Latest Odisha News

୨୦୧୪ ପରଠାରୁ ଲୋକୋ ପାଇଲଟଙ୍କୁ ଯୋଗାଇ ଦିଆଯାଉଛି ସାମଗ୍ରିକ ସୁବିଧା: ରେଳ ବିଭାଗ

ନୂଆଦିଲ୍ଲୀ: ଗତ ୧୦ ବର୍ଷରେ ବଦଳିଛି ଲୋକ ପାଇଲଟଙ୍କ ଅବସ୍ଥା । ୨୦୧୪ ମସିହା ପରଠାରୁ ଲୋକୋ ପାଇଲଟଙ୍କ ସୁବିଧା ପାଇଁ ରେଳ ମନ୍ତ୍ରଣାଳୟ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । ଗତ ୧୦ ବର୍ଷ ମଧ୍ୟରେ ଲୋକୋମୋଟିଭ୍ ପାଇଲଟଙ୍କ କାର୍ଯ୍ୟସ୍ଥିତିରେ ବଡ଼ ଧରଣର ଉନ୍ନତି ଘଟିଛି ।

୨୦୧୪ ପୂର୍ବରୁ ଲୋକ ପାଇଲଟଙ୍କ ପାଇଁ ତିଆରି ହୋଇଥିବା ବିଶ୍ରାମ ଗୃହ ଗୁଡିକର ଅବସ୍ଥା ଅତ୍ୟନ୍ତ ଖରାପ ଥିଲା। ଆଜି ସେହି ବିଶ୍ରାମ କୋଠରୀ ଗୁଡ଼ିକ ଅତ୍ୟନ୍ତ ଉନ୍ନତ । ପ୍ରାୟ ସମସ୍ତ ରନିଙ୍ଗ ରୁମରେ ଏସି ବ୍ୟବସ୍ଥା ସହ ପାଦ ମସାଜର ସୁବିଧା ମmଧ୍ୟ କରାଯାଇଛି । ଲୋକୋ ପାଇଲଟମାନେ ଲୋକୋ କ୍ୟାବ୍ ରୁ ଲୋକୋମୋଟିଭ୍ ଚଳାଇଥାନ୍ତି । ୨୦୧୪ ପୂର୍ବରୁ କ୍ୟାବ୍ ଗୁଡ଼ିକ ଅତ୍ୟନ୍ତ ଖରାପ ଅବସ୍ଥାରେ ଥିଲା। ୨୦୧୪ ପରଠାରୁ ଏର୍ଗୋନୋମିକ୍ ସିଟ୍ ସହିତ କ୍ୟାବ୍ ଗୁଡ଼ିକର ଉନ୍ନତିକରଣ  କରାଯାଇଛି । ୭,୦୫୦ରୁ ଅଧିକ ଲୋକୋ କ୍ୟାବ୍ ଏୟାର କଣ୍ଡିସନ୍ ହୋଇଛି। ସେହିପରି ୮୧୫ ଲୋକୋ କ୍ୟାବରେ ୱାଶରୁମ ବ୍ୟବସ୍ଥା କରାଯାଇଛି ।

ଲୋକୋ ପାଇଲଟଙ୍କ ଡ୍ୟୁଟି ସମୟକୁ ସତର୍କତାର ସହ ତଦାରଖ କରାଯାଉଛି  । ଯାତ୍ରା  ପରେ ବିଶ୍ରାମ ଦିଆଯାଉଛି । ଚଳିତ ବର୍ଷ ଜୁନ୍ ମାସରେ ହାରାହାରି ଡ୍ୟୁଟି ଘଣ୍ଟା ଅବଧି ୮ ଘଣ୍ଟାରୁ କମ୍ ରହିଛି । କେବଳ ଜରୁରୀ କାଳୀନ ପରିସ୍ଥିତିରେ, ଯାତ୍ରା ଅବଧି ନିର୍ଦ୍ଧାରିତ ସମୟଠାରୁ ଅଧିକ ଅଛି । ସେହିପରି ଗତ କିଛି ବର୍ଷ ମଧ୍ୟରେ, ପ୍ରମୁଖ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଛି । ୩୪,୪୦୦ ରେଳ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ବର୍ତ୍ତମାନ ୧୮,୦୦୦ କର୍ମଚାରୀଙ୍କ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି।

 

Comments are closed.