Latest Odisha News

BREAKING NEWS

ଐତିହ୍ୟ ସୁରକ୍ଷା ଜୋନ୍, ରଘୁନନ୍ଦନ ଲାଇବ୍ରେରୀ ଓ ବାସଗୃହ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ପୁରୀ ବିଶ୍ୱ ଐତିହ୍ୟ ନଗରୀର ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ଖୁବ୍ ଶୀଘ୍ର ଟେଣ୍ଡର କରାଯାଇ କାର୍ଯ୍ୟ ଆରମ୍ଭ କରିବା ପାଇଁ ସରକାର ନିଷ୍ପତି ନେଇଛନ୍ତି । ଅନ୍ୟ ପକ୍ଷରେ ଐତିହ୍ୟ ସୁରକ୍ଷା ଜୋନ୍, ରଘୁନନ୍ଦନ ଲାଇବ୍ରେରୀ ଓ ବାସଗୃହ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ।

ଆଜି ସନ୍ଧ୍ୟାରେ ଲୋକସଭା ଭବନଠାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ପୁରୀ ବିଶ୍ୱ ଐତିହ୍ୟ ନଗରୀ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ଅନୁମୋଦିତ ହୋଇଥିବା ପ୍ରକଳ୍ପ ଗୁଡ଼ିକ ମଧ୍ୟରୁ ପ୍ରଥମ ପ୍ରକଳ୍ପଟି ଐତହ୍ୟ ସୁରକ୍ଷା ଅଂଚଳ ।

ଶ୍ରୀମନ୍ଦିରର ୭୫ ମି. ଅଂଚଳ ମଧ୍ୟରେ ଏହାର ପବିତ୍ର ଭୌଗୋଳିକ ଅବସ୍ଥିତି, ବିଭିନ୍ନ ପ୍ରାଚୀନ ଦେବାଦେବୀ ମୂର୍ତି, ଜଗନ୍ନାଥ ସଂସ୍କୃତି ସହ ସଂଶ୍ଳିଷ୍ଟ ଥିବା ବୃକ୍ଷଲତା, କଳା ସ୍ଥାପତ୍ୟ ଓ ଭୋଗ କ୍ଷେତ୍ରକୁ ଦୃଷ୍ଟିରେ ରଖି ଉକ୍ତ ଅଂଚଳର ପୁନର୍ବିନ୍ୟାସ କରାଯିବ ।

ଏହି କାର୍ଯ୍ୟକ୍ରମର ପରିଚାଳନା କରିବା ପାଇଁ ଏକ ବିଶେଷଜ୍ଞ ପାନେଲ ଗଠନ କରାଯିବ । ମେଘନାଦ ପାଚେରୀଠାରୁ ୭୫ ମି. ଅଂଚଳ ମଧ୍ୟରେ ଚଳାଚଳ ପାଇଁ ୧୫ ମି. ଅଂଚଳ ରାସ୍ତା ସହ ଅବଶିଷ୍ଟ ୬୦ ମି. ଅଂଚଳର ପୁନର୍ବିନ୍ୟାସ କରାଯିବ । ସେହିପରି ଏମ.ଆର ମଠ ଜମିର କିଛି ଅଂଶରେ ରଘୁନନ୍ଦନ ଲାଇବ୍ରେରୀର ପୁନଃ ନିର୍ମାଣ କରାଯିବ । ଏହାକୁ ଜଗନ୍ନାଥ ସଂସ୍କୃତିର ଏକ ଗବେଷଣା କେନ୍ଦ୍ର ଭାବରେ ବିକଶିତ କରାଯିବ । ଏଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ ହେବ ।

ସେହିପରି ବିସ୍ଥାପିତ ପରିବାର ପାଇଁ ମନ୍ଦିରଠାରୁ ଦେଢ଼କିଲୋମିଟର ଅଂଚଳ ମଧ୍ୟରେ ବିଭିନ୍ନ ସ୍ଥାନରେ ୬୦୦ ଗୃହ ନିର୍ମାଣ କରାଯିବ । ପ୍ରତ୍ୟେକ ଘରର ବିଲଟ ଅପ୍ ଏରିଆ ୫୨୦ ବର୍ଗଫୁଟ ହେବ । ଏଥିପାଇଁ ୯୫ କୋଟି ଟଙ୍କା ବିନିଯୋଗ କରାଯିବ ।

ଦ୍ୱିତୀୟ ପର୍ଯ୍ୟାୟରେ ୫୯୫ କୋଟି ଟଙ୍କା ବିନିଯୋଗରେ ଶ୍ରୀ ସେତୁ ପ୍ରକଳ୍ପ, ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମୂଷା ନଦୀର ପୁନଃରୁଦ୍ଧାର, ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ, ଅଠରନଳାର ବିକାଶ ଓ ମଠ ବିକାଶ କାର୍ଯ୍ୟକ୍ରମ ପାଇଁ ନିଷ୍ପତି କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଅବଢ଼ା ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୨୬୫ କୋଟି ଟଙ୍କା ବିନିଯୋଗରେ ବିଭିନ୍ନ ପ୍ରକଳ୍ପ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ସେହି ସବୁ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା ।

ଏହି ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, ପୂର୍ତ ସଚିବ କିଶନ କୁମାରଙ୍କ ସହିତ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.