Latest Odisha News

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଘର ମରାମତି ପାଇଁ ମିଳିବ ସହାୟତା

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଏଣିକି ଘର ମରାମତି ପାଇଁ ସହାୟତା ଦେବେ ସରକାର । ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବିଜୁ ପକ୍କାଘର, ନିର୍ମାଣ ଶ୍ରମିକ ପକ୍କା ଘର ଓ ଖଣି ଅଞ୍ଚଳ ପକ୍କା ଘର ଯୋଜନାରେ ଘର ପାଇଥିବା ଲୋକଙ୍କୁ ଘର ମରାମତି ପାଇଁ ୩ ହଜାର ଟଙ୍କା ମିଳିବ । କେନ୍ଦ୍ରୀୟ ଯୋଜନାରେ ଘର ଖଣ୍ଡିଏ ବଞ୍ଚିତ ହୋଇ ଅସୁବିଧାରେ ଥିବା ପରିବାରକୁ ଘର ମରାମତି ପାଇଁ ୫ ହଜାର ଟଙ୍କା ଦିଆଯିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଘର ହେଉଛି ଗୋଟିଏ ପରିବାରର ପରିଚୟ । ଭଲ ଘରଟିଏ ସମସ୍ତଙ୍କ ସ୍ୱପ୍ନ । ଓଡ଼ିଶା ଉପରେ ସବୁବେଳେ ବାତ୍ୟା, ବନ୍ୟାର ଭୟ ରହୁଛି । ପ୍ରତିବର୍ଷ ଆମେ ବାତ୍ୟାର ସାମ୍ନା କରୁଛୁ । ତେଣୁ ଆଶ୍ରୟ ସୁରକ୍ଷା ସବୁ ସୁରକ୍ଷାର ଆଧାର । ସବୁ ପରିବାରର ମୁଣ୍ଡ ଉପରେ ଛାତ ଥିଲା ବିଜୁବାବୁଙ୍କ ସ୍ୱପ୍ନ । ସେହି ସ୍ୱପ୍ନକୁ ସାକାର କରିବା ପାଇଁ ଆମେ ବିଜୁ ପକ୍କାଘର ଯୋଜନା ଆରମ୍ଭ କରିଛୁ । ସବୁ କଚ୍ଚା ଘରକୁ ପକ୍କା ଘର କରିବା ପାଇଁ ୨୦୧୪ର ଶେଷ କ୍ୟାବିନେଟରେ ନିଷ୍ପତ୍ତି ନେଇଥିଲୁ ।

ଗ୍ରାମାଞ୍ଚଳରେ ଘର ତିଆରିରେ ଓଡ଼ିଶା ସାରା ଦେଶରେ ଏକ ଆଗୁଆ ରାଜ୍ୟ । ୨୦୧୪ରୁ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ଗୃହ ନିର୍ମାଣ ପାଇଁ ୨୨ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ଗାଁର ଗରିବ ଲୋକଙ୍କୁ ପକ୍କା ଘର ଖଣ୍ଡିଏ ଦେବା ପାଇଁ ନିଜ ପାଣ୍ଠିରୁ ବିଜୁ ପକ୍କାଘର, ଶ୍ରମିକ ନିର୍ମାଣ ସହ ଖଣି ଅଞ୍ଚଳ ପକ୍କାଘର ଯୋଜନା କରିଛନ୍ତି । ତାସହ କେନ୍ଦ୍ରର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରହିଛି । କେନ୍ଦ୍ର ଗୃହ ନିର୍ମାଣ ଯୋଜନା ପାଇଁ ରାଜ୍ୟ ସରକାର ମଧ୍ୟ ପାଖାପାଖି ଅଧା ଖର୍ଚ୍ଚ ବହନ କରୁଛନ୍ତି । କେନ୍ଦ୍ର ଯୋଜନାରେ ଘର ଖଣ୍ଡିଏ ପାଇବାକୁ ଅନେକ ପରିବାର ଅନେକ ଦିନ ହେଲା ଅପେକ୍ଷା କରିଛନ୍ତି । ଦୁଃଖର କଥା ଆଦିବାସୀ ଓ ପଶ୍ଚିମ ଓଡ଼ିଶାର ଜିଲ୍ଲାର ଲୋକ ପ୍ରଭାବିତ ହୋଇଛନ୍ତି । ଏନେଇ ମୁଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି ।

କୋଭିଡ୍ ଯୋଗୁଁ ଆମର ଗରିବ ଲୋକମାନେ ବହୁତ କଷ୍ଟରେ ଅଛନ୍ତି । ଘରର ଛୋଟ ଛୋଟ ମରାମତି ଏପରିକି ଘରେ ଚୂନ ଦେବାରେ ଅସୁବିଧା ହେଉଛି । ଏଥିପାଇଁ ଆଜି ରାଜ୍ୟ କ୍ୟାବିନେଟ ଐତିହାସିକ ନିଷ୍ପତ୍ତି ନେଇଛି । ଏଭଳି ନିଷ୍ପତ୍ତି ନେବାରେ ସାରା ଦେଶରେ ଓଡ଼ିଶା ପ୍ରଥମ ।

ବିଜୁ ପକ୍କାଘର, ନିର୍ମାଣ ଶ୍ରମିକ ପକ୍କାଘର ଓ ଖଣି ଅଞ୍ଚଳ ପକ୍କାଘର ଯୋଜନାରେ ଘର ପାଇଥିବା ଲୋକଙ୍କୁ ଘର ମରାମତି ପାଇଁ ୩ ହଜାର ଟଙ୍କା ମିଳିବ । ସେହିପରି କେନ୍ଦ୍ରୀୟ ଯୋଜନାରେ ଘର ଖଣ୍ଡିଏ ପାଇଁ ବଞ୍ଚିତ ହୋଇ ଅସୁବିଧାରେ ଥିବା ପରିବାରକୁ ଘର ମରାମତି ପାଇଁ ୫ ହଜାର ଟଙ୍କା ଲେଖାଏଁ ଦିଆଯିବ । ଉଭୟ ସହାୟତା ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ । ଯେଉଁଥିରେ ୩୦ ଲକ୍ଷ ପରିବାର ଉପକୃତ ହେବେ । ଏଥିପାଇଁ ୧୪ ଶହ ୪୪ କୋଟି ଟଙ୍କା ଖର୍ଚ୍ଚ ହେବ । ବିଜୁ ପକ୍କାଘର ଯୋଜନାରୁ ଏହି ଟଙ୍କା ଖର୍ଚ୍ଚ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.