Latest Odisha News

BREAKING NEWS

ଦ୍ରୌପଦି ମୁର୍ମୁଙ୍କୁ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା; ସବୁ ବିଧାୟକଙ୍କୁ ଆହ୍ୱାନ କଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜେଡି ସଭାପତି ରାଷ୍ଟ୍ରପତି ନିର୍ବାଚନ ପାଇଁ ଦ୍ରୌପଦି ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଛନ୍ତି । ନବୀନ ଏନେଇ ବୁଧବାର ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ନବୀନ ତାଙ୍କ ଟ୍ୱିଟରେ ଓଡ଼ିଶା ବିଧାନସଭାର ସମସ୍ତ ବିଧାୟକଙ୍କୁ ଦ୍ରୌପଦିଙ୍କୁ ସମର୍ଥନ କରିବାକୁ ଆହ୍ୱାନ କରିଛନ୍ତି ।

ନବୀନ ଲେଖିଛନ୍ତି ଯେ- “ଓଡ଼ିଶା ବିଧାନସଭାର ସମସ୍ତ ସଦସ୍ୟଙ୍କୁ ଆହ୍ୱାନ କରୁଛି ଯେ ଦଳଗତ ନିର୍ବିଶେଷରେ ଦ୍ରୌପଦିଙ୍କୁ ଭୋଟ୍ କରି ଦେଶର ସର୍ବୋଚ୍ଚ ପଦବୀ ପାଇଁ ନିର୍ବାଚିତ କରିବା ।”

ପୂର୍ବରୁ ଆକଳନ କରାଯାଉଥିଲା ଯେ, ବିଜେଡି ଏନଡିଏକୁ ସମର୍ଥନ ଦେବ । ଏହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ବିରୋଧୀଙ୍କ ବୈଠକକୁ ବିଜେଡି ନଯିବା ଏକ ଆଭାସ୍ ଦେଉଥିଲା । ତେବେ ତା ଆଗରୁ ବିଭିନ୍ନ ଗଣମାଧ୍ୟମରେ ଏହାକୁ ନେଇ ଚର୍ଚ୍ଚା ହେଉଥିଲା ।

ଏନଡିଏ ନିକଟରେ ୪୮ ପ୍ରତିଶତ ଭୋଟ୍ ରହୁଥିବାରୁ ନିର୍ଣ୍ଣାୟକ ମୋଡରେ ରହୁଥିଲା ବିଜେଡି ଏବଂ ଆନ୍ଧ୍ରରେ ଶାସନ କରୁଥିବା ଜଗନ ମୋହନଙ୍କ ୱାଇଏସଆରସିପି । ତେଣୁ ଓଡ଼ିଶାରୁ କାହାକୁ ପ୍ରାର୍ଥୀ କରାଯିବାକୁ ନେଇ ଆକଳନ କରିବାକୁ ସହଜ ହେଉଥିଲା ।

ଏଥିସହ ଗତ ଥର ବିଜେପି ନିର୍ବାଚନ ଆଗରୁ ଦେଶରେ ଏକ ଦଳିତ କାର୍ଡ ଖେଳି ରାମନାଥ କୋବିନ୍ଦଙ୍କୁ କରିଥିଲା ରାଷ୍ଟ୍ରପତି ପ୍ରାର୍ଥୀ । ଚଳିତ ଥର ଦେଶରେ ଆଦିବାସୀ ଏବଂ ମହିଳା କାର୍ଡ ଖେଳିବାର ଆବଶ୍ୟକତାକୁ ନରେନ୍ଦ୍ର ମୋଦି ଭଲରେ ବୁଝିଥିବା ସ୍ପଷ୍ଟ ହୋଇଛି ।

ଅନ୍ୟପଟେ ଦ୍ରୌପଦିଙ୍କ ନାମ ଘୋଷଣା ପରେ ନବୀନଙ୍କ ଟ୍ୱିଟ୍ ଆହୁରି ଆଲୋଚନାର ସୁଯୋଗ ତିଆରି କରିଥିଲା । ଦ୍ରୌପଦିଙ୍କ ନାମକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀନଙ୍କ ସହ ଆଲୋଚନା କରିଥିବା ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଥିଲେ । ଏହା ସ୍ପଷ୍ଟ କରିଥିଲା ଯେ, ନବୀନଙ୍କ ୨.୮୫ ଶତକଡ଼ାର ଭୋଟର ଓଜନ ଭାରି ରହିଛି ।

Leave A Reply

Your email address will not be published.