Latest Odisha News

BREAKING NEWS

‘ମିଜୋରାମରେ ଆଶ୍ରୟ ନେଇଥିବା ୩୧୦୦୦ ମିଆଁମାର ଶରଣାର୍ଥୀଙ୍କୁ ସହଯୋଗ କରିବେ ସରକାର’

ଆଇଜଲ: ମିଆଁମାରରୁ ଆସିଥିବା ଶରଣାର୍ଥୀ ଏବଂ ମଣିପୁରର ଆଭ୍ୟନ୍ତରୀଣ ବିସ୍ଥାପିତ ଲୋକଙ୍କୁ ସହାୟତା କରିବେ ମିଜୋରାମ ସରକାର । କେନ୍ଦ୍ରୀୟ ସହାୟତା ମାଧ୍ୟମରେ ସମସ୍ତଙ୍କୁ ସାହାଯ୍ୟ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ଲାଲଦୁହୋମା ଏହି ସୂଚନା ଦେଇଛନ୍ତି ।

ମିଆଁମାରରୁ ଆସିଥିବା ଶରଣାର୍ଥୀଙ୍କ ସମସ୍ୟା ଦୀର୍ଘ ଦିନ ଧରି ଏକ ଆଲୋଚନାର ପ୍ରସଙ୍ଗ ହୋଇ ରହିଛି। ମିଜୋରାମ ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ମିଆଁମାର ନାଗରିକମାନଙ୍କୁ କେନ୍ଦ୍ର ଶରଣାର୍ଥୀ ମାନ୍ୟତା ଦେଇପାରିବ ନାହିଁ, ମାତ୍ର ସେମାନଙ୍କୁ ରିଲିଫ ଯୋଗାଇବାରେ ସାହାଯ୍ୟ କରିବାକୁ ପ୍ରସ୍ତୁତ। ହିଂସା ଯୋଗୁ ନିଜ ଘର ଛାଡିଥିବା ମଣିପୁରବାସୀଙ୍କୁ ମଧ୍ୟ କେନ୍ଦ୍ର ସରକାର ପ୍ରଦାନ କରିଥିବା ସହାୟତା ଯୋଗାଇ ଦିଆଯିବ । ଗତ ବର୍ଷ ମେ’ ମାସରେ ମଣିପୁରରେ ହିଂସା ଆରମ୍ଭ ହୋଇଥିଲା। ମଝିରେ ମଝିରେ କିଛି ସ୍ଥାନରେ ହିଂସାକାଣ୍ଡ ମଧ୍ୟ ଘଟୁଛି ।
ଅଧିକାରୀଙ୍କ ସୂଚନା ଅନୁସାରେ, ଫେବୃଆରୀ ୨୦୨୧ରୁ ମିଆଁମାରର ଚିନ୍ ସମ୍ପ୍ରଦାୟର ୩୧୦୦୦ରୁ ଅଧିକ ଲୋକ ମିଜୋରାମରେ ଆଶ୍ରୟ ନେଇଛନ୍ତି। ମଣିପୁରରେ ହିଂସା ପରଠାରୁ ପ୍ରାୟ ୯୦୦୦ଲୋକ ମିଆଁମାରରେ ଆଶ୍ରୟ ନେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ପଡୋଶୀ ଦେଶରେ ସ୍ୱାଭାବିକତା ନଆସିବା ପର୍ଯ୍ୟନ୍ତ ମିଆଁମାର ନାଗରିକଙ୍କୁ ନିର୍ବାସିତ କରାଯିବ ନାହିଁ ।ଏଥିସହ ଭାରତ-ମିଆଁମାର ସୀମାର ଏକ ଅଂଶକୁ ବାଡ଼ ଘେରଇ ଆବଦ୍ଧ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ମଧ୍ୟ କେନ୍ଦ୍ର ବାତିଲ କରିବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମିଆଁମାରରେ ୩୦୦କିଲୋମିଟର ଅସୁରକ୍ଷିତ ସୀମାରେ ବାଡ ଲଗାଇ ଆବଦ୍ଧ କରିବା ସହ ଅବାଧ ପ୍ରବେଶ ରୋକିବାକୁ ଯୋଜନା କରିଥିଲେ କେନ୍ଦ୍ର ସରକାର । ନିୟମ ଅନୁସାରେ ଅନ୍ତର୍ଜାତୀୟ ସୀମାର ଉଭୟ ପାର୍ଶ୍ୱରେ ରହୁଥିବା ଲୋକଙ୍କୁ ଭିସା ବିନା ୧୬କିଲୋମିଟର ଯିବାଆସିବା ପାଇଁ ଅନୁମତି ଦିଆଯାଇଛି । ବାଡ ଦ୍ୱାରା ଆବଦ୍ଧ କରାଗଲେ ଏପରି ଯିବାଆସିବା କରିବା କଷ୍ଟକର ହୋଇପଡିବ।

Leave A Reply

Your email address will not be published.