Latest Odisha News

BREAKING NEWS

ଦିଲ୍ଲୀରେ କୋରାପୁଟ କଂଗ୍ରେସ କଳି, ଶୀର୍ଷ ନେତାଙ୍କ ସହ ଉଲାକା ଓ ବାହୀନିପତିଙ୍କ ବୈଠକ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ତାରା ପ୍ରସାଦ ବାହିନୀପତି ଓ ସପ୍ତଗିରି ଶଙ୍କର ଉଲାକାଙ୍କ ମଧ୍ୟରେ ଚାଲିଥିବା ବିବାଦ ଗୁରୁବାର ନୂଆ ମୋଡ଼ ନେଇଛି। ନୂଆଦିଲ୍ଲୀରେ ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କୁ ଏବେ ଉଭୟ ଭେଟିଛନ୍ତି।

ଜୟପୁରରୁ ଚାରି ଚାରି ଥର ବିଧାୟକ ଥିବା ବାହିନୀପତି ଓ ତାଙ୍କ ସମର୍ଥକମାନେ ଏଆଇସିସି ମୁଖ୍ୟାଳୟରେ ବେଣୁଗୋପାଳଙ୍କୁ ଭେଟିଥିଲେ। ବାହିନୀପତିଙ୍କ ପତ୍ନୀ ମିନାକ୍ଷୀଙ୍କୁ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ହଟାଇବାର ଏକ ମାସ ପରେ ଦିଲ୍ଲୀରେ ଏହି ବୈଠକ ବସିଛି।

ମିଳିଥିବା ସୂଚନା ଅନୁସାରେ ମିନାକ୍ଷୀଙ୍କୁ କୋରାପୁଟ ସାଂସଦ ଉଲାକା ହଟାଇଥିବା ଅଭିଯୋଗ ଆଣିଛନ୍ତି ବାହିନୀପତି। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଉଲାକା ତାଙ୍କୁ ଦଳରେ ଅଣଦେଖା କରିବାକୁ ଚେଷ୍ଟା କରୁଛନ୍ତି। ମିନାକ୍ଷୀଙ୍କ ଖରାପ ପ୍ରଦର୍ଶନ ଯୋଗୁଁ ତାଙ୍କୁ ଜିଲ୍ଲା ସଭାପତି ପଦରୁ ହଟାଯାଇଥିବା ଅଭିଯୋଗକୁ ଉଲାକା ଖଣ୍ଡନ କରିଛନ୍ତି। ଏପରିକି ବାହିନୀପତି ଦଳରେ ଫାଟ ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି।

ତେବେ ଉଭୟ କିନ୍ତୁ ଏପରି କଥାକୁ ଖଣ୍ଡନ କରିଛନ୍ତି। ବିଧାୟକ ବାହୀନିପତି ଗଣମାଧ୍ୟମକୁ କହିଛନ୍ତି, ଆମେ ପରସ୍ପର ବିରୋଧରେ କିଛି କହିନାହୁଁ କି କୋରାପୁଟ ଜିଲ୍ଲା ସଭାପତିଙ୍କୁ ନେଇ କୌଣସି ଆଲୋଚନା ହୋଇନାହିଁ। ସେହିପରି ସାଂସଦ ଉଲାକା କହିଛନ୍ତି, ମନାନ୍ତର ଥାଇପାରେ କିନ୍ତୁ ଆମେ ଦୁଇ ଜଣ କଂଗ୍ରେସ ପାଇଁ କାମ କରୁଛୁ। ଆଗକୁ ମଧ୍ୟ କଂଗ୍ରେସ ସହିତ କାମ କରିବୁ। ଆଗାମୀ ସାଧାରଣ ନିର୍ବାଚନ ପାଇଁ ଜିଲ୍ଲାର ରଣନୀତି ବାବଦରେ ଆଲୋଚନା ହୋଇଛି।

ଓଡିଶାରେ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ବାହିନୀପତି ଓ ଉଲାକାଙ୍କ ବିବାଦ ଜିଲ୍ଲାରେ ଆଗାମୀ ଦିନରେ କଂଗ୍ରେସକୁ ଅଡୁଆରେ ପକାଇପାରେ। ଏହି ଆସନରେ ସାଂସଦ ଉଲାକା ଓ ବିଧାୟତ ବାହୀନିପତି ପ୍ରତିନିଧିତ୍ୱ କରୁଥିବା ବେଳେ ଏହି ବିବାଦ ଆଗାମୀ ଦିନରେ ଶାସକ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟିକୁ ସୁହାଇପାରେ। କଂଗ୍ରେସର ଏହି ଅନ୍ତର୍ଦ୍ୱନ୍ଦ୍ୱ ନିର୍ବାଚନରେ ଦଳର ସ୍ଥିତିକୁ ଆହୁରି ଖରାପ କରିପାରେ।

କଂଗ୍ରେସ ନେତୃତ୍ୱ ତୁରନ୍ତ ହସ୍ତକ୍ଷେପ କରି ବାହିନୀପତି ଓ ଉଲାକାଙ୍କ ବିବାଦର ସମାଧାନ କରିବାର ଆବଶ୍ୟକତା ରହିଛି। ଯଦି ଦଳ ଏଥିରେ ବିଫଳ ହୁଏ ତେବେ ଆଗାମୀ ନିର୍ବାଚନରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡିପାରେ।

Comments are closed.