ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପୋଡାମାରି କଲେଜ ସମ୍ମୁଖରେ ଗୁରୁବାର ଦିନ ଯୁକ୍ତ ଦୁଇର ଜଣେ ଛାତ୍ରୀଙ୍କୁ ଜଣେ ଯୁବକ ଆକ୍ରମଣ କରିଥିବା ସୂଚନା ମିଳିଛି। ଯାହାଫଳରେ ଛାତ୍ରୀ ଜଣକ ଗୁରୁତର ଆହତ ହୋଇ ପଡିଛନ୍ତି।
ତେବେ ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ଏବଂ ଭୟର ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ତୁରନ୍ତ ନ୍ୟାୟ ସହ ଛାତ୍ରଛାତ୍ରୀ ମାନଙ୍କ ଦୃଢ଼ ସୁରକ୍ଷା ବ୍ୟବସ୍ଥା ଦାବି କରୁଛନ୍ତି।
ସୂଚନା ଅନୁଯାୟୀ, କଲେଜ ପରିସରରୁ ବାହାରକୁ ଯାଉଥିବା ସମୟରେ ଜଣେ ଯୁବକ ଝିଅଟି ପାଖକୁ ଆସି ଏକ ଧାରୁଆ ଅସ୍ତ୍ର ରେ ଅନେକ ଥର ଆଘାତ କରିଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ଯାହାପରେ ଛାତ୍ର ଏବଂ ପଥଚାରୀମାନେ ତାଙ୍କୁ ସାହାଯ୍ୟ କରିବାକୁ ଦୌଡ଼ିବାରୁ ଆକ୍ରମଣକାରୀ ଘଟଣାସ୍ଥଳରୁ ତୁରନ୍ତ ପଳାଇ ଯାଇଥିଲେ। ଆହତ ଛାତ୍ରୀଙ୍କୁ ଚିକିତ୍ସା ପାଇଁ ତୁରନ୍ତ ପୋଡାମାରି ଚିକିତ୍ସା କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଦିଗପହଣ୍ଡିର ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ଶରୀରରେ ଗଭୀର କ୍ଷତ ଲାଗିଥିବା ଡାକ୍ତର ମାନେ ସୂଚନା ଦେଇଛନ୍ତି।
ଅପରପକ୍ଷରେ ଘଟଣା ପରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଥିଲେ। ଆକ୍ରମଣକାରୀଙ୍କର କୌଣସି ବ୍ୟକ୍ତିଗତ ଉଦ୍ଦେଶ୍ୟ ଥାଇପାରେ ବୋଲି କୁହା ଯାଉଛି।ତେବେ ଅଭିଯୁକ୍ତଙ୍କୁ ଖୋଜିବା ଏବଂ ଗିରଫ କରିବା ପାଇଁ ପ୍ରୟାସ ଜାରି ରହିଥିବା ନେଇ ପୋଲିସ କହିଛି।