ବ୍ରହ୍ମପୁର: ବ୍ରହ୍ମପୁରରେ ଖୁବ୍ ଶୀଘ୍ର ଏକ ଜନ ଅଭିଯୋଗ ଶୁଣାଣି କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଏନେଇ ଘୋଷଣା କରିଛନ୍ତି।
ଆପଣଙ୍କ ଦାବି ଏବଂ ସମସ୍ୟା ଶୁଣିବା ପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ବ୍ରହ୍ମପୁର ଗସ୍ତ କରିବ। ଗଞ୍ଜାମ ଜିଲ୍ଲାର ଭୀମପୁର ସରକାରୀ ହାଇସ୍କୁଲର ଶତବାର୍ଷିକୀ ସମାରୋହରେ ସେ ଏଭଳି କହିଛନ୍ତି।
୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ଦିଗରେ ଶିକ୍ଷାର ମହତ୍ବପୂର୍ଣ୍ଣ ଭୂମିକା ରହିବ। ତେଣୁ ଉଭୟ ପ୍ରାଥମିକ ଓ ଉଚ୍ଚଶିକ୍ଷାକୁ ସୁଦୃଢ କରିବା ପାଇଁ ଆମ ସରକାର ବଦ୍ଧପରିକର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ଆମେ ପ୍ରାକ୍-ପ୍ରାଥମିକ ଶ୍ରେଣୀ ଶିକ୍ଷା ବା ଶିଶୁବାଟିକା ଆରମ୍ଭ କରିଛୁ । ନୂତନ ଜାତୀୟ ଶିକ୍ଷାନୀତି ଆଧାରରେ ଓଡିଶାରେ ମଧ୍ୟ ନିପୁଣ ଓଡିଶା ମିଶନ ଆରମ୍ଭ କରାଯାଇଛି। ଏଥିରେ ଛାତ୍ରଛାତ୍ରୀ ମାନଙ୍କ ମୌଳିକ ସ୍ବାକ୍ଷରତା ଓ ସଂଖ୍ୟାଜ୍ଞାନ ବୃଦ୍ଧି ପାଇଁ ବ୍ୟବସ୍ଥା କରାଯାଇଛି । ନିପୁଣ ଓଡିଶା କାର୍ଯ୍ୟକ୍ରମ ଜରିଆରେ ଆମର ଛାତ୍ରଛାତ୍ରୀମାନେ ନିଶ୍ଚିତଭାବେ ମୌଳିକ ଜ୍ଞାନ ହାସଲ କରି ଉଚ୍ଚଶିକ୍ଷାରେ ସଫଳ ହେବେ।
ଆଦିବାସୀ ପିଲାଙ୍କ ଭିତରେ ଡ୍ରପଆଉଟ ହାର କମାଇବା ପାଇଁ ମାଧୋସିଂ ହାତଖର୍ଚ୍ଚ ଯୋଜନା ଆରମ୍ଭ କରାଯାଇଛି। ଚଳିତବର୍ଷ ବଜେଟରେ ପ୍ରାଥମିକ ଶିକ୍ଷା ପାଇଁ ରେକର୍ଡ ୩୧ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ପିଲାଙ୍କୁ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ପୁଷ୍ଟିକର ଖାଦ୍ୟ ମଧ୍ୟାହ୍ନ ଭୋଜନରେ ଯୋଗାଇ ଦିଆଯାଉଛି । ଆଗାମୀ ଦିନରେ ଏହିସବୁ ପଦକ୍ଷେପ ଗୁଡିକ ରାଜ୍ୟରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବ ସେ କହିଥିଲେ।
Comments are closed.