ସୁବର୍ଣ୍ଣପୁର: ଆଗକୁ ଆସୁଛି ସାଧାରଣ ନିର୍ବାଚନ। ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଦଳ ପକ୍ଷରୁ ଗାଁ ଗାଁରେ ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମ ସବୁ ଆୟୋଜିତ ହେଉଛି। ଏହାରି ଭିତରେ ସୁବର୍ଣ୍ଣପୁର ଜିଲ୍ଲାରେ ଦେଖିବାକୁ ମିଳିଛି ବିଜେପିରେ ଗୋଷ୍ଠୀ କନ୍ଦଳ। ଜିଲ୍ଲା ବିଜେପିରେ ସୃଷ୍ଟି ହୋଇଛି ଫାଟ। ପୂର୍ବତନ ବିଜେପି ସଭାପତି ବଳଦେବ ବେଦବାକ ଓ ବର୍ତ୍ତମାନର ବିଜେପି ସଭାପତି ପ୍ରମୋଦ ମହାପାତ୍ରଙ୍କ ଭିତରେ ଚାଲିଛି ଶୀତଳ ଯୁଦ୍ଧ। କିଏ ଠିକ କିଏ ଭୁଲ ସେନେଇ ଦ୍ୱନ୍ଦରେ କର୍ମୀ।
ସୁବର୍ଣ୍ଣପୁର ଜିଲ୍ଲାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଭୋଟରମାନଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ପ୍ରକାରର ସ୍ଥାନୀୟ ନିର୍ବାଚନୀ ପ୍ରସଙ୍ଗକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଲୋକଙ୍କ ମୌଳିକ ସମସ୍ୟା ଗୁଡିକୁ ଆଧାର କରି ବିଜେପି ସମର୍ଥକ ଓ ଜନସାଧାରଣଙ୍କୁ ସାମିଲ କରି ଆନ୍ଦୋଳନ ଜାରି ରହିଛି। ଏହା ମଧ୍ୟରେ ବଲାଙ୍ଗିର ବଳରାମ ସିଂ ୟାଦବଙ୍କ ନେତୃ୍ତ୍ୱରେ ଜିଲ୍ଲାର ଉଲୁଣ୍ଡା, ବିନିକା ଏବଂ ତରଭା ବ୍ଲକରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ ସହ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ରାଜ୍ୟ ସରକାର ହଡପ କରୁଥିବା ଅଭିଯୋଗ ଆଣି ସବୁଠି ବିଜେପି କାର୍ଯ୍ୟକର୍ତ୍ତା ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ବଳରାମ ସିଂ ଯାଦବଙ୍କ ସହ ସାମିଲ ଥିଲେ ବିଜେପିର ପୁର୍ବତନ ଜିଲ୍ଲା ସଭାପତି ବଳଦେବ ପ୍ରସାଦ ବେଦବାକ। ତେବେ ପଞ୍ଚାୟତ ସମିତି ଗୁଡିକ ଆଗରେ ବଳରାମ ସିଂ ଯାଦବ ଓ ବଳଦେବ ବେଦବାଗଙ୍କ ବିଜେପି ଶୋଭାଯାତ୍ରା କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଫଟୋ ବ୍ୟାନରରେ ରଖିଥିଲେ। ଯାହାକୁ ନେଇ ଜିଲ୍ଲା ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା। ବଳରମା ସିଂ ଯାଦବ ବିଜେପିର ସାଧାରଣ ସଦସ୍ୟ ମଧ୍ୟ ହୋଇ ନଥିବାବେଳେ ବଳଦେବ ପ୍ରସାଦ ବେଦବାକ ବିଜେପିରୁ ବହିଷ୍କୃତ ହୋଇଥିବା ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଏନେଇ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପାଖରେ ଅଭିଯୋଗ ମଧ୍ୟ କରିଥିବା ବିଜେପି ପକ୍ଷରୁ ସମ୍ବାଦିକ ସମ୍ମଳନୀରେ ସୂଚନା ଦିଆଯାଇଛି। ଏବେ ପୂର୍ବତନ ବିଜେପି ସଭାପତି ବଳଦେବ ବେଦବାକ ଓ ବର୍ତ୍ତମାନର ବିଜେପି ସଭାପତି ପ୍ରମୋଦ ମହାପାତ୍ରଙ୍କ ଭିତରେ ଶୀତଳ ଯୁଦ୍ଧ ଚାଲିଛି। ଉଭୟେ ଦଳରେ ନିଜ ନିଜର ପତିଆରା ବୃଦ୍ଧି ପାଇଁ ଲାଗି ପଡିଥିବା ବେଳେ ଜିଲ୍ଲାରେ ବିଜେପିର ଏହି ଗୋଷ୍ଠୀ କନ୍ଦଳ ବିଜେଡି ଓ କଂଗ୍ରେସ ପାଇଁ କଙ୍କଡାକୁ ଗୋଳି ପାଣି ସୁହାଏ ପରି ହୋଇଛି। ତେବେ ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର ବଳରାମ ସିଂ ଯାଦବ ଓ ବଳଦେବ ବେଦ ବାଗଙ୍କ ବିରୁଦ୍ଧରେ ପୋଲିସକୁ ଦେଇଥିବା ଆରୋପ ପତ୍ର ଉପରେ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ। ବର୍ତ୍ତମାନ ସୁବର୍ଣ୍ଣପୁର ଜିଲ୍ଲାରେ ଚର୍ଚ୍ଚା ଯେ କିଏ ପ୍ରକୃତ ବିଜେପି ଓ କର୍ମୀ କାହା ପଛରେ ଯିବେ ସେ ନେଇ ଚିନ୍ତାରେ ସମସ୍ତ ଦଳ।
Comments are closed.