Latest Odisha News

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଅଟୋ ଓ ବାଇକ ମଧ୍ୟରେ ଧକ୍କା, ଜଣେ ମୃତ ଓ ୧୩ ଆହତ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମା’ ମଝିଘରିଆଣୀ ମନ୍ଦିର, ପିତମୋହଲ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଠାରେ ଅଟୋ ଓ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ଜଣେ ମୃତ ଓ ୧୩ ଆହତ ହୋଇଥିବା ସୂଚନା ରହିଛି। ମୃତକଙ୍କ ନାଁ ଗଣେଶ ପିଡ଼ିକା ହୋଇଥିବା ବେଳେ ତାଙ୍କ ଘର ରାୟଗଡ଼ାରେ ବେହେରାଗୁଡ଼ା ବୋଲି ଜଣାପଡିଛି।

ସୂଚନା ଅନୁସାରେ ଅଟୋଟି ଆନ୍ଧ୍ର ପ୍ରଦେଶ ଆଡୁ ରାୟଗଡ଼ା ସହର ଅଭିମୁଖେ ଆସୁଥିବା ବେଳେ ବାଇକଟି ଆନ୍ଧ୍ର ଆଡ଼କୁ ଯାଉଥିଲା। ଏହି ସମୟରେ ଅଟୋ ଓ ବାଇକ ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣା ଘଟିଛି। ଦ୍ରୁତ ଗତି ଯୋଗୁଁ ଏହି ଦୁର୍ଘଟଣା ଘଟିଛି ନା ଆଉ କୌଣସି କାରଣ ହୋଇଛି, ତାହା ଜଣାପଡ଼ିନି।

ଅନ୍ୟପଟେ ଗଣେଶ ପିଡ଼ିକା ବାଇକ ଚଲାଉଥିଲେ। ତାଙ୍କ ସହିତ ବାଇକ୍‌ରେ ଆଉ ଦୁଇଜଣ ଥିଲେ। ତେବେ ଏହି ଦୁର୍ଘଟଣାରେ ବାଇକ ଚାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ବାଇକରେ ଯାଉଥିବା ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ଘର ରାୟଗଡ଼ାର ଗୁର୍କା ସାହିରେ ବୋଲି ଜଣାପଡିଛି।

ସେହିପରି ଅଟୋରେ ଥିବା ୧୧ ଜଣ ଆହତ ହୋଇଛନ୍ତି। ସେମାନେ ସମସ୍ତେ ଆନ୍ଧ୍ର ପ୍ରଦେଶ-ଓଡ଼ିଶା ସୀମାନ୍ତ ଅଞ୍ଚଳ ଅତଡ଼ା, ସେଶଖାଲ ଓ କାଞ୍ଚକବାଲାଶାର। ସମସ୍ତ ଆହତଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣା ସମ୍ପର୍କରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.