Latest Odisha News

BREAKING NEWS

କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା: ଅରୁଣା ଶାନବାଗଙ୍କ ଘଟଣା ମନେ ପକାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ମମତା ସରକାର ଓ ପଶ୍ଚିମବଙ୍ଗ ପୋଲିସ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଏଥି ସହିତ ଉକ୍ତ ମାମଲାରେ ସିବିଆଇକୁ ଷ୍ଟାଟସ୍ ରିପୋର୍ଟ ତଲବ କରିଛନ୍ତି ସୁପ୍ରିମକୋର୍ଟ । ଶୁଣାଣୀ ବେଳେ ଦେଶ ଆଉ ଏକ ବଳାତ୍କାର ଘଟଣା ଯାଏ ଅପେକ୍ଷା କରିପାରିବ ନାହିଁ। ତୃଣମୂଳ ସ୍ତରରେ ପରିବର୍ତ୍ତନ ହେବା ଆଶାରେ ଅପେକ୍ଷା କରାଯାଇ ପାରିବ ନାହିଁ ବୋଲି କହିଥିଲେ ସର୍ବୋଚ୍ଚ ଅଦାଲତ । କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ନିଜ ଆଡୁ ମାମଲା ଦାୟର କରି ଆଜି ଶୁଣାଣୀ କରିଥିଲେ ମାନ୍ୟବର ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶୁଣାଣି ବେଳେ ପଶ୍ଚିମବଙ୍ଗ ସରକାର ଓ ଘଟଣା ଘଟିଥିବା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ଆରଜି କର ହସ୍ପିଟାଲର ଅଧ୍ୟକ୍ଷ କ’ଣ କରୁଥିଲେ, ପୋଲିସ କାହିଁକି ୧୨ ଘଣ୍ଟା ପରେ ମାମଲା ରୁଜୁ କଲା, ଆରଜି କର ହସ୍ପିଟାଲ ଅଧ୍ୟକ୍ଷଙ୍କୁ ସଙ୍ଗେ ସଙ୍ଗେ ଅନ୍ୟ ହସ୍ପିଟାଲରେ ଅଧ୍ୟକ୍ଷ ନିଯୁକ୍ତି କରାଗଲା କାହିଁକି ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ସେପଟେ ଶୁଣାଣୀ ବେଳେ ବହୁ ଚର୍ଚ୍ଚିତ ଅରୁଣା ଶାନବାଗ ଘଟଣାକୁ ମନେ ପକେଇଛନ୍ତି ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟ କହିଛନ୍ତି ଯେ, କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଘଟିଥିବା ଏହି ବର୍ବରତା ୨୭ ନଭେମ୍ବର ୧୯୭୩ରେ ମୁମ୍ବାଇର କିଙ୍ଗ ଏଡୱାର୍ଡ ମେମୋରିଆଲ ହସ୍ପିଟାଲର ଘଟଣାକୁ ମନେ ପକାଇ ଦେଇଛି। ଏହି ଦୁଇଟି ଘଟଣାର ଏକମାତ୍ର ପାର୍ଥକ୍ୟ ହେଉଛି କୋଲକାତା ପୀଡିତାଙ୍କ ମୃତ୍ୟୁ ଘଟିଛି ଏବଂ ମୁମ୍ବାଇରେ ଦୁଷ୍କର୍ମର ଶିକାର ହୋଇଥିବା ଅରୁଣା ଶାନବାଗ ଦୀର୍ଘ ୪୨ ବର୍ଷ ଧରି ଶବ ପରି ବଞ୍ଚି ରହିବାକୁ ବାଧ୍ୟ ହୋଇଥିଲେ ।

ଅରୁଣା ଶାନବାଗ ଘଟଣା

ହୁଏତ ଏହି ଘଟଣା କିଛି ଲୋକ ଜାଣିଥିବେ କିଛି ଲୋକ ଅଜଣା ଥିବେ ମଧ୍ୟ । ଅରୁଣା ଶାନବାଗ ମୁମ୍ବାଇର କିଙ୍ଗ ଏଡୱାର୍ଡ ମେମୋରିଆଲ ହସ୍ପିଟାଲରେ ଜଣେ ନର୍ସ ଭାବରେ କାର୍ଯ୍ୟ କରୁଥିଲେ । ସେହି ଡାକ୍ତରଖାନାର କାର୍ଯ୍ୟ କରୁଥିବା ସୋହନଲାଲ ବାଲ୍ମିକି ନାମକ ଜଣେ ୱାର୍ଡବୟ ଅତି ନିର୍ମମ ଭାବରେ ଦୁଷ୍କର୍ମ କରିଥିଲା । ଘଟଣାରେ ଅଭିଯୁକ୍ତର କ୍ରୁରତାର ସମସ୍ତ ସୀମା ଟପିଥିଲା । ଯାହାଦ୍ଵାରା ଅରୁଣା ଶାନବାଗ ଦୀର୍ଘ ୪୨ ବର୍ଷ ଧରି ଶବ ପରି ବଞ୍ଚିବାକୁ ବାଧ୍ୟ ହୋଇଥିଲେ । କୁହାଯାଇଥିଲା ଯେ ଅଭିଯୁକ୍ତ ଜଣଙ୍କ ଅରୁଣା ଶାନବାଗଙ୍କୁ କୁକୁର ଚେନରେ ବାନ୍ଧି ହତ୍ୟା କରିବାକୁ ଚେଷ୍ଟା କରିଥିଲା। ଯେଉଁଥିପାଇଁ ଅରୁଣା ଶାନବାଗ ୪୨ ବର୍ଷ ଧରି କୋମାରେ ଥିଲେ ।

ଅରୁଣା ଶାନବାଗଙ୍କ ଅବସ୍ଥା ଦେଖି ଅନେକ ଲୋକ ଇଚ୍ଛାମୃତ୍ୟୁ ପାଇଁ କୋର୍ଟରେ ଆବେଦନ କରିଥିଲେ କିନ୍ତୁ କୋର୍ଟ ଏଥିରେ ରାଜି ହୋଇନଥିଲେ ଇଚ୍ଛାମୃତ୍ୟୁ ପାଇଁ ସିଧାସଳଖ ମନା କରିଦେଇଥିଲେ । ୨୦୧୧ରେ ସୁପ୍ରିମକୋର୍ଟ ମଧ୍ୟ ଇଚ୍ଛାମୃତ୍ୟୁ ମାମଲାକୁ ଖାରଜ କରିଦେଇଥିଲେ। ଶେଷରେ ଶାରୀରିକ ଏବଂ ମାନସିକ ଯନ୍ତ୍ରଣା ସୀମା ଟପିବା ପରେ ୨୦୧୫ରେ ଅରୁଣାଙ୍କର ମୃତ୍ୟୁ ହୋଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୁମ୍ବାଇର କିଙ୍ଗ ଏଡୱାର୍ଡ ମେମୋରିଆଲ ହସ୍ପିଟାଲର ନର୍ସ ଅରୁଣା ଶାନବାଗ ଉକ୍ତ ଡାକ୍ତରଖାନାର ଜଣେ ଡାକ୍ତରଙ୍କ ସହ ବିବାହ କରିବାକୁ ଯାଉଥିଲେ, କିନ୍ତୁ ଦୁର୍ଭାଗ୍ୟବଶତ ତାହା ହୋଇପାରିଲା ନାହିଁ। ବିବାହର ଏକ ମାସ ପୂର୍ବରୁ ଅରୁଣାଙ୍କ ସହ ଏହି ଘଟଣା ଘଟିଥିଲା ।

 

 

 

Comments are closed.