ଭୁବନେଶ୍ୱର:ବ୍ଲକ ସ୍ତରରେ ଚାଲିଥିବା ୧୫-୫୦ ପ୍ରତିଶତ ପିସି କାରବାର ବନ୍ଦ କର । ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତ୍ୟେକ ପଂଚାୟତକୁ ମଞ୍ଜୁର ହୋଇଥିବା ୫୦ଲକ୍ଷ ଟଙ୍କାର ପ୍ରକଳ୍ପ ତାଲିକା ପଂଚାୟତ ଦ୍ୱାରା ପ୍ରସ୍ତୁତ କର । ପଂଚାୟତ ମାଧ୍ୟମରେଏହି ଅର୍ଥ ଖର୍ଚ୍ଚ କର । ବଢ଼ିଚାଲିଥିବା ନାରୀ ନିର୍ଯ୍ୟାତନା ବନ୍ଦ କର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିୟମ ଅନୁସାରେ ହିତାଧିକାରୀ ବାଛ । ପେଟ୍ରୋଲ, ଡିଜେଲ, ଗ୍ୟାସ ତଥା ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଦରଦାମ ବୃଦ୍ଧି ନିୟନ୍ତ୍ରଣ କର । ଖାଲି ପଡ଼ିଥିବା ୨ଲକ୍ଷ ୨୬ ହଜାର ୫୫୯ ସରକାରୀ ପଦବୀକୁ ତୁରନ୍ତ ପୂରଣ କର । ଓଡ଼ିଶାର ମୁଖ୍ୟ କୃଷିଜାତ ପଦାର୍ଥ ଧାନର ଅଭାବୀବିକ୍ରୀ ବନ୍ଦ କରି । ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କର । ୨୪ ଘଂଟିଆ ଗୁଣାତ୍ମକ ବିଜୁଳି ସେବା ଯୋଗାଇ ଦିଅ । ଟାଟା କମ୍ପାନୀର ଖାଉଟି ଶୋଷଣ ନୀତିକୁ ବନ୍ଦ କରି । ଅନୁସୂଚିତ ଜାତି, ଜନଜାତି ପଛୁଆବର୍ଗମାନଙ୍କ ପାଇଁ କଂଗ୍ରେସ ଅମଳରୁ ଉପଲବ୍ଧ ଅଧିକାରର ସୁରକ୍ଷା ଯେଗାଇ ଦିଅ । ଏମିତି ସବୁ ଦାବି ପୂରଣ ନେଇ ଆଜି ବିଜେଡି ସରକାର ଉପରେ ବର୍ଷିଛି କଂଗ୍ରେସ । ଦାବି ପୂରଣ ପାଇଁ ଆସନ୍ତା ୧୮ ତାରିଖ ୩୧୪ ବ୍ଲକ ଘେରାଉ କରିବ ବୋଲି ଚେତାବନୀ ବି ଦେଇଛି । ଆଜି କଂଗ୍ରେସର ଏହି ମହାଆନ୍ଦୋଳନର ଆହ୍ୱାନ ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।
ଆଜି କଂଗ୍ରେସ ଭବନଠାରେ ଓଡ଼ିଶା ପ୍ରଦେଶ କଂଗ୍ରେସ ତରଫରୁ ସାମ୍ବାଦିକ ସମ୍ମିଳନୀ ଆହୁତ ହୋଇ ଆଗାମୀ ଅଗଷ୍ଟ ୧୮ ରେ ଓଡ଼ିଶାର ସମସ୍ତ ୩୧୪ ବ୍ଲକ ଘେରାଉ କାଯିବାର ଘୋଷଣା କରାଯାଇଛି । