Latest Odisha News

ଆଣବିକ ଅସ୍ତ୍ର ପରୀକ୍ଷା କରିବ ଚୀନ, ଉପଗ୍ରହରୁ ମିଳିଥିବା ତଥ୍ୟରୁ ଖୁଲାସା

ନୂଆଦିଲ୍ଲୀ: ୬୦ବର୍ଷ ପରେ ପୁଣି ଥରେ ଆଣବିକ ଅସ୍ତ୍ର ପରୀକ୍ଷା କରିବାକୁ ଯାଉଛି ଚୀନ । ଲପ ନୁର ନ୍ୟୁକ୍ଲିୟର ଟେଷ୍ଟ ଫାସିଲିଟିକୁ ପ୍ରସ୍ତୁତ କରୁଛି ଚୀନ । ଜିଞ୍ଜିଆନ ଅଞ୍ଚଳରେ ଏହି ପରୀକ୍ଷା ଲାଗି ଯୋଜନା ଚାଲିଛି ବୋଲି ଉପଗ୍ରହରୁ ମିଳିଥିବା ତଥ୍ୟରୁ ସୂଚନା ମିଳିଛି । ରାସାୟନିକ ବିସ୍ଫୋରଣ ଜରିଆରେ ଆଣବିକ ପରୀକ୍ଷା କରିବା ଲାଗି ଚୀନ ପ୍ରସ୍ତୁତ ହେଉଥିବା କୁହାଯାଇଛି । ମାକ୍ସର ଇମେଜେରୀ ସାଟେଲାଇଟରୁ ମିଳିଥିବା ତଥ୍ୟ ଅନୁସାରେ ଲପ ନୁର ପ୍ରକଳ୍ପରେ ବହୁ ଟନେଲ ଖୋଳାଯାଇଛି ।

୧୯୬୪ ଅକ୍ଟୋବର ୧୬ରେ ପ୍ରଥମ ଥର ଲାଗି ଚୀନ ଲପ ନୁରରେ ଆଣବିକ ପରୀକ୍ଷା କରିଥିଲା । ବିଶ୍ବରେ ବର୍ତ୍ତମାନ ସୁପରପାଓ୍ବାରଙ୍କ ମଧ୍ୟରେ ତୀବ୍ର ପ୍ରତିଯୋଗିତା ଚାଲିଥିବାବେଳେ ଚୀନର ସମ୍ଭାବ୍ୟ ଆଣବିକ ପରୀକ୍ଷା ଅଧିକ ରାଜନୈତିକ ଓ କୂଟନୈତିକ ସଙ୍କଟ ସୃଷ୍ଟି କରିବା ଆଶଙ୍କା ରହିଛି । ବିଭିନ୍ନ ପ୍ରସଙ୍ଗରେ ଆମେରିକା ଓ ଚୀନ ମଧ୍ଯରେ ବିବାଦ ଜାରି ରହିଥିବାବେଳେ ଚୀନର ସମ୍ଭାବ୍ୟ ଆଣବିକ ପରୀକ୍ଷା ଆମେରିକାକୁ ଅଧିକ ଉତ୍ତ୍ୟକ୍ତ କରିବା ସମ୍ଭାବନା ରହିଛି ।

ଲପ ନୁରରେ ସ୍ଥିତି ବର୍ତ୍ତମାନ ବଦଳିଯାଇଛି । ସେଠାରେ ନୂଆ ଭିତ୍ତି ପ୍ରସ୍ତୁତ ହେବା ସହ ଆଲୋକ ପ୍ରତିରୋଧକ, ସୁରକ୍ଷିତ ବଙ୍କର ଆଦି ନିର୍ମାଣ କରାଯାଇଛି । ନୂଆ ଏୟାର ବେସ  ନିର୍ମିତ ହେବା ସହ ୯୦ ଫୁଟର ଏକ ବୃହତ ଗର୍ତ୍ତ ଖୋଳାଯାଉଛି । ସମ୍ଭାବ୍ୟ ପରୀକ୍ଷା ଲାଗି ଏଥିରେ ଆଣବିକ ଅସ୍ତ୍ର ରଖାଯାଇ ବିସ୍ଫୋରଣ କରିବା ସମ୍ଭାବନା ରହିଛି ।

Comments are closed.