ପୁରୀ: ଗତ ମେ ମାସ ୧୨ ତାରିଖ ଦିନ ପୁରୀ ଜିଲ୍ଲା ପିପିଲି ବ୍ଲକ ଅନ୍ତର୍ଗତ ସାଁପୁର ଗ୍ରାମର ଲକ୍ଷ୍ମୀଧର ପ୍ରଧାନଙ୍କ ଗୁହାଳ ଘରେ ଥିବା ଏକ ଭାଡ଼ି ତଳ ଗାତ ଭିତରେ ଏକ ନାଗ ସାପ ପଶିଯାଇଥିଲା। ଲକ୍ଷ୍ମୀଧର ସ୍ନେକ୍ ହେଲ୍ପ ଲାଇନକୁ ଜଣାଇବା ପରେ ଖବର ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚିଥିଲେ।
ଗୁହାଳ ଘର ଭାଡ଼ିରେ ଥିବା ସବୁ ଜିନିଷ ବାହାର କରିବା ପରେ ସାପଟି ଯେଉଁ ଗାତରେ ପଶିଥିଲା ସେଇଟି ଦେଖିବାକୁ ପାଇଥିଲେ ସୁଶାନ୍ତ। କୋଦାଳ ନେଇ ଖୋଳିବା ବେଳେ ପ୍ରଥମେ କିଛି ଧଳା ରଙ୍ଗର ଅଣ୍ଡା ଲାଗି ଲାଗି ଥିବାର ଦେଖା ଯାଇଥିଲା । ଅଣ୍ଡା ଦେଖିବା ଦେଖିବା ପରେ ସେଇ ଗାତକୁ ଅତି ଧୀରେ ଧୀରେ ଖୋଳିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁଶାନ୍ତ। ପ୍ରଥମେ ସେଇ ଅଣ୍ଡା ଗୁଡ଼ିକ ଉଦ୍ଧାର କରି ଏକ କାଗଜ ପେଟି ଭିତରେ ରଖିଥିଲେ।
ଏହାପରେ ଗୁହାଳ ଚଟାଣକୁ ପ୍ରାୟ ୧୫ ମିନିଟ ଖୋଳିବା ପରେ ଗାତ ଭିତରେ ନାଗୁଣୀ ଦେଖା ଯାଇଥିଲା । ସୁଶାନ୍ତ ୪ ଫୁଟ ଲମ୍ବର ନାଗୁଣୀ କୁ ଗାତ ଭିତରୁ ଉଦ୍ଧାର କରି ବ୍ୟାଗ୍ ରେ ଭର୍ତ୍ତି କରି ଦେଇଥିଲେ । ବନ ବିଭାଗର ପରାମର୍ଶ ଅନୁଯାୟୀ ନାଗୁଣୀକୁ ସେହି ଦିନ ହିଁ ଅନ୍ୟତ୍ର ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଥିଲା। ଉଦ୍ଧାର ହୋଇଥିବା ୧୩ଟି ଅଣ୍ଡାକୁ କୃତ୍ରିମ ଉପାୟରେ ଫୁଟେଇବା ପାଇଁ ରଖାଯାଇଥିଲା ବେଳେ ଆଜି ସବୁ ଅଣ୍ଡାରୁ ଛୁଆ ଫୁଟି ଥିବା ଦେଖା ଯାଇଥିଲା । ପରେ ନାଗ ଛୁଆ ମାନଙ୍କୁ ନେଇ ପାଣି ଥିବା ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଛି ।
ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି “ଏବେ ଓଡ଼ିଶାର ସବୁ ଆଡ଼େ ନାଗ ସାପ ଅଣ୍ଡା ଫୁଟିବା ଆରମ୍ଭ ହେଇ ଗଲାଣି। ବର୍ଷା ଦିନେ ଲୋକଙ୍କ ବାଡ଼ି ବଗିଚାରେ ଅନାବନା ଘାସ ସବୁ ବଢ଼ି ଯାଇଥାଏ। ତୁରନ୍ତ ନିଜର ବାଡ଼ି ବଗିଚା ସଫା ସଫି କରି ଦିଅନ୍ତୁ । ନହେଲେ ଯଦି କାହା ବାଡ଼ି ବଗିଚାରେ ସାପ ଅଣ୍ଡା ଦେଇଥିବେ ଏକାଥରକେ ଅନେକ ଛୁଆ ବୁଲିବେ ସେଇ ବାଡ଼ିରେ। ସେଠି ଲୋକଙ୍କ ଜୀବନ ପ୍ରତି ବିପଦ ବଢ଼ି ଯିବ।
ବଡ ନାଗ/ତମ୍ପ ସାପ ବାଡ଼ିରେ ବୁଲିଲେ ଲୋକଙ୍କ ଆଖିରେ ପଡ଼ିବେ, କିନ୍ତୁ ଫୁଟେ ଲମ୍ବର ଛୁଆ ବଡ଼ ବଡ ଘାସ ମଧ୍ୟରେ ସହଜରେ ଲୋକଙ୍କ ଆଖିରେ ଧରା ପଡ଼ିବେ ନାହିଁ । ଖାଲି ସେତିକି ନୁହେଁ ସାପ ଛୁଆ ମାନେ କବାଟ ତଳେ ଗଳି ଯାଇ ଘର ଭିତରେ ମଧ୍ୟ ପଶି ଯିବାର ସମ୍ଭାବନା ଅଛି। ସେଥିପାଇଁ କବାଟ ତଳେ ଫାଙ୍କ ବନ୍ଦ କରିବା ସହିତ, ରୋଷେଇ ଘର, ଗାଧୁଆ ଘର ଆଦିରେ ପାଣି ଯିବା ପାଇଁ ଥିବା ଡ୍ରେନ ମୁହଁରେ ଯଦି ଜାଲି ଭାଙ୍ଗି ଯାଇଥିବ ବା ଢିଲା ହୋଇ ଯାଇଥିବ ତେବେ ସେଗୁଡିକରେ ନୂଆ ଜାଲି ଲଗେଇ ଦିଅନ୍ତୁ। ବାହାରୁ ଡ୍ରେନ ପାଇପ୍ ଭିତରେ ପଶି ସେଇ ଭଙ୍ଗା ଜାଲି ବାଟ ଦେଇ ହିଁ ଅଧିକାଂଶ ସମୟରେ ସାପ ଘରେ ପଶି ଥାଆନ୍ତି ବୋଲି ଶୁଭେନ୍ଦୁ ମଲ୍ଲିକ ସତର୍କ କରେଇ ଦେଇଛନ୍ତି ।
Comments are closed.