ଭୁବନେଶ୍ୱର : ଧାମନଗର ଉପନିର୍ବାଚନ ନିମନ୍ତେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଚୟନ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଏକ କମିଟି ଗଠନ କରିଛନ୍ତି । ଏହି କମିଟିରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ଓ ଶରତ ରାଉତ ରହିଛନ୍ତି ।
ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ନଭେମ୍ବର ୩ରେ ଭୋଟଗ୍ରହଣ ହେବ । ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଏବେ ଆଉ ହାତଗଣତି ମାସେରୁ କମ ଦିିନ ରହିଲା ନିର୍ବାଚନ । ମାସେ ଭିତରେ ନାମାଙ୍କନ ଦାଖଲ, ପ୍ରଚାର ସହ ଭୋଟ ଲଢ଼େଇରେ ଅବତିର୍ଣ୍ଣ ହେବେ ତିନୋଟି ଦଳ ।
ଧାମନଗର ଆସନରେ ଦୁଇ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ଓ ବିଜେପି ମଧ୍ୟରେ ହେବ । ଧାମନଗର ଉପନିର୍ବାଚନ ପାଇଁ ଆଉ ମାତ୍ର ଦୁଇଦିନ ପରେ ସାତ ତାରିଖରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେବ ଏବଂ ୧୪ତାରିଖରେ ଶେଷ ହେବ । ତେଣୁ ପ୍ରାର୍ଥୀ ଚୟନ ନିମନ୍ତେ ରାଜନୀତିକ ଦଳଗୁଡ଼ିକ ହାତରେ ମାତ୍ର ୧୦ଦିନ ରହିଥିବାବେଳେ କଂଗ୍ରେସ କମିଟି ଗଠନ କରିଛି ।
ଗତ ୨୦୧୯ ନିର୍ବାଚନରେ ୭୫ହଜାର ୪୮୬( ୪୫ ପ୍ରତିଶତ) ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ । ବିଷ୍ଣୁ ସେଠୀ ପାଇଥିଲେ ୮୦ ହଜାର ୧୧୧ ଭୋଟ (୪୮ ପ୍ରତିଶତ)। କଂଗ୍ରେସ ପ୍ରାର୍ଥୀ ବିଦ୍ୟାଧର ଜେନା ପାଇଥିଲେ ୭୩୦୩(୪ ପ୍ରତିଶତ) ଭୋଟ । ବିଜେପି ଠାରୁ ବିଜେଡିର ଭୋଟ ବ୍ୟବଧାନ ୩ ପ୍ରତିଶତ କମ ଥିବାରୁ ଏଥର ବିଜେଡି ପୁଣି ଏହି ଉପନିର୍ବାଚନକୁ ହାତେଇବାକୁ ଲକ୍ଷ୍ୟ ରଖିଛି ।
ବିଜେପି ନିଜର ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପରିବାରକୁ ଟିକେଟ ଦେବା ସୁନିଶ୍ଚିତ । ପୁଅ ସୂରଜ ସୂର୍ଯ୍ୟବଂଶୀ ମଧ୍ୟ ପ୍ରାର୍ଥୀ ଅପେକ୍ଷାରେ ଅଛନ୍ତି । ସୂରଜ ଏବେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସଂଯୋଜକ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କୁ ଦଳ ଟିକେଟ୍ ଦେବା ଉପରେ ଆଲୋଚନା ଚାଲିଥିବା ଚର୍ଚା ହେଉଛି । ବିଜେଡି ଟିକେଟ ପାଇଁ ରାଜେନ୍ଦ୍ର ମଧ୍ୟ ଦାବିଦାର ଅଛନ୍ତି । ଅନ୍ୟମାନେ ମଧ୍ୟ ଟିକେଟ ପାଇଁ ବିଜେଡିରେ ଲବି କରୁଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ତାଙ୍କୁ ଟିକେଟ ଦେଉଛନ୍ତି ନା ନୂଆ ନାମ ଘୋଷଣା କରୁଛନ୍ତି ତାହା ବିଜେପିର ପ୍ରାର୍ଥୀ ଦେଖିବା ପରେ ଘୋଷଣା କରିବେ । ସେପଟେ କଂଗ୍ରେସ କମିଟିର ସୁପାରିସ ଅନୁସାରେ ପ୍ରାର୍ଥୀ ଘୋଷଣା କରିବ । ପୂଜା ସମୟରେ ନିର୍ବାଚନ ଏଥର ତିନି ଦଳଙ୍କ ପାଇଁ ମହଙ୍ଗା ହୋଇପାରେ । ତେବେ ଧାମନଗର ବାସୀ କାହାକୁ ଭୋଟ ଦେବେ ଫଳାଫଳ ପରେ ଜଣାପଡିବ ।
Comments are closed.