Latest Odisha News

ରାହୁଲଙ୍କ ସାଂଘାତିକ ଅଭିଯୋଗ, କହିଲେ ମନମୋହନଙ୍କୁ ହୋଇଛି ଅପମାନ

ନୂଆଦିଲ୍ଲୀ : ପଞ୍ଚଭୂତରେ ବିଲୀନ ହେଲା ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ପାର୍ଥିବ ଶରୀର । ଦିଲ୍ଲୀର ନିଗମବୋଧ ଘାଟରେ ହୋଇଛି ପ୍ରବାଦ ପୁରୁଷଙ୍କ ଶେଷ କୃତ୍ୟ । ହେଲେ ଏହାକୁ ନେଇ ଏବେ ଆରମ୍ଭ ହୋଇଛି ବିବାଦ । ଆଉ ଏହି ବିବାଦ ଆଣିଛି କଂଗ୍ରସ । ବିରୋଧୀ ଦଳନେତା ରାହୁଲ ଗାନ୍ଧୀ ଆଣିଛନ୍ତି ସାଂଘାତିକ ଅଭିଯୋଗ । ସେ ଅନ୍ତିମ ସଂସ୍କାର ସ୍ଥାନକୁ ନେଇ ଆପତ୍ତି ଉଠାଇଛନ୍ତି । ସେ କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଅପମାନ କରାଯାଇଛି ।

କଂଗ୍ରେସ ନେତାଙ୍କ କହିବା କଥା, କାହିଁକି ରାଜଘାଟରେ ହେଲାନି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଶେଷ କୃତ୍ୟ ? ରାଜଘାଟରେ ଦେଶର ସମସ୍ତ ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଶେଷକୃତ୍ୟ ହୋଇଥିବା ବେଳେ କାହିଁକି ନିଗମବୋଧ ଘାଟରେ ହେଲା ମନମୋହନ ସିଂହଙ୍କ ଶେଷକୃତ୍ୟ ? ପ୍ରଥମ ଥର ପାଇଁ ଦେଶର ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଶେଷକୃତ୍ୟ ରାଜଘାଟରେ ନହୋଇ ସର୍ବ ସାଧାରଣ ଶ୍ମଶାନ ସ୍ଥଳ ନିଗମବୋଧ ଘାଟରେ ହୋଇଛି । ଯାହାକୁ ନେଇ ରାଜନୈତିକ ଦଳ ନିର୍ବିଶେଷରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ମନମୋହନ ସିଂହ ଥିଲେ ଶିଖ ସଂପ୍ରଦାୟର ପ୍ରଥମ ଏବଂ ବର୍ତ୍ତମାନ ସୁଦ୍ଧା ଏକମାତ୍ର ପ୍ରଧାନମନ୍ତ୍ରୀ । ୨ଟି ଟର୍ମରେ ୧୦ ବର୍ଷ ପ୍ରଧାନମନ୍ତ୍ରୀ ଥିଲେ ସେ । ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ପିଭି ନରସିଂହା ରାଓ ସରକାର ଅମଳରେ ଅର୍ଥମନ୍ତ୍ରୀ ଥିଲେ । ଆଉ ସେତେବେଳେ ଦେଶର ଆର୍ଥିକ ଦଶା କେମିତି ଥିଲା ଏବଂ ମନମୋହନ କେଉଁ ଦିଶାରେ ତାକୁ ନେଇଥିଲେ, ତାହା ସମସ୍ତେ ଜାଣିଛନ୍ତି, ସମସ୍ତେ ଅନୁଭବ ମଧ୍ୟ କରିଛନ୍ତି । କିନ୍ତୁ ରାଜଘାଟ ବଦଳରେ ନିଗମବୋଧ ଘାଟରେ ଏଭଳି ଜଣେ ବ୍ୟକ୍ତିତ୍ବଙ୍କ ଅନ୍ତେଷ୍ଟିକୁ ପଞ୍ଜାବୀ ସଂପ୍ରଦାୟ ଗ୍ରହଣ କରିପାରିନି । ଶିରମୋଣି ଅକାଳୀ ଦଳ ନେତା ପ୍ରକାଶ ସିଂହ ବାଦଲ ଏହାକୁ ନେଇ ଚିନ୍ତା ପ୍ରକଟ କରିବା ପରେ ପଞ୍ଜାବର ଅନେକ ରାଜନେତା ମଧ୍ୟ ଏ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ।

Comments are closed.