Latest Odisha News

BREAKING NEWS

ରେଳ ଦୁର୍ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍: ୨ ମାସରେ ୨୧ ଜଣଙ୍କର ମୃତ୍ୟୁ, ଏହା ପାଇଁ ଦାୟୀ କିଏ?

ନୂଆଦିଲ୍ଲୀ: ଗତ କିଛି ମାସ ମଧ୍ୟରେ କ୍ରମାଗତ ଭାବେ ଟ୍ରେନ୍ ଦୁର୍ଘଟଣା ଘଟୁଛି। ବାଲେଶ୍ୱର ସୋରରେ ଟ୍ରେନ୍ ଦୁର୍ଘଟଣା ସମସ୍ତଙ୍କୁ ଥରାଇ ଦେଇଥିଲା। ଉତ୍ତରପ୍ରଦେଶର ଗୋଣ୍ଡା ଏବଂ ବିହାରର ବକ୍ସରରେ ମଧ୍ୟ ଟ୍ରେନ୍ ଦୁର୍ଘଟଣା ଘଟିଛି। ଜୁଲାଇ ୩୦, ମଙ୍ଗଳବାର ଦିନ ଝାଡଖଣ୍ଡର ଚକ୍ରଧରପୁର ଡିଭିଜନର ରାଜଖରସୱାନ-ବାରାବମ୍ବୁ ରେଳ ଷ୍ଟେସନ ମଧ୍ୟରେ ହାୱଡା-ସିଏସ୍‌ଟିଏମ ଏକ୍ସପ୍ରେସ ଲାଇନତ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ ୩ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ଗୋଟିଏ ପରେ ଗୋଟିଏ ଘଟୁଥିବା ଟ୍ରେନ୍ ଦୁର୍ଘଟଣାକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିଛି।

କଂଗ୍ରେସ ପକ୍ଷରୁ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଜାରି କରାଯାଇଛି। ଯେଉଁଥିରେ ଏପର୍ଯ୍ୟନ୍ତ ଘଟିଥିବା ରେଳ ଦୁର୍ଘଟଣାର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ଏକ ପୋଷ୍ଟରେ କଂଗ୍ରେସ ଲେଖିଛି ଯେ ମୋଦୀ ସରକାର ରେଳ ମନ୍ତ୍ରଣାଳୟ ଏବଂ ରିଲ ମନ୍ତ୍ରୀଙ୍କ ଗମ୍ଭୀରତାକୁ ବୁଝିବା ଉଚିତ୍। ଏହି ପୋଷ୍ଟରେ ଗତ ଜୁନ୍-ଜୁଲାଇରେ ଘଟିଥିବା ରେଳ ଦୁର୍ଘଟଣା ସମ୍ପର୍କରେ ଦଳ କହିଛି ଯେ ଏହି ଦୁର୍ଘଟଣାରେ ୨୧ ଜଣ ପ୍ରାଣ ହରାଇଥିବାବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ସରକାରଙ୍କୁ ଲକ୍ଷ୍ୟ କରି କଂଗ୍ରେସ କହିଛି ଯେ ରେଳ ବ୍ୟବସ୍ଥା ଖରାପ ଥିବାରୁ ଦେଶରେ ମୃତ୍ୟୁର ଲହରୀ ଚାଲିଛି, କିନ୍ତୁ ଏଥିପାଇଁ କାହାରିକୁ ଦାୟୀ କରାଯିବ ନାହିଁ। ଦାୟିତ୍ଵ ସହିତ ରେଳ ମନ୍ତ୍ରୀଙ୍କ କୌଣସି ସମ୍ପର୍କ ନାହିଁ। ପ୍ରଧାନମନ୍ତ୍ରୀଙ୍କୁ ଆକ୍ଷେପ କରି କଂଗ୍ରେସ କହିଛି ଯେ ମୋଦୀ ନିଜ ଦୁନିଆରେ ଖୁସି ଅଛନ୍ତି। ଲୋକମାନେ ବଞ୍ଚୁଛନ୍ତି ନ ମରୁଛନ୍ତି ସେନେଇ ତାଙ୍କର କୌଣସି ଚିନ୍ତା ନାହିଁ କି ଏହା ତାଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ନୁହେଁ। ମାତ୍ର ଦୁଇ ମାସ ମଧ୍ୟରେ ରେଳ ଦୁର୍ଘଟଣାରେ ୨୧ ଜଣ ପ୍ରାଣ ହରାଇ ସାରିଛନ୍ତି।

କେନ୍ଦ୍ର ସରକାର ଏବଂ ରେଳ ମନ୍ତ୍ରଣାଳୟ ଉପରେ ପ୍ରଶ୍ନ ଉଠାଇ ଏହି ଦୁର୍ଘଟଣା ପାଇଁ କିଏ ଦାୟୀ ବୋଲି କଂଗ୍ରେସ ପ୍ରଶ୍ନ କରିଛି। ମୋଦୀ ସରକାରଙ୍କ ସମୟରେ ଘଟିଥିବା ପ୍ରମୁଖ ରେଳ ଦୁର୍ଘଟଣା ସମ୍ପର୍କରେ କଂଗ୍ରେସ ସମ୍ପୂର୍ଣ୍ଣ ସୂଚନା ଦେଇଛି ଯେଉଁଥିରେ ୨୬ ମେ ୨୦୧୪ରୁ ଆଜି ପର୍ଯ୍ୟନ୍ତ ଅର୍ଥାତ୍ ଜୁଲାଇ ୩୦, ୨୦୨୪ ପର୍ଯ୍ୟନ୍ତ ଉଲ୍ଲେଖ କରାଯାଇଛି।

ଏହି ପୋଷ୍ଟରେ କଂଗ୍ରେସ କହିଛି ଯେ ମେ ୨୬, ୨୦୧୪ରେ ଗୋରଖଧାମ ଏକ୍ସପ୍ରେସ ଦୁର୍ଘଟଣାରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ। ମାର୍ଚ୍ଚ ୨୦, ୨୦୧୫ରେ ଜନତା ଏକ୍ସପ୍ରେସ ଏକ ଦୁର୍ଘଟଣାର ଶିକାର ହୋଇଥିଲା। ଏହି ଦୁର୍ଘଟଣାରେ ୫୮ ଜଣ ପ୍ରାଣ ହରାଇଥିବାବେଳେ ୧୫୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏହା ବ୍ୟତୀତ କଂଗ୍ରେସ ୨୦୧୬ରେ ଇନ୍ଦୋର-ପାଟନା ଏକ୍ସପ୍ରେସ ଦୁର୍ଘଟଣା, ୨୦୧୭ରେ ହିରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣା, ସେହି ବର୍ଷ ପୁରୀ-ହରିଦ୍ୱାର ଉତ୍କଳ ଏକ୍ସପ୍ରେସ ଦୁର୍ଘଟଣା, କୈଫିୟତ ଏକ୍ସପ୍ରେସ ଦୁର୍ଘଟଣା ଏବଂ ୨୦୧୮, ୨୦୧୯ରେ ଘଟିଥିବା ଘଟଣା ବିଷୟରେ ମଧ୍ୟ ଉଲ୍ଲେଖ କରିଛି। ୨୦୨୨, ୨୦୨୩ ଏବଂ ୨୦୧୪ ପର୍ଯ୍ୟନ୍ତ ରେଳ ଦୁର୍ଘଟଣା ବିଷୟରେ କହି ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ।

Comments are closed.