Latest Odisha News

ସମୟ ଗଡିବା ସହିତ ବଢୁଛି ମୃତ୍ୟୁ ସଂଖ୍ୟା, ଜାଣନ୍ତୁ ପ୍ରକୃତି ତାଣ୍ଡବ ରଚିଥିବା ରାଜ୍ୟ ବିଷୟରେ

ନୂଆଦିଲ୍ଲୀ: ଜୁଲାଇ ମାସର ଶେଷ ସୁଦ୍ଧା ଦେଶର ତିନୋଟି ରାଜ୍ୟରେ ପ୍ରକୃତିର ଏପରି ତାଣ୍ଡବ ଲିଳା ଦେଖିବାକୁ ମିଳିଛି ଯାହାର ଯନ୍ତ୍ରଣା ଏବେ ବି ଜାରି ରହିଛି। ଯଦିଓ ମାସ ସରି ନୂତନ ମାସ ଆରମ୍ଭ ହୋଇଛି କିନ୍ତୁ ଲୋକମାନଙ୍କ ଯନ୍ତ୍ରଣା ଏବେବି ପୁରୁଣା ହୋଇ ରହିଛି । ନା କମିଛି ଯନ୍ତ୍ରଣା ନା ଶେଷ ହେଉଛି ମୃତ୍ୟୁର ବିଭିଷୀକା । ଏବେବି ମାଟି ତଳୁ ଖୋଜା ଚାଲିଛି ଜୀବନ । କିଏ ସ୍ଵାମୀକୁ ହରାଇ ପାଗଳି ପାଲଟିଯାଇଛି ତ କୋଉଠି ପୁଅ କୁ ହରାଇ ମା’ ଆଖିରୁ ଲୁହ ଶୁଖିବାର ନାଁ ଧରୁନି । ପ୍ରକୃତିର ଏହି କରାଳ ରୁପରେ ଭାଙ୍ଗିଯାଇଛି ଅନେକଙ୍କ ମେରୁଦଣ୍ଡ ।

ଆମେ କହୁଛୁ କେରଳ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର କଥା । ଏହି ତିନୋଟି ରାଜ୍ୟରେ ଗତ ଏକ ସପ୍ତାହରେ ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଯାହା ଭୁଲିବା କଷ୍ଟକର । କେରଳର ୱାୟନାଡରେ ଭୂସ୍ଖଳନ ଯୋଗୁଁ ୩୬୧ରୁ ଅଧିକଙ୍କ ମୃତ୍ୟୁ ହୋଇଥିବା ବେଳେ ହିମାଚଳ ପ୍ରଦେଶରେ ବାଦଲ ଫାଟିବାରୁ ୯ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୪୫ ଜଣ ଏବେବି ନିଖୋଜ ଅଛନ୍ତି । ଅନ୍ୟପଟେ ଉତ୍ତରାଖଣ୍ଡରେ ବର୍ଷା ଓ ଭୂସ୍ଖଳନ ଯୋଗୁଁ ୧୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦ ରୁ ଅଧିକ ନିଖୋଜ ଅଛନ୍ତି।
ଗତ ଜୁଲାଇ ୩୦ ତାରିଖରେ ୱାୟନାଡରେ ମେପ୍ପାଡି, ମୁଣ୍ଡାକ୍କାଇ ଟାଉନ୍ ଏବଂ ଚୁରଲମାଲାରେ ତିନୋଟି ବଡ଼ ଧରଣର ଭୂସ୍ଖଳନ ଯୋଗୁଁ ସମଗ୍ର ଗାଁ ଧ୍ୱଂସ ହୋଇଯାଇଛି । ଏହି ଘଟଣାରେ ଆଜି ସୁଦ୍ଧା ମୃତ୍ୟୁସଂଖ୍ୟା ୩୫୮ରେ ପହଞ୍ଚିଥିବାବେଳେ ଉଦ୍ଧାରକାରୀ ଦଳ ଏବେବି ଧ୍ଵଂସାବିଶେଷ ତଳୁ ମୃତଦେହ ଉଦ୍ଧାର କରୁଛନ୍ତି । ପ୍ରକୃତିର ଏହି ତାଣ୍ଡବ ଲିଳାରେ ରାଜ୍ୟର ଅଧିକାଂଶ ଅଞ୍ଚଳ ଧ୍ଵଂସ ହୋଇଯାଇଛି ।
ସେହିପରି ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଏବଂ ବାଦଲ ଫାଟିବା କାରଣରୁ ଅନେକ କ୍ଷୟକ୍ଷତି ହୋଇଛି। ଏଠାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୯ ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଉଦ୍ଧାରକାର୍ଯ୍ୟ ଏବେବି ଜାରି ରହିଛି । କେଦାରନାଥରେ ଫସି ରହିଥିବା ପ୍ରାୟ ୩ ହଜାର ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଗତ ବୁଧବାର ରାତିରେ ପ୍ରବଳ ବର୍ଷା ଏବଂ ବାଦଲ ଫାଟିବା କାରଣରୁ ଲିଞ୍ଚୋଲି, ଭୀମବାଲି, ଘୋଡାପଡାଭ ଏବଂ ରାମବାଡା ସମେତ ଅନେକ ସ୍ଥାନରେ ରାଜପଥ ଧୋଇ ହୋଇଯାଇଥିବା ବେଳେ ଅନ୍ୟାନ୍ୟ ସ୍ଥାନରେ ଭୂସ୍ଖଳନ ଓ ବଡ ବଡ ପଥର ଖସିଯିବା କାରଣରୁ ଜାତୀୟ ରାଜପଥ ବନ୍ଦ ରହିଛି ।
ଅନ୍ୟପଟେ ଗତ ଅଗଷ୍ଟ ୧ ତାରିଖରେ ହିମାଚଳ ପ୍ରଦେଶର ଶିମଲା, କୁଲୁ ଏବଂ ମଣ୍ଡିରେ ବାଦଳ ଫଟା ବର୍ଷା ହୋଇଥିଲା । ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ସେହିପରି ୬୦ରୁ ଅଧିକ ଘର ଧୋଇ ହୋଇଯାଇଛି । ଉଦ୍ଧାରକାରୀ ଦଳଙ୍କ ଦ୍ଵାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୧୧୪ଟି ରାସ୍ତା ବନ୍ଦ ରହିଛି । ଆସନ୍ତା ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

Comments are closed.