Latest Odisha News

BREAKING NEWS

ସଂଧ୍ୟା ହେଲେ ରାଜଧାନୀରେ ଆସର ଜମାଇବା ମନା, ଆରମ୍ଭ ହେଲା କମିଶନରେଟ ପୋଲିସର ‘ସେଫ୍ ସିଟି’ ଡ୍ରାଇଭ୍

ଭୁବନେଶ୍ୱର: ରାତି ହେଲେ ରାଜଧାନୀରେ ବଢୁଛି ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ । ଏପରି ଅଭିଯୋଗର ସମାଧାନ ପାଇଁ ତତ୍ପର ହୋଇ ଉଠିଛି କମିଶନରେଟ ପୋଲିସ । ଆଉ ଆରମ୍ଭ କରିଛି ସେଫ୍ ସିଟି ଡ୍ରାଇଭ୍ । ଅସାମାଜିକ ବ୍ୟକ୍ତି, ମଦୁଆ, ଦ୍ରୁତ ଗତିରେ ଗାଡି ଚଳାଉଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିବାକୁ ଗଠନ ହୋଇଛି ଟିମ୍‌-ସିକ୍‌ଷ୍ଟି ।

ଏହି ଟିମ୍‌-ସିକ୍‌ଷ୍ଟିରେ ବରିଷ୍ଠ ଅଧିକାରୀ ରହିଛନ୍ତି । ଯେଉଁଥିରେ ୨୫ଟି ବାଇକ୍‌ରେ ପାଟ୍ରୋଲିଂ କରିଛନ୍ତି ୫୦ ଜଣ ପୁଲିସ କର୍ମଚାରୀ । ବିଭିନ୍ନ ଛକ ଗୁଡିକରେ ଏହି ପୋଲିସ ଟିମ୍ ଗାଡି ଧରି ପଇଁତରା ମାରୁଛନ୍ତି । ଯେଉଁଠି ଖଟି କିମ୍ବା ଆଡା ଜମିଥିବା ଦେଖୁଛନ୍ତି ସେଠାରେ ପହଁଚି ଲୋକଙ୍କୁ ଘର ଯିବାକୁ ପରାମର୍ଶ ଦେଉଛନ୍ତି ଏବଂ ନୂଆ ନିୟମ ବାବଦରେ ବୁଝାଉଛନ୍ତି ।

ଶୁକ୍ରବାର ପ୍ରାଥମିକ ପର୍ଯ୍ୟାୟରେ ଅପରାଧୀ ଦମନ ପାଇଁ ରାଜଧାନୀର ପ୍ରମୁଖ ଛକ ଯେପରିକି ରବିଟକିଜ୍‌, କଟକ ରୋଡ, ରସୁଲଗଡ଼, ମଂଚେଶ୍ୱର, ନାଲକୋ ଛକ, ବୁଦ୍ଧ ପାର୍କ, ଜୟଦେବ ବିହାର, ହାଉସିଂ ବୋର୍ଡ, ମାଷ୍ଟରକ୍ୟାଂଟିନ୍‌, ଶିଶୁଭବନ, ଫାୟାର ଷ୍ଟେସନ୍‌, ପୋଖରୀପୁଟ, ଖଣ୍ଡଗିରିରେ ପାଟ୍ରୋଲିଂ ହୋଇଛି । କେବଳ ଛକ ମାନଙ୍କର ନୁହେଁ ବିଭିନ୍ନ ଛକ ଏବଂ ଗଳିରେ ମଧ୍ୟ ପାଟ୍ରୋଲିଂ ହୋଇଛି । ଯେଉଁସ୍ଥାନରେ ନିଶାଡିଙ୍କ ଆସର ଜମେ ସେହି ସ୍ଥାନକୁ ଯାଇ ପୋଲିସ ତନ୍ନ ତନ୍ନ କରି ଯାଂଚ କରିଛି । ଏପରି ବ୍ୟବସ୍ଥା କରି ରାଜଧାନୀକୁ ନିରାପଦ ସହର ବା ସେଫ ସିଟିରେ ପରିଣତ କରିବାକୁ କମିଶନରେଟ ପୋଲିସ ପ୍ରୟାସ କରିଛି ।

ଉଲ୍ଲେଖଯୋଗ୍ୟ, ବିଭିନ୍ନ ସମୟରେ ଅନ୍ ଲାଇନ୍ ଡେଲିଭରୀ କର୍ମଚାରୀ ରାତିରେ ଛିନତାଇ, ଲୁଟ ଆଦିର ଶିକାର ହେଉଥିବା ଅଭିଯୋଗ ରହିଥିବା ବେଳେ ନିକଟରେ ଏକ ହୋଟେଲର ମହିଳା କର୍ମଚାରୀ ରାତିରେ ଘରକୁ ଫେରୁଥିବା ସମୟରେ ଲିଫ୍ଟ ଦେବା ବାହାନାରେ ଜଣେ ଯୁବକ କିଭଳି ବାଇକରେ ନେଇଯାଇ ଏକ ନିକାଞ୍ଜନ ଜାଗାରେ ଦୁୁଷ୍କର୍ମ ପାଇଁ ଉଦ୍ୟମ କରିଥିଲା । ପରେ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଂଚି ସଂପୃକ୍ତ ଯୁବକକୁ ଉତ୍ତମ ମଧ୍ୟମ ଦେଇ ମୌତ୍ର ବିହାର ପୋଲିସର ଜିମା ଦେଇଥିଲେ ।

Comments are closed.