Latest Odisha News

BREAKING NEWS

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ଼ ଯୋଜନାରେ ସାମିଲ ହେଲା କେନ୍ଦୁଝର ଜିଲ୍ଲା

କେନ୍ଦୁଝର: କେନ୍ଦୁଝରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ଜରିଆରେ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହାଦ୍ୱାରା ଜିଲ୍ଲାରେ ମୋଟ୍ ୪ଲକ୍ଷ ୨୦ହଜାର ପରିବାର ପାଇବେ ସ୍ମାର୍ଟ କାର୍ଡ଼ର ସୁବିଧା । କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲା ପାଇଁ ୧୪୩୩କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଲେ, ଓଡ଼ିଶାର ବିକାଶରେ କେଉଁଝରର ଅବଦାନ ଗୁରୁତ୍ୱପୂର୍ଣ୍ଣ । କେନ୍ଦୁଝରକୁ ସମୃଦ୍ଧ ଜିଲ୍ଲାଭାବେ ଗଢ଼ିବା ଆମ ଲକ୍ଷ୍ୟ । ଖୁସିର କଥା, ଶିଶୁ ଦିବସରେ ୫ଟି ଟ୍ରାନ୍ସଫର୍ମେସନ କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାରୁ ୧୦୦ଟି ସ୍କୁଲ ଲୋକାର୍ପିତ ହେଲା । ସାରା ରାଜ୍ୟରେ ଏକ ରେକର୍ଡ଼ ବୋଲି ସେ କହିଥିଲେ । ଏଥିପାଇଁ କାମ କରିଥିବା ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।

ଏହି ଅବସରରେ ସେ ପିଇବା ପାଣି ଉପରେ ଗୁରୁତ୍ୱ ଦେଇଛନ୍ତି । କେନ୍ଦୁଝରର ସବୁ ଗାଁ, ସହର ଓ ପରିବାରକୁ ଡ଼ିସେମ୍ବର ୨୦୨୨ ସୁଦ୍ଧା ପାଇପ ପାଣି ସଂଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଜନଜାତି ଭାଇ,ଭଉଣୀମାନଙ୍କ ରୋଜଗାର ବୃଦ୍ଧି ଉପରେ ସ୍ପେଶାଲ ଫୋକସ୍ ରହିଛି । ଏଥିପାଇଁ ରାଜ୍ୟ ସରକାର ୩୬କୋଟି ଟଙ୍କାରେ ବୃହତ କୁକୁଡ଼ା ପାଳନ ପ୍ରକଳ୍ପ ଆରମ୍ଭ କରାଯିବ ବୋଲି ସେ କହିଥିଲେ । ଏହାଦ୍ୱାରା ୩୦ହଜାର ଜନଜାତି ଭାଇଭଉଣୀ ଉପକୃତ ହେବେ ।

ମୁଖ୍ୟମନ୍ତ୍ରୀ କହିଲେ, ସ୍ମାର୍ଟ ହେଲଥ କାର୍ଡ଼ ଦ୍ୱାରା ରାଜ୍ୟର ୯୬ଲକ୍ଷ ପରିବାରର ସାଢ଼େ ତିନି କୋଟି ଲୋକ ଉପକୃତ ହେବେ । ଲୋକମାନେ ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ିଲେ ଚିକିତ୍ସା ପାଇଁ ଜମିବାଡ଼ି ବିକିବାକୁ ପଡ଼ିବ ନାହିଁ । ପିଲାଙ୍କ ପାଠପଢ଼ା ବନ୍ଦ କରିବାକୁ ପଡ଼ିବ ନାହିଁ । ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ଼ ଧରି ଦେଶର ୨୦୦ବଡ଼ ବଡ଼ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏହାସହ ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର, କେନ୍ଦୁଝର ପାଟଣା ବିଧାୟକ ଜଗନ୍ନାଥ ନାୟକ ଯୋଗଦେଇ ଓଡ଼ିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସାରା ଦେଶରେ ଓଡ଼ିଶାର ମର୍ଯ୍ୟାଦା ବୃଦ୍ଧି କରିଛି ବୋଲି କହିଥିଲେ ।

Leave A Reply

Your email address will not be published.