Latest Odisha News

BREAKING NEWS

ନବରଙ୍ଗପୁରରେ ୩୫ ଜଣଙ୍କୁ ନାଗରିକତା ପ୍ରମାଣପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ୩୫ ଜଣଙ୍କୁ ନାଗରିକତା ପ୍ରମାଣପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ସେ କହିଛନ୍ତି ଯେ ଆମ ପଡ଼ୋଶୀ ରାଷ୍ଟ୍ରମାନଙ୍କରେ ଧାର୍ମିକ ନିର୍ଯ୍ୟାତନାର ଶିକାର ହେଉଥିବା ସଂଖ୍ୟାଲଘୁ ମାନଙ୍କ ପାଇଁ ନାଗରିକତା (ସଂଶୋଧନ) ଆଇନ ୨୦୧୯ ହେଉଛି ପବିତ୍ର ଗଙ୍ଗା ପରି।

ସୂଚନାଯୋଗ୍ୟ ଯେ, ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ମାଧ୍ୟମରେ ନାଗରିକତା ସଂଶୋଧନ ଆଇନ ୨୦୧୯ ଅଧୀନରେ ଯୋଗ୍ୟ ଆବେଦନକାରୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୦୨୪ ମାର୍ଚ୍ଚ ୧୧ରେ ବିଜ୍ଞାପିତ ହୋଇଥିବା ନିୟମାବଳୀ ଅନୁଯାୟୀ ବା°ଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରୁ ୨୦୧୪ ଡିସେମ୍ବର ୩୧ ମଧ୍ୟରେ ଭାରତକୁ ପ୍ରବେଶ କରିଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତିମାନେ ଭାରତୀୟ ନାଗରିକତା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ପ୍ରକ୍ରିୟାରେ ଆବେଦନ କରିଥିବା ଆବେଦନକାରୀଙ୍କ ମଧ୍ୟରୁ ଆଜି ନବରଙ୍ଗପୁର ଜିଲ୍ଲାର ୩୫ ଜଣ ଆବେଦକଙ୍କୁ ନାଗରିକତା ପ୍ରମାଣପତ୍ର ମୁଖ୍ୟମନ୍ତ୍ରୀ ପ୍ରଦାନ କରିଛନ୍ତି।

ଭୁବନେଶ୍ୱର କୃଷି ଭବନ ପ୍ରେକ୍ଷାଳୟରେ ଓଡ଼ିଶାର ଜନଗଣନା ନିର୍ଦ୍ଦେଶାଳୟ ଏବଂ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ନାଗରିକତା ଗ୍ରହଣ କରିଥିବା ବ୍ୟକ୍ତିମାନଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣମାନେ ଏବେ ଆମ ଭବିଷ୍ୟତର ଅଂଶବିଶେଷ । ଆପଣମାନଙ୍କ ସୁରକ୍ଷା, ସମ୍ମାନ ଓ ଉନ୍ନତି ଆମର ଦାୟିତ୍ୱ ଏବଂ କର୍ତ୍ତବ୍ୟ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ନାଗରିକତା ପ୍ରମାଣପତ୍ର ପ୍ରଦାନ ମାଧ୍ୟମରେ ଭାରତ ବର୍ଷର ସଦା ପରମ୍ପରାଗତ କରୁଣା, ମାନବତା ଓ ଆଶ୍ରୟଦାନର ମୂଲ୍ୟବୋଧ ପୁଣି ଥରେ ଉଜ୍ଜିବୀତ ହୋଇଛି। ଏହି ଆଇନର ଯଥାର୍ଥତା ବିଷୟରେ ମତ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅନ୍ୟ ଯେ କୌଣସି ଧର୍ମର ବ୍ୟକ୍ତି କୌଣସି ଦେଶରେ ନିର୍ଯ୍ୟାତିତ ହେଲେ ତାଙ୍କୁ ଆଶ୍ରୟ ଦେବା ପାଇଁ ପୃଥିବୀରେ ଅନେକ ଦେଶ ରହିଛି। କିନ୍ତୁ ଅନ୍ୟ କୌଣସି ଦେଶରେ ହିନ୍ଦୁମାନେ ନିର୍ଯ୍ୟାତିତ ହେଲେ, ତାଙ୍କୁ ଆଶ୍ରୟ ଦେବା ପାଇଁ ଭାରତ ବ୍ୟତୀତ ଅନ୍ୟ କୌଣସି ଦେଶ ନାହିଁ। ଆଇନ ଆଖିରେ ସମସ୍ତେ ସମାନ। ସିଟିଜେନସିପ ଆମେଣ୍ଡମେଣ୍ଟ ଆକ୍ଟ ଏହି ସିଦ୍ଧାନ୍ତର ଏକ ସଫଳ ରୂପାୟନ।

କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ଯେ, ବା°ଲାଦେଶ ଓ ପାକିସ୍ତାନରେ ନିର୍ଯାତିତ ହେଉଥିବା ନାଗରିକମାନେ ମୂଳତଃ ଭାରତର ଅଧିବାସୀ ହୁଏତ ସେମାନଙ୍କ ପୂର୍ବ ପୁରୁଷ ଭାରତର ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିବେ। ଏହି ସଂଖ୍ୟାଲଘୁମାନଙ୍କ ନିର୍ଯ୍ୟାତନାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ CAA ଆଇନ ସଂଶୋଧନର ପରିକଳ୍ପନା କରିଥିଲେ । ନୂଆକରି ନାଗରିକତା ପାଇଥିବା ନବରଙ୍ଗପୁର ଜିଲ୍ଲାର ବାସିନ୍ଦାଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ, ଆପଣମାନଙ୍କୁ ନାଗରିକତା ପ୍ରମାଣପତ୍ର ମିଳିଲା । ଭାରତର ନାଗରିକ ଭାବେ ସମସ୍ତ ସୁବିଧା ସୁଯୋଗ ପାଇବେ, ଭୂମିହୀନଙ୍କୁ ଭୂମି ପ୍ରଦାନ କରାଯିବ ଏବଂ ଆବଶ୍ୟକସ୍ଥଳେ ଜାତି ପ୍ରମାଣପତ୍ର ମଧ୍ୟ ଯୋଗାଇ ଦିଆଯିବ।

Leave A Reply

Your email address will not be published.