ଲୋପାମୁଦ୍ରା ପରିଡା
ଚିତାଲାଗି ଅମେଇସିଆ ଆଜି । ସକାଳୁ ମାଟିର ସରା ପଲମକୁ ବୋଉ ଧୋଇଧାଇ ଶୁଖେଇ ରଖୁଥିଲା । ଗୋଟେ ସଫା କିନ୍ତୁ ପୁରୁଣା ଧୋତି ଯୋଉଟା ବାପା ଆଉ ପିନ୍ଧୁ ନ ଥିବେ , ଆଉ ଏବେ ସେଇଟା ଦିଅଁଙ୍କର ବଳିତା ବଳା ହେଉଥିବ ରାଶି ଆଉ ଜଡା ତେଲକୁ ହାତରେ ମାରି ପାପୁଲିରେ ବଳି ବଳି ସେଇ ଧୋତିର ଆର ଫାଳରୁ ଧାରେ , ଯୋଉଟାରେ ତେଲ ଲାଗିନଥିବ ସିଏ ବି ଗାଧେଇ ପଡି ଶୁଖିଥିବ ତାରରେ ।
ଗୋବର ମାଟି ମିଶା ଲିପା ମାଟି ଅଗଣାରେ ମାଟିର ଚୁଲି ବି ସୁନ୍ଦରିଆ କି ଲିପା ହବ ।ଚୁଲି ସବୁ କାଳେ ଦେବତା, ସେଥିରେ ମା ଅନ୍ନପୂର୍ଣ୍ଣାଙ୍କର ବାସ ମୋ ବୋଉ ମତରେ । ଚୁଲି କୁ ବି ବାରି ଧଳା ଟଗର, ଦୂବ, ହଳଦୀ ଚାଉଳ, ବଳକୋଳି ପତର ,ସୁନ୍ଦର (ସିନ୍ଦୁର)ମାରି ପୁଜେ । ବଡ ମନ୍ଦାର ପତରରୁ ଯୋଡେ ଛିଣ୍ଡେଇ ଚଉରା ମୂଳେ, ବେଲ ଗଛ ମୂଳେ, ହାଣ୍ଡି ଶାଳ , ମାଟିଚୁଲା,ଶିଳ ଶିଳପୁଆ, ଚକି ଘୋରଣା ପାଖେ ସବୁ ଠି ଖଇକୋରା, ଫାଳେ କଦଳୀ ଯାହା ଯୋଉଦିନ ହେଲା ଭୋଗଲଗାଏ ।ମୁଣ୍ଡ ରେ ମଥାଏ ଓଢଣୀ କୁ ଆହୁରି ଆଗକୁ ଟାଣି କଣ ସବୁ କହେ ଆଉ ସେମାନେ ବୁଝନ୍ତି ବୋଲି ସେ ନିଶ୍ଚିତ ଥାଏ ।
କାଲି ରାତିରୁ ପିତଳ କଂସା ମଜା ହେଇ ସେଥିରେ ସରୁ ଅରୁଆ ପାଣିରେ ଭେଦିଥାଏ । ଶିଳରେ ପାଲିସ୍ କରି ସେ ଚାଉଳତକ ବଟା ହୁଏ ।ବାରିରୁ ଯୋଡେ ଅନ୍ନପୂର୍ଣା ପତର ଆଣି ସେଥିରେ ପକେଇ ବାରି ନଡିଆ ଯିଏ ବେଶୀ ଟାଣେଇ ନଥବ କି କଞ୍ଚା ନଥବ ,ସୁଆଦିଆ ସରସ ଥିବ ବାପାଙ୍କୁ କହି ତୋଳେଇଥାଏ ।
କଦଳୀ ପତର ପାରି କୋରଣାରେ ବହୁତୁ କି ନଡିଆ କୋରେ । ଆମେ ପିଣ୍ଢା ଦାଢରେ ଖେଳୁଥାଉ, ଆମକୁ ନଡିଆ ସଢେଇରେ କୋରା ନଡିଆରେ ଚିନି ଗୋଳେଇକି ହାତରେ ଥାମିଯାଏ ।ଉଁ ଉଁଉ କି ମିଠା, କି ସୁଆଦିଆ ବାସ୍ନା । ଏ ବୋଉର ହାତ ଟା ନା ,ସରସ ।
