Latest Odisha News

BREAKING NEWS

ଭାରତରେ ହେବାକୁ ଥିବା ବିଶ୍ୱ ବୌଦ୍ଧ ସମ୍ମିଳନୀକୁ ଆସିବେ ୩୦ ଦେଶ, ହେଲେ ଆସିବନି ଚୀନ

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ୨୦ ଓ ୨୧ ତାରିଖ ଦୁଇ ଦିନ ଦିଲ୍ଲୀରେ ବିଶ୍ୱ ବୌଦ୍ଧ  ସମ୍ମିଳନୀ(ଗ୍ଲୋବାଲ ବୁଦ୍ଧିଷ୍ଟ ସବମିଟ୍) ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭାରତ ଏକାଧିକ ଦେଶକୁ ନିମନ୍ତ୍ରଣ କରିଥିଲା। ହେଲେ ଚୀନ ଏହି ସମ୍ମିଳନୀରେ ଯୋଗ ଦେବ ନାହିଁ ବୋଲି ସୂଚନା ମିଳିଛି। ଭାରତ ସହ ସୀମା  ବିବାଦ ରହିଥିବାରୁ ଚୀନ ଏହି ନିଷ୍ପତ୍ତି ନେଇଥାଇପାରେ ବୋଲି କୁହାଯାଉଛି।

ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଆନ୍ତର୍ଜାତୀୟ ବୈଦ୍ଧ ସଂଘ(ଆଇବିସି) ମହାନିର୍ଦ୍ଦେଶକ ଅଭିଜିତ ହଲଦର। ଚୀନକୁ ନିମନ୍ତ୍ରଣ ପଠାଯାଇଥିଲା। ହେଲେ ସେମାନେ ଆସିବେ ନାହିଁ। ତେବେ ତାଇୱାନ୍‌ରୁ ଦୁଇଟି ପ୍ରତିନିଧି ଦଳ ଭାରତ ଆସୁଛନ୍ତି ବୋଲି ଅଭିଜିତ କହିଛନ୍ତି।

ସୂଚନା ଥାଉକି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ସହ ମିଶି ଆଇବିସି ଏହି କାର୍ଯ୍ୟକ୍ରମର ଆୟୋଜନ କରୁଛି। ସାଂସ୍କୃତିକ କ୍ଷେତ୍ରରେ ବିଶ୍ୱରେ ଅନ୍ୟ ଦେଶ ସହ ସମ୍ପର୍କ ମଜଭୁତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ଚୀନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।

ଏହି କାର୍ଯ୍ୟକ୍ରମ ଦ୍ୱିତୀୟ ଦିନରେ ତିବ୍ବତ ଧର୍ମଗୁରୁ ଦଲାଇ ଲାମା ଯୋଗ ଦେଇପାରନ୍ତି। ଗୁରୁବାର ସକାଳେ ଦଲାଇ ଲାମା ଜାମ୍ମୁରୁ ବିମାନ ଯୋଗେ ଦିଲ୍ଲୀ ଆସିବେ ବୋଲି ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମରେ ଶ୍ରୀଲଙ୍କା, ଥାଇଲାଣ୍ଡ, ଭିଏତନାମ ଓ ମିଆଁମାରର ପ୍ରତିନିଧି ଦଳ ଯୋଗ ଦେବେ।

ପ୍ରଥମ ଥର ପାଇଁ ବୌଦ୍ଧ ସମ୍ମିଳନୀ ଆରମ୍ଭ ହେବାକୁ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୨୦ ତାରିଖରେ ଦିଲ୍ଲୀର ଅଶୋକ ହୋଟେଲ୍‌ରେ ଏହାର ଉଦ୍‌ଘାଟନ କରିବେ। ସକାଳ ୧୦.୩୦ରେ ପ୍ରଧାନମନ୍ତ୍ରୀଙ୍କୁ ଲୋକଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି।

ସଂସ୍କୃତି ମନ୍ତ୍ରଣାଳୟର ସୂଚନା ଅନୁସାରେ ଏହି ସମ୍ମିଳନୀରେ ଅନ୍ୟ ଦେଶମାନଙ୍କ ସହ ସାଂସ୍କୃତିକ ଓ ରାଜନୈତିକ ସମ୍ପର୍କ ଘନିଷ୍ଟ କରିବାରେ ସହଯୋଗ କରିବ। ୩୦ ଦେଶର ୧୭୧ ପ୍ରତିନିଧି ଦଳ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ସେହିପରି ଭାରତ ୧୫୦ ପ୍ରତିନିଧି ଦଳ କାର୍ଯ୍ୟକ୍ରମରେ ଯୋଗ ଦେବେ।

ଏହି କାର୍ଯ୍ୟକ୍ରମରେ ୪ଟି ପ୍ରସଙ୍ଗରେ ଆଲୋଚନା ହେବ। ବୁଦ୍ଧ ଧାମ ଓ ଶାନ୍ତି, ବୁଦ୍ଧ ଧାମ, ଜଳବାୟୁ ସଂକଟ, ସ୍ୱାସ୍ଥ୍ୟ ଓ ସ୍ଥିରତା, ନାଳନ୍ଦା ବୁଦ୍ଧିଷ୍ଟ ପରମ୍ପରାର ସଂରକ୍ଷଣ। ବୁଦ୍ଧ ଧର୍ମ ତୀର୍ଥକ୍ଷେତ୍ର, ବଞ୍ଚି ରହିଥିବା ଐତିହ୍ୟ ଓ ବୌଦ୍ଧ ଅବଶେଷ ପ୍ରସଙ୍ଗରେ ଆଲୋଚନା ହେବ।

Comments are closed.