Latest Odisha News

ବୁଢାଙ୍କ ଦେଶରେ ବଢିବ ଅବସର ଆୟୁ

ନୂଆଦିଲ୍ଲୀ: ଭାରତରେ ଚାକିରିଆଙ୍କ ଅବସର ବୟସ ୬୦ରୁ ୬୨ ବର୍ଷ । ପ୍ରାଇଭେଟ ସେକ୍ଟରରେ ଚାକିରିଆଙ୍କ ଅବସର ୫୮ ବର୍ଷ । ପଡୋଶୀ ଚୀନରେ ଆଜି ବି ଅବସର ନେବା ବୟସ ସାରାବିଶ୍ୱରେ କମ୍ । କମ୍ୟୁନିଷ୍ଟ ଶାସିତ ଦେଶରେ ସରକାରୀ କର୍ମଚାରୀଙ୍କ ଅବସର ବୟସସୀମା ବର୍ତ୍ତମାନ ରହିଛି ୫୫ ବର୍ଷ । ମହିଳାଙ୍କ କ୍ଷେତ୍ରରେ ତ ଅବସର ବୟସ ୫୦ ରଖାଯାଇଛି ।

ଏବେ ଅବସର ବୟସ ନେଇ ଚୀନ ଚିନ୍ତାରେ । ଚାକିରିଆଙ୍କ ଅବସର ବୟସସୀମା ବଢାଇବାକୁ ପ୍ରସ୍ତୁତ ହେଉଛନ୍ତି ଚୀନ୍ ସରକାର । ନୂଆ ପ୍ରସ୍ତାବ ଯଦି କାର୍ଯ୍ୟକାରୀ ହୁଏ, ତାହା ହେଲେ ପୁରୁଷମାନଙ୍କୁ ୧୦ ବର୍ଷ ଅଧିକ ଚାକିରି କରିବାକୁ ହେବ ।

ହଠାତ କାହିଁକି ଚାକିିରିଆମାନଙ୍କ ଅବସର ବୟସ ବଢାଇବାକୁ ଚିନ୍ତା କଲେ ଚୀନ ସରକାର । କାରଣ ଅତି ସଂଗୀନ । ଭାରତ ପଛକୁ ଚୀନ ଦ୍ୱିତୀୟ ଜନବହୁଳ ଦେଶ । ହେଲେ ଦେଶରେ ବୁଢାଙ୍କ ସଂଖ୍ୟା ବଢିଚାଲିଛି । ଚୀନର ୱାର୍କଫୋର୍ସ ପାଇଁ ଯୁବକଙ୍କ ସଂଖ୍ୟା ଅଭାବ ରହୁଛି । ଗତ କିଛି ବର୍ଷ ଧରି ଜନ୍ମ ହାର ଦ୍ରୁତଗତିରେ ହ୍ରାସ ପାଇଥିବାରୁ ଏଭଳି ପରିସ୍ଥିତିର ସାମନା କରୁଛି ଚୀନ୍ । ତେଣୁ କମ୍ୟୁନିଷ୍ଟ ଚୀନ୍ ସରକାରୀ କର୍ମଚାରୀଙ୍କ ଅବସର ବୟସ ସୀମା ବଢାଇବାକୁ ଅଂଟା ଭିଡିଛି । ଚୀନ୍ କମ୍ୟୁନିଷ୍ଟ ପାର୍ଟି ବୈଠକରେ ଏ ସଂପର୍କିତ ପ୍ରସ୍ତାବରେ ବାଜିଛି ମୋହର ।

କାମ କରିପାରୁଥିବା ଲୋକଙ୍କ ସଂଖ୍ୟା କମ୍ ହେବାରେ ଲାଗିଛି । ତେଣୁ ଅବସର ବୟସ ବୃଦ୍ଧି କରାଯାଇ ଧୀରେ ଧୀରେ ଲାଗୁ କରାଯିବା ପାଇଁ ପ୍ରସ୍ତାବରେ କୁହାଯାଇଛି ।

ଚୀନ୍ ପେନସନ ବିକାଶ ରିପୋର୍ଟରେ କୁହାଯାଇଥିଲା ଯେ, ରିଟାୟରମେଂଟ ଆୟୁ ଅତିକମରେ ୬୫ ବର୍ଷ ହେବା ଦରକାର । ପୁରୁଷ ଓ ମହିଳା ଉଭୟଙ୍କ ପାଇଁ ଏହି ବୟସ ସମାନ ହେବା ଦରକାର । ବରିଷ୍ଠଙ୍କ ସଂଖ୍ୟା ବଢୁଥିବାରୁ ସେମାନଙ୍କ ପେନସନ ପିଚ୍ଛା ଅଧିକ ଖର୍ଚ୍ଚ ହେଉଛି, ଯାହା କି ସରକାରଙ୍କ ପାଇଁ ଆଉ ଏକ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ଚୀନ୍ ପେନସନଭୋଗୀଙ୍କ ସଂଖ୍ୟା ଦ୍ରୁତଗତିରେ ବଢିଚାଲିଛି । ଯେଉଁ ଗତିରେ ପେନସନଭୋଗୀଙ୍କ ସଂଖ୍ୟା ବଢିଚାଲିଛି ନା, ୨୦୩୫ ସୁଦ୍ଧା ସରକାରୀ ପେନସମ ପାଣ୍ଠିରେ ପଇସା ଶେଷ ହୋଇଯିବ ବୋଲି ଚୀନର ସରକାରୀ ଚାଇନିଜ୍ ଏକାଡେମୀ ଅଫ୍ ସୋସିଆଲ ସାଇନ୍ସର ଏକ ରିପୋର୍ଟରେ କୁହାଯାଇଛି ।

ଚୀନ୍ ଏବେ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି । ଆର୍ଥିକ ସ୍ଥିତି ଆଗର ପରି ଭଲ ନାହିଁ । ଏଣେ ଲଗାତର ଦ୍ୱିତୀୟ ବର୍ଷ ଜନ୍ମ ଦର କମିଛି । ତେଣୁ ପଡୋଶୀ ଦେଶ ଚିନ୍ତାରେ । ତେବେ, ଅବସର ବୟସ ବଢାଇବା ପାଇଁ ସରକାରଙ୍କ ନିଷ୍ପତ୍ତି ରେ ଲୋକେ ଖୁସି ନୁହନ୍ତି । ସେମାନଙ୍କୁ ଆଜୀବନ କାମ କରିବାକୁ ପଡିପାରେ ବୋଲି ଅନେକ ଆଶଙ୍କା କରିଛନ୍ତି ।

Comments are closed.