Latest Odisha News

BREAKING NEWS

ଜଗା-କାଳିଆ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ୫ବର୍ଷ ଲାଗିବ: ଏମସ୍

ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ଏମସ୍ରେ ଚିକିତ୍ସିତ ହେଉଥିବା ଜଗା-କାଳିଆଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ପାଖାପାଖି ୫ବର୍ଷ ସମୟ ଲାଗିବା ନେଇ ଏମସ୍ କର୍ତ୍ତୃପକ୍ଷ ଜାତୀୟ ଅନୁସୂଚିତ ଜନଜାତି କମିଶନ (ଏନସିଏସଟି) ଙ୍କୁ କହିଛନ୍ତି ।

ସୂଚନା ଅନୁଯାୟୀ କମିଶନ ଏମସ୍ କତ୍ତୃପକ୍ଷଙ୍କୁ ଏକ ଜବାବ ମାଗିଥିଲା । ଏହାର ଉତ୍ତର ଦେବାକୁ ଯାଇ ଏମସ୍ କର୍ତ୍ତୃପକ୍ଷ କହିଥିଲେ ଯେ ଯୋଡାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ମୁଣ୍ଡକୁ ଅଲଗା କରାଯିବା ପାଇଁ ହୋଇଥିବା କ୍ରାନିଅପାରସ୍ ସର୍ଜରି ଏମସ୍ ଇତିହାସରେ ପ୍ରଥମ ଥିଲା ।

ତେବେ ଜଗାର ସ୍ୱାସ୍ଥ୍ୟବସ୍ଥା ଠିକ୍ ରହିଥିବାବେଳେ କାଳିଆର ସ୍ୱାସ୍ଥ୍ୟବସ୍ଥାରେ ମଧ୍ୟ ଧିରେଧିରେ ଉନ୍ନତି ହେଉଛି । ଏହାସହିତ କାଳିଆ ଏବେ ସାଧାରଣ ଖାଦ୍ୟ ଖାଇପାରୁଛି ଏବଂ ତାର ପିତାମାତା ଓ ଆଟେଣ୍ଡାଣ୍ଟ ଦ୍ୱାରା ତାର ଫିଜିଓଥେରାପି କରାଯାଇପାରିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।

ଏହାଛଡା ଏହି ଦୁଇ ଶିଶୁଙ୍କ ଚିକିତ୍ସା ସମ୍ପର୍କିତ ଆର୍ଥିକ ସହାୟତା ମାମଲାରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କୌଣସି ରାଜନୀତି ନାହିଁ ବୋଲି ମଧ୍ୟ ପ୍ରକାଶ କରାଯାଇଛି ।

ଅନ୍ୟପକ୍ଷରେ ଉଭୟ ଶିଶୁ ଦିଲ୍ଲୀସ୍ଥିତ ଏମସରୁ ଡିସଚାର୍ଜ ହେଲା ପରେ ମଧ୍ୟ ଭୁବନେଶ୍ୱରସ୍ଥିତ ଏମସ୍ , କଟକ ବଡ ମେଡିକାଲ ସମେତ ଜିଲ୍ଲା ହସ୍ପିଟାଲ ଗୁଡିକରେ ସମାନ ଚିକିତ୍ସା ପାଇପାରିବେ ।

ଉଲ୍ଲେଖଯୋଗ୍ୟ ଯେ ଏମସ୍ କର୍ତ୍ତୃପକ୍ଷ ଜଗା-କାଳିଆଙ୍କୁ ଡିସଚାର୍ଜ କରିବା ପାଇଁ କହୁଥିବାବେଳେ ଓଡିଶାରେ ସେମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ସୁବିଧା ନଥିବା ଦର୍ଶାଇ ବରିଷ୍ଠ ସୁପ୍ରିମକୋର୍ଟ ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କ ନିକଟରେ ଏକ ପିଟିସନ ଦାଖଲ କରିଥିଲେ ।

Leave A Reply

Your email address will not be published.