍ଞାନିକମାନେ ବୋନ ଫ୍ରି ଫିଶ ଉପରେ କାମ କରି ସଫଳ ହୋଇଛନ୍ତି । ଦୀର୍ଘ ଦିନ ଗବେଷଣା କରିବା ପରେ ସେମାନେ ଜାଣି ପାରିଥିଲେ ସିଗ୍ରୁନକ୍ସ ୨ ବି ନାମକ ଜୀନ ମାଛର ଶରୀରରେ କଂଟା ପ୍ରସ୍ତୁତ କରିଥାଏ ।
କ୍ରିସପର ଯାହାକୁ ଆଣବିକ କଂଇଁଚି କୁହାଯାଏ, ତାର ବ୍ୟବହାର କରାଯାଇ ମାଛ ଶରୀରରୁ ଏହି ଡିଏନଏକୁ ହଟେଇ ଦିଆ ଯାଇଥିଲା । ଗିବେଶ କାର୍ପ ନାମକ ମାଛ ଉପରେ ଏହାର ପରୀକ୍ଷଣ କରାଯାଇଥିଲା । ଏଥିରେ ବୈଜ୍ଞାନିକମାନେ ସଫଳ ହୋଇଛନ୍ତି । ଏହି ମାଛ ସୃଷ୍ଟି ହେଲା ଓ ବଡ ମଧ୍ୟ ହେଲା । ତେବେ ଏଥିରେ କୌଣସି କଂଟା ନ ଥିଲା । ମେରୁଦଣ୍ଡ ଠିକ ଥିବାରୁ ମାଛର କୌଣସି ଅସୁବିଧା ହୋଇ ନ ଥିଲା । ଏବେ ଚୀନ ଲୋକ ବିନା କଂଟାର ମାଛର ସ୍ୱାଦ ଭରପୂର ଉଠେଇ ପାରିବେ ।