Latest Odisha News

BREAKING NEWS

ଚିଟଫଣ୍ଡ ମାମଲା: ପୁଣିଥରେ ସକ୍ରିୟ ସିବିଆଇ, ୬ ବିଧାୟକଙ୍କ ନାଁ ଚର୍ଚ୍ଚାରେ

ଭୁବନେଶ୍ୱର: ଚିଟଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇ ଫାଇଲ୍ କ୍ଲୋଜ କରିନାହିଁ। ଯେଉଁଠି ତଦନ୍ତ କରି ଚୁପ୍ ବସିପଡିଥିଲା ସେହିଠୁ ପୁଣିଥରେ ସିବିଆଇ ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି। ନିକଟରେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଉଭୟ ରାଜ୍ୟ ସରକାର ଏବଂ ତଦନ୍ତକାରୀ ସଂସ୍ଥାକୁ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେବା ପରେ ସିବିଆଇ ଖୋଳତାଡ ଆରମ୍ଭ କରିଛି। ଆଉ ପ୍ରଥମ ପାଳିରେ ସିସୋର କମ୍ପାନୀ ରହିଛି।

ମିଳିଥିବା ସୂଚନା ଅନୁସାରେ ସିସୋର କମ୍ପାନୀ ସହିତ ରାଜ୍ୟ ସରକାର ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ନେଇ ଏମଓୟୁ କରିଥିଲେ। ସିବିଆଇ ଅଧିକାରୀ ଏହି ମାମଲାର ତଦନ୍ତ କରିବାକୁ ଯାଇ ରାଜ୍ୟ ପର୍ଯ୍ୟଟନ ବିଭାଗକୁ ଯାଇ ବିଭିନ୍ନ ଦସ୍ତାବିଜ ଦେଖିଛନ୍ତି। ଏହାପରେ ୬ ବିଧାୟକଙ୍କ ନାଁ ଚର୍ଚ୍ଚାରେ ରହିଛି। ଯେଉଁମାନଙ୍କୁ ସିବିଆଇ ସମନ କରିବାର ସମ୍ଭାବନା ରହିଛି।

ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସିସୋର ସହିତ ପର୍ଯ୍ୟଟନ ବିଭାଗ କରିଥିବା ଚୁକ୍ତିନାମା ମଧ୍ୟରୁ ଗୋଟିଏ କଟକ ନୌବିହାର ଏବଂ ଦ୍ବିତୀୟଟି ଖୋର୍ଦ୍ଧା ଅଟ୍ରି ନିକଟରେ ଥିବା ସରକାରୀ ଗେଷ୍ଟ ହାଉସର ପରିଚାଳନା ଦାୟିତ୍ବ ରହିଥିଲା। କମ୍ପାନୀ ଓ ସରକାରଙ୍କ ସହିତ ଚୁକ୍ତିନାମା ବେଳେ ଅନେକ ଦିଗକୁ ଗୁରୁତ୍ୱ ଦିଆଯାଇନଥିଲା। ତେଣୁ ସିବିଆଇର ସନ୍ଦେହୀ ଆଖି ରାଜ୍ୟ ସରକାରଙ୍କ ଉପରେ ରହିଛି। ଏଥିସହ ଚୁକ୍ତିନାମା ବେଳେ କଣ ପାଇଁ ଟେଣ୍ଡର ଆହ୍ୱାନ ହୋଇନଥିଲା ସେ ନେଇ ଖୋଳତାଡ କରୁଥିବା ସୂଚନା ରହିଛି।

ଏହି ମାମଲାରେ ସେତେବେଳେ ସିବିଆଇ ଶାସକ ଦଳ ବିଜେଡିର ନେତାଙ୍କୁ ଗିରଫ କରିଥିଲା। ଏବେ ଯେଉଁ ତଦନ୍ତ ଆରମ୍ଭ କରିଛି ସିବିଆଇ ସେଥିରେ ୬ ଜଣ ବିଧାୟକଙ୍କ ନାଁ ଚର୍ଚ୍ଚାକୁ ଆସିଛି। ଯାହା ସଂପୃକ୍ତ ବିଧାୟକଙ୍କ ହୃଦସ୍ପନ୍ଦନ ବଢାଇ ଦେଇଛି। ସିବିଆଇ କୌଣସି ମୁହୂର୍ତ୍ତରେ ସମନ୍ ପଠାଇ ପୁରୁଣା ପାଠର ଆଲୋଚନା କରିପାରେ ବୋଲି ସମ୍ଭାବନା ରହିଛି। ରାଜ୍ୟରେ ଶାସକ ଓ ବିରୋଧୀ ଟକରାଟକରି ପରିସ୍ଥିତି ଥିବା ବେଳେ ସିବିଆଇ ସକ୍ରିୟ ହେବା ଅନେକ ବିଧାୟକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି।

Leave A Reply

Your email address will not be published.