Latest Odisha News

ରାଜ୍ୟ ଦୁର୍ନୀତି ନିବାରଣ ବିଭାଗକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି

ଭୁବନେଶ୍ବର: ରାଜ୍ୟ ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ।

ଏହି ଅବସରରେ ସେ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ଦୁର୍ନୀତି ନିବାରଣ ପାଇଁ କେବଳ ଏକ ପ୍ରତିକାତ୍ମକ କାର୍ଯ୍ୟକ୍ରମ ନୁହେଁ। ଏହା ଦୁର୍ନୀତିଖୋର୍ ଅଧିକାରୀଙ୍କୁ ଏବଂ ଦୁର୍ନୀତିରେ ଲିପ୍ତ ସିଷ୍ଟମକୁ ଦୁର୍ନୀତି ପ୍ରତି ଆମ ସରକାର ଶୂନ୍ୟ ସହନଶୀଳ କଠୋର ବାର୍ତ୍ତା ଦେବା ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ।

ଦୁର୍ନୀତି ରୋକିବା ପାଇଁ ଅନେକ ଆଧୁନିକ ଟେକ୍ନୋଲୋଜିର ଉପଯୋଗ କରାଯାଇଛି । ହ୍ୟୁମାନ ଇଣ୍ଟରଫରେନ୍ସକୁ ଦୂର କରି ଜନଧନ, ଆଧାର ଏବଂ ମୋବାଇଲର ଏକତ୍ରିକରଣରେ JAM ବ୍ୟବସ୍ଥା ହିତାଧିକାରୀଙ୍କ ପାଇଁ କାର୍ଯ୍ୟକାରୀ କରାଯାଇଛି। ଏହି ବ୍ୟବସ୍ଥାରେ ବାଟମାରଣାର ପ୍ରଶ୍ନ ହିଁ ନାହିଁ।

ରାଜ୍ୟ ଦୁର୍ନୀତି ନିବାରଣ ବିଭାଗକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୂର୍ବ ବ୍ୟବସ୍ଥାକୁ ପରିବର୍ତ୍ତନ କରି ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଛୋଟରୁ ବଡ ସମସ୍ତ ଦୁର୍ନୀତି ଗ୍ରସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦେଶର ଅଗ୍ରଣୀ ଦୁର୍ନୀତି ବିରୋଧୀ ସଂସ୍ଥା ଭାବେ ସୁନାମ ଅର୍ଜନ କରିଛି। ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପର୍ଯ୍ୟନ୍ତ କାହାରିକୁ ଛଡାଯାଇନାହିଁ। ଏସବୁ ସମ୍ଭବ ହୋଇଛି ଭିଜିଲାନ୍‌ସ ଅଧିକାରୀ ମାନଙ୍କୁ ସ୍ୱାଧୀନ ଭାବେ କାର୍ଯ୍ୟ କରିବାର ଅଧିକାର ପ୍ରଦାନ ଯୋଗୁ। ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ଦଣ୍ଡ ବିଧାନ ହାର ମଧ୍ୟ ୫୦ ପ୍ରତିଶତରୁ ଅଧିକ ରହିଛି। ଦୁର୍ନୀତି ନିବାରଣ ବିଭାଗ ଆଜିର ଦିନରେ କାହାକୁ କ୍ଷମା କରିବ ନାହିଁ ଏବଂ କାହାକୁ ଛାଡିବ ନାହିଁ।

ସେ ଆହୁରି କହିଥିଲେ ଶୂନ୍ୟ ସହନଶୀଳ ନୀତିର ଅଂଶ ଭାବରେ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ୩୦ ଜଣ ସରକାରୀ କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି ଓ ୬୮ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍‌ସନ୍‌ ବନ୍ଦ କରଯାଇଛି। ବିଭିନ୍ନ ସରକାରୀ ବିଭାଗରେ Preventive Vigilance ବା ପ୍ରତିରୋଧକ ସତର୍କତା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସେ କହିଥିଲେ। ଏହାଦ୍ୱାରା ଦୁର୍ନୀତି ହେଉଥିବା ସ୍ଥାନ ଓ ଦୁର୍ନୀତି ଗ୍ରସ୍ତଙ୍କୁ ଚିହ୍ନଟ କରାଯାଇ ଶାସନ ବ୍ୟବସ୍ଥାକୁ ଆହୁରି ସ୍ୱଚ୍ଛ ଓ ପାରଦର୍ଶୀ କରାଯାଇପାରିବ ।

