Latest Odisha News

BREAKING NEWS

ସୋନିଆଙ୍କୁ ଇଡିର ସମନ ପରେ ପ୍ରତିବାଦ କରିବାକୁ ପ୍ରସ୍ତୁତ ହେଉଛି କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଜୁଲାଇ ୨୧ରେ ହାଜର ହୋଇ ପକ୍ଷ ରଖିବାକୁ ସମନ କରିଛି। ଏହି ଅବସରରେ କଂଗ୍ରେସ ଆଉ ଏକ ବଡ଼ ଧରଣର ଆନ୍ଦୋଳନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀଙ୍କୁ ପଚରାଉଚରା ପାଇଁ ସମନ କରିଛି ଇଡି। ଏହି ମାମଲାରେ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ପଚରାଉଚରା କରିଛି। ସେହିପରି ଏହି ମାମଲାରେ ଖାଡଗେ ଓ ବଂଶଲଙ୍କୁ ଇଡି ପଚରାଉଚରା କରିସାରିଛି।

ବୁଧବାର ଦଳୀୟ କାର୍ଯ୍ୟାଳୟରେ ହୋଇଥିବା ବୈଠକରେ ସୋନିଆ ଇଡିରେ ହାଜର ହେବା ବେଳେ ଦଳୀୟ କର୍ମୀ ବିରୋଧ କରିବା ସହ ପ୍ରତିବାଦ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ଯେପରି ରାହୁଲ ଗାନ୍ଧୀ ହାଜର ହେବା ବେଳେ ବିରୋଧ କରିଥିଲେ। କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡଗେ କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଜଣେ ବାଘୁଣୀ। ଏପରି ସମନକୁ ସେ ଡରନ୍ତି ନାହିଁ। ସେ ଇଡିର ଜେରାରେ ସାମିଲ ହୋଇ ସରକାରକୁ ସାମ୍ନା କରିବେ।

ଜୁନ୍ ମାସରେ ଇଡି ରାହୁଲଙ୍କୁ ୫ ଦିନ ଜେରା କରିଥିଲା। ସେହି ସମୟରେ ଦଳୀୟ କର୍ମୀ ଓ ଶୀର୍ଷ ନେତାମାନେ ତଦନ୍ତକାରୀ ସଂସ୍ଥାକୁ ବିରୋଧ କରିବା ସହ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ପ୍ରତିହିଂସାମୂଳକ ରାଜନୀତି କରୁଥିବା ଅଭିଯୋ କରିଥିଲେ। ଦଳୀୟ କର୍ମୀମାନେ ଦିଲ୍ଲୀ ପୋଲିସ ବିରୋଧରେ ନାରାବାଜି ମଧ୍ୟ କରିଥିଲେ।

ନ୍ୟାସନାଲ ହେରାଲ୍ଡ ମାମଲାରେ ସତ କଣ ଏବଂ ମିଛ କଣ ଜଣାଇବାକୁ ଏକ ପାମ୍ପଲେଟ୍ ବାଣ୍ଟିବା ପାଇଁ ମଧ୍ୟ କଂଗ୍ରେସ ପ୍ରସ୍ତୁତି କରୁଛି ବୋଲି ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ସୋନିଆ ଗାନ୍ଧୀଙ୍କୁ ଇଡି ସମନ କରିଥିଲା। କିନ୍ତୁ ସେ ଅସୁସ୍ଥ ଥିବା ଦର୍ଶାଇ ପରେ ହାଜର ହେବେ ବୋଲି କହିଥିଲେ। ପିଏମ୍ଏଲ୍ଏ ଅଧୀନରେ ସୋନିଆ ଓ ରାହୁଲଙ୍କ ବୟାନ ରେକର୍ଡ କରିବାକୁ ଇଡି ଚାହୁଁଛି। ଏହି ମାମଲାରେ ଆସୋସିଏଟେଡ୍ ଜର୍ଣ୍ଣାଲସ୍ ଲିମିଟେଡ୍ ଏବଂ ୟଙ୍ଗ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ ମଧ୍ୟରେ ହୋଇଥିବା ଆର୍ଥିକ କାରବାର ସନ୍ଦେହ ଘେରରେ ରହିଛି।

Comments are closed.