Latest Odisha News

BREAKING NEWS

ଏମ୍‌ଏସ୍‌ଏମ୍‌ଇ ଓ ଶିଳ୍ପ ବିଭାଗ ତରଫରୁ କରୋନା ସତର୍କତା ନିମନ୍ତେ ଜରୁରୀ ବୈଠକ

ଭୁବନେଶ୍ୱର: ଆଜି ଅପରାହ୍ନରେ ଖାରବେଳ ଭବନସ୍ଥିତ ଶିଳ୍ପ ବିଭାଗ ସମ୍ମିଳନୀ କକ୍ଷଠାରେ ଏମ୍‌ଏସ୍‌ଏମ୍‌ଇ ଓ ଶିଳ୍ପ ସହ ଜଡ଼ିତ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନର ପ୍ରତିନିଧି ଓ କର୍ମକର୍ତ୍ତାଙ୍କୁ ନେଇ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏମ୍‌ଏସ୍‌ଏମ୍‌ଇ ଓ ଶିଳ୍ପ ବିଭାଗ ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ରାଜ୍ୟର ବହୁ ଅଗ୍ରଣୀ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ତଥା ଭାରୀ ଶିଳ୍ପ ଅନୁଷ୍ଠାନଗୁଡ଼ିକର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

ବୈଠକରେ କରୋନାର ଭୟାବହତା ସମ୍ପର୍କରେ ଆଲୋଚନା କରାଯାଇ ଏ ଦିଗରେ ସତର୍କ ଏବଂ ସଜାଗ ରହିବା ହିଁ ସର୍ବୋତ୍ତମ ପ୍ରତିଷେଧ ବୋଲି ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡଃ ବି.କେ. ମହାପାତ୍ର କହିଥିଲେ । ତେବେ ଶିଳ୍ପାନୁଷ୍ଠାନଗୁଡ଼ିକରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ନିଜ ସ୍ତରରେ ସଚେତନ କରିବା, ସରକାରୀ ଭାବେ ଦିଆଯାଉଥିବା ନିର୍ଦ୍ଦେଶାବଳୀର ପାଳନ କରିବା ଆଦିକୁ ଗୁରୁତ୍ୱ ଦେବାକୁ କୁହାଯାଇଥିଲା । ସରକାର ଆଜିଠାରୁ ମାର୍ଚ୍ଚ ୩୧ ତାରିଖ ଯାଏଁ ସ୍କୁଲ, କଲେଜ, ସିନେମା ହଲ୍‌, ସୁଇମିଂପୁଲ୍‌, ବ୍ୟାୟାମଶାଳା ପ୍ରଭୃତିକୁ ବନ୍ଦ କରି ଦେଇଛନ୍ତି ।

ଏଥିସହିତ ସରକାରୀ ସ୍ତରରେ ଆୟୋଜନ କରାଯାଉଥିବା ସଭା, ସମିତି ଉପରେ ମଧ୍ୟ ସାମୟିକ ଭାବେ ରୋକ ଲଗାଯାଇଛି । ଏଥିପ୍ରତି ସଚେତନତା ହିଁ ରୋଗକୁ ପ୍ରତିରୋଧ କରି ପାରିବ ବୋଲି ବୈଠକରେ ସମସ୍ତଙ୍କୁ ଅବଗତ କରାଯାଇଥିଲା । ତେବେ କରୋନା ପ୍ରତି ଅନାବଶ୍ୟକ ଭୟଭୀତ ନ ହେବା ପାଇଁ କୁହାଯାଇଛି । ତା’ଛଡ଼ା ଏ ନେଇ ହେଉଥିବା ଗୁଜବ୍‌ ପ୍ରତି କର୍ଣ୍ଣପାତ ନ କରିବାକୁ ସଚିବ ପରାମର୍ଶ ଦେଇଥିଲେ । ସେ ଏମ୍‌ଏସ୍‌ଏମ୍‌ଇ ବିଭାଗ ତରଫରୁ ଅତିରିକ୍ତ ସଚିବ ଉଦୟ ନାରାୟଣ ଦାସ, ଶିଳ୍ପ ବିଭାଗ ଯୁଗ୍ମ ସଚିବ ଶୁଭେନ୍ଦ୍ର କୁମାର ନାୟକ ଓ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡଃ ବି.କେ. ମହାପାତ୍ରଙ୍କୁ ନୋଡାଲ ଅଧିକାରୀ ଭାବେ ଅଧିକୃତ କରାଯାଇଥିବା ଘୋଷଣା କରିଥିଲେ । ଏମାନେ କିପରି ଭାବେ ଶିଳ୍ପ
ସଂସ୍ଥାଗୁଡ଼ିକରେ କରୋନା ନିର୍ଦ୍ଦେଶାବଳୀ ପ୍ରଚାର ପ୍ରସାର ହୋଇପାରିବ ତାହା ଦେଖିବା ସହିତ ସମସ୍ତ ଖବର ଅନ୍ତର ପ୍ରତି ଦୃଷ୍ଟି ରଖିବେ । ତା’ଛଡ଼ା ପରବର୍ତ୍ତୀ ସମୟରେ ଏ ସମ୍ପର୍କରେ ଯାହାବି ସରକାରୀ ନିର୍ଦ୍ଦେଶନାମା ଆସିବ ତାକୁ ଜିଲ୍ଲା ଶିଳ୍ପ ଅଧିକାରୀମାନଙ୍କ ଜରିଆରେ ଜଣାଇ ଦିଆଯିବ ବୋଲି ସଚିବ କହିଥିଲେ ।

Leave A Reply

Your email address will not be published.