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ସାମ୍ବାଦିକଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି ଯେ, ୯ ଦଫା ଦାବି ନେଇ ୩୦ ଜିଲ୍ଲାର ୩୧୪ ବ୍ଲକ ଅଫିସି କଂଗ୍ରେସ ତରଫରୁ ଘେରାଉ କରାଯିବ । ଏଥିନିମନ୍ତେ ସମସ୍ତ କଂଗ୍ରେସର ସାଂସଦ, ବିଧାୟକ, ଜିଲ୍ଲା ଓ ବ୍ଲକ କଂଗ୍ରେସର ସଭାପତି, ଯୁବ ଛାତ୍ର, ମହିଳା ଓ ସେବାଦଳ ଏବଂ ସମସ୍ତ ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟ ମାନଙ୍କ ସମେତ କଂଗ୍ରେସର କର୍ମୀ ଓ ସମର୍ଥକ ଶୁଭେଚ୍ଛୁମାନେ ସାମିଲ ହେବା ପାଇଁ ଶ୍ରୀ ପଟ୍ଟନାୟକ ଆହ୍ୱନ ଦେଇଛନ୍ତି । ପିସିସି ସଭାପତି ଜନସାଧାରଣଙ୍କ ବୃହତର ସ୍ୱାର୍ଥ ଦୃଷ୍ଟିରୁ କଂଗ୍ରେସର ଏହି ଆନ୍ଦୋଳନରେ ସାମିଲ ହେବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ।
ସମ୍ମିଳନୀରେ ଉପସ୍ଥିତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ ବିଜୟ ପଟ୍ଟନାୟକ କହିଥିଲେ ଯେ, ରାଜ୍ୟ ସରକାରଙ୍କ ବିଫଳତା କାହାରିକୁ ଅଛପା ନାହିଁ । ଜଳସେଚନ କ୍ଷେତ୍ରରେ ନବୀନ ସରକାର ୨୪ ବର୍ଷ ମଧ୍ୟରେ ଗୋଟିଏ ହେଲେବି ବୃହତ ବା ମଧ୍ୟମ ଜଳସେଚନ ପ୍ରକଳ୍ପ କରିନାହାନ୍ତି । ଏଥିସହ ପ୍ରତ୍ୟେକ ବ୍ଲକରେ ୩୫ ପ୍ରତିଶତ ଜଳସେଚନ ସାମର୍ଥ୍ୟ ସୃଷ୍ଟି କରିବାରେ ପ୍ରତିଶ୍ରୁତି ମଧ୍ୟ ପୁରଣ ହୋଇପାରିଲା ନାହିଁ । ଶ୍ରୀ ପଟ୍ଟନାୟକ ପିସିସି ସଭାପତିଙ୍କ ସହ ସାମିଲ ହୋଇ ଅଗଷ୍ଟ ୧୮ ତାରିଖରେ ବ୍ଲକ ଘେରାଉ କାର୍ଯ୍ୟକ୍ରମ ପାଇଁ ଓଡ଼ିଶାବାସୀଙ୍କ ସମର୍ଥନ ଲୋଡ଼ିଥିଲେ ।
ଏହି ସମ୍ମିଳନୀରେ ଉଦ୍ବୋଧନ ଦେଇ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା କହିଥିଲେ ଯେ, କଂଗ୍ରେସର ଅଗଷ୍ଟ ୧୮ ବ୍ଲକ ଘେରାଉ କାର୍ଯ୍ୟକ୍ରମର ୯ ଦଫା ସମ୍ମିଳୀତ ସ୍ମାରକ ପତ୍ର କେବଳ ଦାବି ପତ୍ର ନୁହେଁ ଏହା ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଧ । ବିଜେଡ଼ିର ବହୁ ଘୋଷିତ ସ୍ୱଚ୍ଛ ସରକାର ଧ୍ୱନୀ ଆଉ ଶୁଣିବାକୁ ମିଳୁନାହିଁ । ସେ ମଧ୍ୟ ସଭାପତିଙ୍କ ଆହ୍ୱାନରେ ଅଗଷ୍ଟ ୧୮ ବ୍ଲକ ଘେରାଉ କାର୍ଯ୍ୟକ୍ରମରେ ଓଡ଼ିଶାର ଜନସାଧାରଣ ସାମିଲ ହେବାକୁ ନିବେଦନ କରିଥିଲେ ।
Comments are closed.