ଗତ ୧୬ ମାସ ମଧ୍ୟରେ ଦୁର୍ନୀତି ନିବାରଣ ବିଭାଗକୁ ଅଧିକ ଦକ୍ଷ, ଲୋକାଭିମୁଖୀ ଓ ସୁଦୃଢ କରିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଭାଗକୁ ଅଧିକ ଦକ୍ଷ କରିବା ପାଇଁ ଯାହା ଯାହା ଆବଶ୍ୟକ ସବୁ ଯୋଗାଇ ଦିଆଯିବ । ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କୁ ଲୋଭ ଓ ଦୁର୍ନୀତିରୁ ଦୂରେଇ ରହିବା ପାଇଁ ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସଚ୍ଚୋଟତା ଓ ସାଧୁତାର ଶପଥ ପାଠ କରାଇଥିଲେ । ଶ୍ରେଷ୍ଠ ଦୁର୍ନୀତି ନିବାରଣ ଡିଭିଜନ ଭାବେ କଟକ ଡିଭିଜନ, ଶ୍ରେଷ୍ଠ ୟୁନିଟ୍ ଭାବେ ସୁବର୍ଣ୍ଣପୁର ୟୁନିଟ୍, ଶ୍ରେଷ୍ଠ ତଦନ୍ତକାରୀ ପୁରୁଷ ଅଧିକାରୀ ଭାବେ ମନୋରଞ୍ଜନ ପାଇକରାୟ, ଶ୍ରେଷ୍ଠ ତଦନ୍ତକାରୀ ମହିଳା ଅଧିକାରୀ ଭାବେ ପ୍ରଣୀତା ରାୟ ଏବଂ ଶ୍ରେଷ୍ଠ ପବ୍ଲିକ ପ୍ରୋସିକ୍ୟୁଟର ଭାବେ ବ୍ରହ୍ମପୁରର ସୁରେନ୍ଦ୍ର ପଣ୍ଡାଙ୍କୁ ପୁରସ୍କୃତ କରିଥିଲେ ।

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କର ମୂଳ ଲକ୍ଷ୍ୟ ରହିଛି, ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା। ଏଥିପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗକୁ ସୁଦୃଢ କରିବା ପାଇଁ ଗୁରୁତ୍ୱ ଦେଉଛନ୍ତି ।

ଦୁର୍ନୀତି ନିବାରଣ ବିଭାଗର ମହାନିର୍ଦ୍ଦେଶକ ଯଶୱନ୍ତ କୁମାର ଜେଠୱା କହିଥିଲେ ଯେ, ଚଳିତ ବର୍ଷ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରରେ ପାଳନ କରାଯାଉଛି । ଏଥିପାଇଁ ସବୁ ବିଭାଗର ସହଯୋଗରେ ବ୍ୟାପକ ସଚେତନତା ମୂଳକ କାର୍ଯ୍ୟକ୍ରମ ରାଜ୍ୟବ୍ୟାପୀ ଆୟୋଜନ କରାଯାଉଛି । ସେ କହିଥିଲେ ଚଳିତ ବର୍ଷ ସଚେତନତା ସପ୍ତାହର ବିଷୟବସ୍ତୁ ହେଉଛି ଦୁର୍ନୀତି ନିବାରଣ: ଆମ ସାମୁହିକ ଦାୟିତ୍ୱ ।

ଦୁର୍ନୀତି ନିବାରଣ ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ଅସୀତ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ଅଧିକାରୀ, କର୍ମଚାରୀ ଓ  ଅବସରପ୍ରାପ୍ତ ଅଧିକାରୀ ଉପସ୍ଥିତ ଥିଲେ ।

 

Comments are closed.