ସେ ଚାଉଳ ସାଙ୍ଗରେ ସେ ନଡିଆ ତକ ବି ବାଟିହେଇଯାନ୍ତି, ଆଉ ଗୋଟେ ବହଳିଆ ଖିର ପରି ରୂପାନ୍ତରିତ ରୂପ ନେଇ କଂସାରେ ବୋଉର ହାତ କୁ ଅନାନ୍ତି, ପୁଣି ତା ପରେ କଣ ? ପାଣି ମିଶା ଆଉ ଡଙ୍କି ଫେଣା । ପତଳା ପିଠଉ ଚିତଉର ପାଗ ।
ଚୂଲିରେ କାଠ,ପତର ଦେଇ ଅଗ୍ନି ଦେବତା, ଅନ୍ନପୂର୍ଣା ମନ୍ତ୍ର ସହ ପଲମ ବସେ । ଟିକେ ଭଲ ଘିଅକୁ ନଡିଆକତା ନ ହେଲେ ବାଇଗଣ ଭୁଣ୍ଡିରେ ଘସିଦେଇ ଡଙ୍କିଏ ଛଁଅଁ କିନା ଆଣ (ପିଠଉ) ଓଜାଡି ସରା ଘୋଡେଇ ଦେଇ ଧୋତି କନାକୁ ପାଣିରେ ବୁଡେଇ ଚାରିପଟେ ବୁଲେଇଦିଏ ଆଉ ଆମକୁ ଚାହିଁ ହସିଦିଏ, ସରଗପରୀ ପରି ।
ଆମକୁ କଣ ଗୋଟେ ବିଜ୍ଞାନ ପରୀକ୍ଷା ପରି ଦିଶୁଥାଏ, ଯୋଉଟା ଆମ ବିଜ୍ଞାନ ସାରଙ୍କୁ ବି ଜଣା ନାହିଁ ।
ଚିତଉ ପିଠା, ଅଣଲେଉଟା । କୁଆଡେ ଗଲାଆଇଲା ବେଳେ ଚିତଉ ଖାଇକି ଯିବନି । ବୋଉର ନିୟମ ରୁଲ୍ ଖାତାର ରୁଲ୍ ନମ୍ବର ସତର ।
ଆଗେ ଚିତଉ ସବୁ ଦିଅଁଙ୍କ ଘରୁକୁ ତାଙ୍କ ପିତଳ ଚଟକା ଥାଳିଆରେ ଯାଏ, ସିଏ ସବୁ ଆଗେ ଦେଖନ୍ତି, ଖାଆନ୍ତିନି ବା ।ହୁଳହୁଳି, ଘଣ୍ଟି ଶୁଭିଲେ ସଇଲା । ତା’ ପରେ ଆମ ପାଳି ।
ବିଲକୁ ବାପା କଦଳୀ ପତରରେ ଚିତଉ ଆଉ ସବୁ ପୂଜା ଜିନିଷ ନେଇ ଯାନ୍ତି ,ଜମି ପୂଜା ହୁଏ । ଭଲ ଫଳ ଦିଏ ପୂଜିଲେ ।
ବଡନାନୀକୁ ବୋଉ ପଠାଏ ବାରି ଆଡେ ଆଉ ଖଳାରେ କଦଳୀ ପତରରେ ପିଠା ଦେଇ ପାଣି ଛଡେଇଆକୁ ।ପାଣିରେ ଭସେଇଦବୁ କହେ । ପୋକଜୋକ, ସରିସୃପ,ଗେଣ୍ଡା କୋଚିଆ, ଆଉ ସବୁ କିଏ ଆମକୁ କିଛି କରିବେନି ଏମିତି କଲେ ବୋଲି ବୋଉ କହେ । ରକ୍ଷା କବଚ, ପ୍ରକୃତି ପୂଜା । ମୁଁ ସମତଙ୍କ ପଛରେ ଦଉଡେ ବିଲୁରୁ ବାରିଯାଏଁ ।ମତେ ଭାରି ଭଲ ଲାଗେ ଏମିତି ପୂଜା ସବୁ ।ଠାକୁର ମାନଙ୍କ ଭାଷା ହେଲେ ମୁଁ ଜାଣିନି, ଶିଖିଯିବ ଯେ । ଏବେ ଖାଲି ଗୁଣୁଗୁଣୁ ।
