Latest Odisha News

BREAKING NEWS

କମ୍ ସଂକ୍ରମଣ ଥିବା ଜିଲ୍ଲାରେ ହୋଇପାରେ ଅନଲକ୍

ଭୁବନେଶ୍ବର : ରାଜ୍ୟର କୋଭିଡ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କୋଭିଡ ସଂକ୍ରମଣରେ ଉନ୍ନତି ପରିଲକ୍ଷିତ ହେବା ସହିତ ପଜିଟିଭିଟି ହାର ହ୍ରାସ ପାଇଥିବାରୁ ଆଶ୍ବସ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଆଗାମୀ କିଛି ସପ୍ତାହ ମଧ୍ୟରେ ପରିସ୍ଥିତିରେ ଆହୁରି ଉନ୍ନତି ଆସିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । କେତେକ ଜିଲ୍ଲାରେ ପଜିଟିଭିଟ୍‌ ରେଟ୍‌ ଅଧିକ ଥିବାରୁ, ସେଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ରାଜ୍ୟରେ ଜାରି ରହିଥିବା ଡୋର୍ ଟୁ ଡୋର୍ ସର୍ଭେ କାର୍ଯ୍ୟ ସଂପର୍କରେ ସଚେତନତା ସାଙ୍ଗକୁ ଲକ୍ଷଣଯୁକ୍ତ ରୋଗୀଙ୍କ ଚିକିତ୍ସା ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପରିସ୍ଥିତିରେ ଉନ୍ନତି ଆସିଥିଲେ ମଧ୍ୟ ଦ୍ବିତୀୟ ଲହର ପ୍ରଭାବରୁ ଆମେ ଏବେ ମଧ୍ୟ ସଂପୂର୍ଣ୍ଣ ମୁକ୍ତ ହୋଇନାହୁଁ । ତାସହିତ ବିଭିନ୍ନ ପର୍ବପର୍ବାଣୀ ଆସୁଥିବାରୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଏଥିପାଇଁ କୋଭିଡ ନିୟମାବଳୀକୁ ଆହୁରି କଡାକଡି ଭାବରେ ପାଳନ କରିବା ପାଇଁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି କୋଭିଡ ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ସଂପର୍କରେ ବିଶେଷଜ୍ଞମାନେ ମତ ଦେଉଥିବାରୁ, ଏବେଠାରୁ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପିଲାମାନଙ୍କ ପାଇଁ ସ୍ବତନ୍ତ୍ର କୋଭିଡ ଚିକିତ୍ସା ସୁବିଧା ସହ ଆବଶ୍ୟକ ଉପକରଣ ଏବଂ ଔଷଧ ମହଜୁଦ ରଖିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତାସାଙ୍ଗକୁ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଶିଶୁ ରୋଗ ସଂପର୍କରେ ତାଲିମ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ରାଜ୍ୟରେ ଦୈନିକ ଟିକାକରଣ ଦେଢ଼ ଲକ୍ଷ ଥିବା ବେଳେ, ଏହାକୁ ୩ ଲକ୍ଷକୁ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ବ୍ଲାକ୍ ଫଙ୍ଗସ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ଆବଶ୍ୟକ ଔଷଧ ମହଜୁଦ ରଖିବା ସାଙ୍ଗକୁ ଆବଶ୍ୟକ ସ୍ଥଳେ ଜରୁରୀ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଛନ୍ତି । ସେହିପରି ରାଜ୍ୟରେ ଅକ୍ସିଜେନ୍ ଯୋଗାଣ ସନ୍ତୋଷଜନକ ଥିବା ବେଳେ, ସିଲିଣ୍ଡର ଉପଲବ୍ଧତାରେ ଉନ୍ନତି ଘଟିଛି ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ, ବର୍ତ୍ତମାନ ରାଜ୍ୟରେ ଲକ୍‌ଡାଉନ ଜାରି ରହିଛି । କିନ୍ତୁ ଯେଉଁ ଜିଲ୍ଲା ଗୁଡିକରେ ସଂକ୍ରମଣ ହାର କମୁଛି, ସେଠାରେ ପର୍ଯ୍ୟାୟକ୍ରମେ ଅନ୍‌-ଲକ୍‌ ପ୍ରକ୍ରିୟା ଆରମ୍ଭ କରିବା ବିଷୟ ସରକାର ବିଚାର କରୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.