Latest Odisha News

‘ବୀର ସୁରେନ୍ଦ୍ର ସାଏ’ଙ୍କ ନାମରେ ‘ଝାରସୁଗୁଡ଼ା ଏୟାରପୋର୍ଟ’କୁ ନାମିତ କରିବାକୁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଝାରସୁଗୁଡ଼ା ଏୟାରପୋର୍ଟ’ର ନାମକରଣ ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାକୁ କେନ୍ଦ୍ରକୁ ଏକ ପତ୍ର ଦ୍ୱାରା ଅନୁରୋଧ କରିଛନ୍ତି । ସେ ମଧ୍ୟ ତାଙ୍କ ପତ୍ରରେ ପଶ୍ଚିମ ଓଡ଼ିଶାର ଏହି ସହରରେ ଏକ ବାଣିଜ୍ୟିକ ବିମାନ ବନ୍ଦର ପ୍ରତିଷ୍ଠା କରିବାକୁ ଉଲ୍ଲେଖ କରିଛନ୍ତି ।

“ଆପଣ ଅବଗତ ଥିବେ ଯେ, ଝାରସୁଗୁଡ଼ା ଓଡ଼ିଶାର ଏକ ଶିଳ୍ପ ଓ ଖଣିଜ ଭିତ୍ତିକ ଅଞ୍ଚଳରେ ରହିଛି । ସମଗ୍ର ପଶ୍ଚିମ ଓଡିଶାରେ ଏହି ସହରର ଗୁରୁତ୍ୱ ବୃଦ୍ଧି ହେଉଥିବା ପରିପ୍ରେକ୍ଷୀରେ ଝାରସୁଗୁଡ଼ାକୁ ମଧ୍ୟ ବାଣିଜ୍ୟିକ ବିମାନ ଚଳାଚଳର ସୁବ୍ୟବସ୍ଥା କରିବାକୁ ମୁଁ ବିନମ୍ର ଅନୁରୋଧ କରୁଛି” । ମୁଖ୍ୟମନ୍ତ୍ରୀ ତାଙ୍କର ପତ୍ରରେ ଏହା ଉଲ୍ଲେଖ କରିଛନ୍ତି ।

ଭୁବନେଶ୍ୱରରୁ ଦିଲ୍ଲୀଗାମୀ ଏୟାର ଇଣ୍ଡିଆର ଯେକୌଣସି ଗୋଟିଏ ବିମାନ ଝାରସୁଗୁଡ଼ା ବିମାନ ବନ୍ଦର ଦେଇ ଯିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଏନେଇ ଦେଇଥିବା ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଏହାଛଡ଼ା ଏହି ପତ୍ରରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ପ୍ରସିଦ୍ଧ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଏହି ଅଞ୍ଚଳର ସ୍ୱାଧିନତା ସଂଗ୍ରାମୀ ତେଣୁ ରାଜ୍ୟ ସରକାର ତାଙ୍କରି ନାମରେ ଝାରସୁଗୁଡ଼ା ବିମାନ ବନ୍ଦରକୁ ନାମିତ କରିବାକୁ ଅନୁରୋଧ କରିଛନ୍ତି । “ମୁଁ ଭାରତ ସରକାରଙ୍କୁ ଅନୁରୋଧ କରୁଛି, ଝାରସୁଗୁଡ଼ା ଏୟାରପୋର୍ଟର ନାମକରଣ ‘ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର’ କରାଯାଉ ।” ଏହା ହେଲେ ଏହି ମାଟିର ବୀର ପୁତ୍ରଙ୍କ ପ୍ରତି ଏହା ଏକ ମହାନ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଝାରସୁଗୁଡ଼ା ବିମାନ ବନ୍ଦର ଉଦଘାଟନ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକାର୍ପିତ କରୁଛନ୍ତି, ଏହି ଅବସରରେ ତାଙ୍କୁ ନିମନ୍ତ୍ରଣ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଏହି ପତ୍ର ମାଧ୍ୟମରେ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଗତ ଜୁନ ମାସରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଏହି ଏୟାରପୋର୍ଟକୁ ପ୍ରସିଦ୍ଧ ସ୍ୱାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାକୁ ଏକ ପତ୍ରମାଧ୍ୟମରେ ଉଲ୍ଲେଖ କରିଥିଲେ ।

ତେବେ ଜୁଲାଇ ମାସରେ ଏହି ପତ୍ରର ଉତ୍ତରରେ କେନ୍ଦ୍ର ଘରୋଇ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି ନାମକରଣ ବିଷୟରେ ଉଲ୍ଲେଖ କରି କହିଥିଲେ ରାଜ୍ୟ ବିଧାନସଭାରେ ଏନେଇ ବିନା ପ୍ରସ୍ତାବ ଆଗତରେ ନାମକରଣ ହୋଇପାରିବ ନାହିଁ ।

ସୂଚନାଯୋଗ୍ୟ, ମେ ୪ ତାରିଖ ଦିନ ଘରୋଇ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ଝାରସୁଗୁଡ଼ା ବିମାନ ବନ୍ଦରକୁ ଲାଇସେନ୍ସ ପ୍ରଦାନ କରିଥିଲେ । ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀକ ବିମାନ ବନ୍ଦର ପରେ ଏହା ଓଡ଼ିଶାର ଦ୍ୱିତୀୟ ବିମାନ ବନ୍ଦର ହେବାକୁ ଯାଉଛି ।

Leave A Reply

Your email address will not be published.