Latest Odisha News

BREAKING NEWS

କଂଗ୍ରେସ କ୍ଷମତାକୁ ଆସିଲେ କୃଷକଙ୍କ ଋଣ ଛାଡ କରାଯିବ: ଭୁପେଶ ବାଘେଲ

ଛତିଶଗଡ: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ସୋମବାର ଘୋଷଣା କରିଛନ୍ତି ଯେ, ଯଦି ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସେ ତେବେ କୃଷକଙ୍କ ଋଣ ଛାଡ କରାଯିବ । ମୁଖ୍ୟମନ୍ତ୍ରୀ ବାଘେଲ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (ପୂର୍ବରୁ ଟ୍ୱିଟର) ରେ ପୋଷ୍ଟ କରି କହିଛନ୍ତି, ପୂର୍ବ ପରି କଂଗ୍ରେସ କ୍ଷମତାକୁ ଆସିବା ମାତ୍ରେ ଏଥର ମଧ୍ୟ ଆମେ କୃଷକଙ୍କ ଋଣ ଛାଡ କରିବୁ ।

ରାଜ୍ୟରେ କଂଗ୍ରେସ ଦଳର ନେତାମାନେ କହିଛନ୍ତି ଯେ, ଶକ୍ତି ଜିଲ୍ଲା ଅଧୀନରେ ଥିବା ବିଧାନସଭା ନିର୍ବାଚନମଣ୍ଡଳୀ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ବେଳେ ମୁଖ୍ୟମନ୍ତ୍ରୀ ବାଘେଲ ଏକ ବୈଠକରେ ଏହି ଘୋଷଣା କରିଛନ୍ତି । ଦଳ ବିଧାନସଭା ବାଚସ୍ପତି ଚରଣଦାସ ମହନ୍ତଙ୍କୁ ଶକ୍ତି ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଛି ।

ଏହି ବୈଠକରେ ବିଜେପି ଉପରେ ବର୍ଷିଛନ୍ତି ସିଏମ ବାଘେଲ । କହିଛନ୍ତି, ‘ଭାରତୀୟ ଜନତା ପାର୍ଟି କୃଷକ, ଶ୍ରମିକ, ଯୁବକ ଓ ମହିଳାଙ୍କ ପାଇଁ ଏପର୍ଯ୍ୟନ୍ତ କୌଣସି ଘୋଷଣା କରିନାହିଁ । ରାହୁଲ ଗାନ୍ଧୀ ଆସି ଏକ ଜନଗଣନା ହେବ ବୋଲି ଘୋଷଣା କରିଥିଲେ । ପ୍ରିୟଙ୍କା ଜୀ କହିଥିଲେଯେ, ଗରିବ ଲୋକଙ୍କୁ ଘର ଦିଆଯିବ । ଆମେ କହିଛୁ ଯେ, କେନ୍ଦ୍ର ସରକାର ଆମକୁ ଆମର ପ୍ରାପ୍ୟ ଦଉକି ନଦେଉ ଛତିଶଗଡ ସରକାର ଗରିବ ଲୋକଙ୍କ ପାଇଁ ଘର ନିର୍ମାଣ କରିବ’ ।

ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି । ରାଜ୍ୟରେ ୨୦୧୮ ନିର୍ବାଚନ ପୂର୍ବରୁ ମଧ୍ୟ ସରକାର ଗଠନ ହେବା ମାତ୍ରେ କଂଗ୍ରେସ ଋଣ ଛାଡ କରିବାକୁ ପ୍ରତିଶୃତି ଦେଇଥିଲା । କୁହାଯାଏଯେ, କଂଗ୍ରେସର ଏହି ଘୋଷଣା ପରେ ହିଁ ଦଳକୁ କୃଷକଙ୍କ ସମର୍ଥନ ମିଳିଥିଲା ଏବଂ ୧୫ ବର୍ଷ ପରେ ଦଳ ରାଜ୍ୟରେ କ୍ଷମତାକୁ ଫେରିଛି ।

ରାଜ୍ୟ ସରକାରଙ୍କ ଅନୁଯାୟୀ, ରାଜ୍ୟରେ ୧୮.୮୨ ଲକ୍ଷ କୃଷକଙ୍କ ଉପରେ ୯୨୭୦ କୋଟି ଟଙ୍କା ମୂଲ୍ୟର କୃଷି ଋଣ ଛାଡ କରାଯାଇଛି । ଏଥିସହିତ ରାଜ୍ୟର ୧୭ ଲକ୍ଷ ଚାଷୀଙ୍କ ଉପରେ ବର୍ଷ ବର୍ଷ ଧରି ୩୪୪ କୋଟି ଟଙ୍କା ଜଳସେଚନ ଟିକସ ମଧ୍ୟ ଛାଡ କରାଯାଇଛି । ନଭେମ୍ବର ୭ ଏବଂ ୧୭ରେ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ମତଦାନ ଅନୁଷ୍ଠିତ ହେବ । ରାଜ୍ୟର ଦୁଇ ବଡ ରାଜନୈତିକ ଦଳ କଂଗ୍ରେସ ଏବଂ ବିଜେପି ଏପର୍ଯ୍ୟନ୍ତ ନିଜର ଘୋଷଣା ପତ୍ର ଜାରି କରିନାହାଁନ୍ତି ।

Leave A Reply

Your email address will not be published.