Latest Odisha News

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଅପହରଣ ଉଦ୍ୟମ, ବ୍ଲେଡରେ ଆକ୍ରମଣ ସତ୍ତ୍ବେ ଖସିଆସିଲେ

କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଅପହରଣ ଉଦ୍ୟମ ବେଳେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବ୍ଲେଡରେ ଆକ୍ରମଣ ହୋଇଛି।ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅପହରଣର ଶିକାର ଛାତ୍ରୀ ସ୍ଥାନୀୟ ଅଞ୍ଚଳର ମାଛ ବ୍ୟବସାୟୀ ପଦ୍ମନାଭ ସେଠୀଙ୍କ ଝିଅ ସୁମିନି ସେଠୀ (୧୪)।

ମିଳିଥିବା ସୂଚନା ଅନୁଯାୟୀ, ସେ ମନ୍ମଥନାଥ ହାଇସ୍କୁଲରେ ମାଟ୍ରିକ ପରୀକ୍ଷା ଦେଇ ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଏକ କାରରେ ଅପହରଣ କରିବାକୁ ଉଦ୍ୟମ କରିଥିଲେ। ତେବେ ନାବାଳିକା ଜଣକ ସେମାନଙ୍କଠାରୁ ଖସି ଯିବାକୁ ବହୁ ଚେଷ୍ଟା କରିଥିଲେ। ଏହି ସମୟରେ ଗଣ୍ଡଗୋଳ ହୋଇଥିଲା ପରେ ଦୁର୍ବୃତ୍ତମାନେ ଏକ ବ୍ଲେଡରେ ନାବାଳିକାକୁ ଆକ୍ରମଣ କରି ଗୁରୁତର ଆହତ କରିଥିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ଛାତ୍ରୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇୟାଇଥିଲେ। ଗୁରୁତର ଅବସ୍ଥାରେ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ମାଟ୍ରିକ ପରୀକ୍ଷାର୍ଥୀଙ୍କ ଚିକିତ୍ସା କରାଯାଉଛି। ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯୁବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି।

ଏ ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ପଟ୍ଟାମୁଣ୍ଡାଇ ଥାନାରେ ଏତଲା ଦିଆଯାଇଛି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ଅପହରଣର ପ୍ରକୃତ କାରଣ ଜଣାପଡ଼ି ନାହିଁ।

ପୋଲିସ ଏବେ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ ଜବତ କରିଛି। ଯେଉଁଥିରୁ ଜଣାପଡ଼ିଛି, ଅପହରଣକାରୀ ନକଲି ଦାଢି ଲଗାଇଥିଲେ। ୩ ଜଣ ଅପହରଣ କରିବାକୁ କାରରେ ଆସିଥିଲେ। ସାଇକେଲରୁ ଘରକୁ ଫେରିବା ସମୟରେ ତାଙ୍କୁ ବଳପୂର୍ବକ ଭାବେ କାରରେ ବସାଇଥିଲେ। ଏହି ସମୟରେ ତାଙ୍କ ମୁଣ୍ଡ ଜାମିନ ରଖି ଟଙ୍କା ଆଦାୟ କରିବାକୁ ଲକ୍ଷ୍ୟ ରଖିଥିଲେ। ଅପହରଣକାରୀ କାରରେ ଏ ବାବଦରେ କଥା ହେଉଥିବା ପୁଲିସ ଆଗରେ ସୁମିନି କହିଛନ୍ତି।

ତିନି ଜଣ ଦୁର୍ବୃତ ପଟ୍ଟମୁଣ୍ଡାଇର ଗଜାନନ ମାର୍କେଟରେ କାର ବଦଳାଇ ଅନ୍ୟ ଏକ କାରରେ ନେବାକୁ ପ୍ରୟାସ କରିବା ବେଳେ ସୁମିନି ଖସି ଆସିଥିଲା। ଏହି ସମୟରେ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଧାଇଁ ଆସିଥିଲେ। ସୁମିନି ଏପରି କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ବ୍ଲେଡରେ ଆକ୍ରମଣ କରିଥିଲେ। ଏହି ମାମଲାରେ ପଟ୍ଟମୁଣ୍ଡାଇ ଏସଡିପିଓ ସଂଧ୍ୟାରାଣୀ ବେଉରିଆ ନିଜେ ଘଟଣାର ତଦନ୍ତ କରୁଛନ୍ତି।

ଅପହରଣକାରୀ ସ୍ଥାନୀୟ ବସ୍ତି ଅଞ୍ଚଳର ବୋଲି ସନ୍ଦେହ କରାଯାଉଥିବା ବେଳେ ଛାତ୍ରୀଙ୍କ ବାପାଙ୍କ ସହିତ ଅପହରଣକାରୀଙ୍କ ବ୍ୟବସାୟିକ ଏବଂ ବ୍ୟକ୍ତିଗତା ଶତ୍ରୁତା ଦିଗକୁ ମଧ୍ୟ ଏଡାଇ ଦିଆଯାଇନପାରେ।

Comments are closed.