ସମ୍ବଲପୁର ସାନ ମାଉସୀ ଘର ଆଡେ ତ ପିଲୁ ଆଉ ସିନି ପେଟ ନାହି ତଳେ ଆଜି ଦିନରେ ମାଉସୀ କଣ ସବୁ ଟାଟୁ ଡିଜାଇନ୍ ଭଳିଆ ଗାରାଏ, ସେଇଟା ତାଙ୍କ ଆଡର ରକ୍ଷା କବଚ ।ଚିତଉ ତ ସେଠି ବି ହୁଏ ।
ଚିତଉ ପିଠାରେ ଚିନି ଛିଞ୍ଚି ମୁଁ ଖାଏ, ବଡ ନାନୀ ଖିରି ବୁଡେଇକି ବାବା ତରକାରୀ ଲଗେଇକି । ବୋଉ କେମିତି ଖାଏ କେଜାଣି, ଦେଖିନି କୋଉଦିନ ।
ଚିତଉଟା କିନ୍ତୁ ଗୋଟେ ଓଲଟା ଛତା କି ଛତୁ ପରି ଦିଶେ ।ଟୁପ୍ ଟୁପିଆ, କେତେ କଣା ଯେ ଗଣି ହବନି ।ଟୁପ୍ ଟୁପ୍ ଟୁପ୍ ।
ବାପା କହୁଥିଲେ, ଆଜି କାଳେ ବଡ ଦେଉଳର ଜଗା କାଳିଆ ଠାକୁର ଆଉ ତାଙ୍କର ବଡ଼ ଭାଇ ବଳିଆ ଠାକୁର ବି ଚିତା ଲଗାନ୍ତି । ଭଉଣୀ ରାଣୀ ବି । ଗାଧୁଆ ଦିନ ,ଯୋଉ ସ୍ନାହାନ ପୁନେଇ ଠୁ କଢା (ଓଲାଗି) ହୋଇ ରଖାହେଇଥାନ୍ତି । ସେ ଫୁଲ ଚିତା, ଚନ୍ଦନ, କର୍ପୁର, ଗୋରଚନ, ଜାଇଫଳରେ ଘୋରା ତିଳକ ଚିତା ଲଗାନ୍ତି ରଥ ବେଳେ ଆଉ ବଡ ଦେଉଳରେ ତାଙ୍କର ହୀରାନୀଳା ଚିତା । ସିଏ ବି କୁଆଡେ ଚିତଉ ଖାଆନ୍ତି । ଆମ ପରି । ଦେଉଳରେ ତାକୁ ଚିତ୍ରକ ପର୍ବ, ସୁବର୍ଣ୍ଣ ଚିତାଲାଗି ଅନୁଷ୍ଠାନ, ରାହୁ ରେଖା ଲାଗି ଅନୁଷ୍ଠାନ ଆଦି ନାଁ ରେ ଡକା । ଆଉ ସିଏ ରଜା ଆଉ ଆମେ ସବୁ ପରଜା ।
ବୋଉ କହେ ଆମ ଦେଶରେ ଯେତେ ପରବ ସେତେ କୁଆଡେ ନାହିଁ ।ସବୁ ପରବ ର ଆମ ଜୀବନ ସାଙ୍ଗରେ ସିଧା ସଂପର୍କ ।ଶିକ୍ଷଣୀୟ ।
ଭଲ ନା । ମତେ ତ ସବୁ ପରବ ଭଲ ଲାଗେ । ଏତେ ପ୍ରକାରେ ପିଠା ପଣା ଆଉ କେମିତି ହନ୍ତା ନହେଲେ ।
ମୁଁ ଚାଲିଲି ଚିତଉ ଗରମ ଗରମ ଖାଇବି ବିନ୍ଧ ଗଣି ଗଣିକା ।
ବାଙ୍ଗାଲୋର
Comments are closed.