Latest Odisha News

BREAKING NEWS

ବିଜେଡିର ୨୪ ବର୍ଷ ଶାସନ ଭିତରେ ଓଡ଼ିଆଙ୍କ ସ୍ୱାଭିମାନ ଭାଙ୍ଗିଛି, ଅଣଓଡ଼ିଆଙ୍କ ପ୍ରାଧାନ୍ୟ ବଢିଛି-କଂଗ୍ରେସ

ଭୁବନେଶ୍ୱର: ନିର୍ବାଚନୀ ରାଜନୀତି ଏବେ ବେଶ ସରଗରମ  । ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଦଳର ପରସ୍ପରକୁ ଆକ୍ଷେପ, ସମାଲୋଚନା ସେତେ ବଢୁଛି । ଆଜି କଂଗ୍ରେସ ବିଭିନ୍ନ ପ୍ରସଙ୍ଗ ନେଇ ବିଜେଡି ସରକାର ଉପରେ ବର୍ଷିଛି । ୨୪ବର୍ଷର ବିଜେଡି ଶାସନ ଭିତରେ ଓଡ଼ିଶାର ବିକାଶ ତ ହୋଇପାରିନି ବରଂ ଓଡ଼ିଶାର ସ୍ୱାଭିମାନ ଭାଙ୍ଗି ଯାଇଛି । ପ୍ରଶାସନିକ ବ୍ୟବସ୍ଥା ଠାରୁ ବେପାର ବଣିଜ ଯାଏ ଅଣ ଓଡ଼ିଆଙ୍କର ପ୍ରାଧାନ୍ୟ ବଢ଼ିଛି । ଏପରିକି ବିଜେଡ଼ି ବିଜେପି ମିଳିତଭାବେ ଓଡ଼ିଶାରେ ଅଣଓଡ଼ିଆଙ୍କର ଉତଥାନ କରିବାରେ ଲାଗିଛନ୍ତି । ବର୍ତମାନ ରାଜ୍ୟବାସୀ ଏହାର ଜବାବ ଦେବାର ସମୟ ଆସିଛି ବୋଲି କହି ବର୍ଷିଛି କଂଗ୍ରେସ ।

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ତଥା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପଂଚାନନ ଦାଶ ଗଜପତି ଜିଲ୍ଲାର ପଳାଶପଦର ପଂଚାୟତ ଅନ୍ତର୍ଗତ ଡିମ୍ବିରି ପଙ୍କାଳ ଗାଁରେ କୁନି କୁନି ସ୍କୁଲ ଛାତ୍ରଛାତ୍ରୀମାନେ ନାଳରେ ବାସନ ଧୋଇବା ଏବଂ ନାଳର ଦୁଷିତ ପାଣିବା ଘଟଣାର ଉଦାହରଣ ଦେଇ ବିଜେଡି ବିକାଶକୁ କଟାକ୍ଷ କରିଛନ୍ତି ।

ମାର୍ଚ୍ଚ ୨୦୨୩ ରେ ପ୍ରକାଶିତ ଏନଏସଏସର ୭୮ ତମ ରିପୋର୍ଟ ଆଧାରରେ ଶ୍ରୀ ଦାଶ କହିଥିଲେ,  ଭାରତରେ ୩୩.୭% ଲୋକ ଘର ପରିସରର ବାହାରକୁ ଯାଇ ପିଇବାପାଣି ସଂଗ୍ରହ କରୁଥିବା ତଥ୍ୟ ପ୍ରକାଶ ପାଇଛି । ଆମ ରାଜ୍ୟରେ ୩୦% ଲୋକଙ୍କ ଘର ପରିସରରେ ପାନୀୟ ଜଳର ଉନ୍ନତ ଉତ୍ସ ଅବସ୍ଥିତ ଥିବା ବେଳେ ସର୍ବଭାରତୀୟ ସ୍ଥରରେ ଏହା ୬୬% ।  ଏହି ରିପୋର୍ଟ ଅନୁସାରେ ପାଇପ ଯୋଗେ ପାଣି ସୁବିଧା ମାତ୍ର ୧୩% ଲୋକଙ୍କ ପାଖରେ ଅଛି ଏବଂ ୩୬ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ମଧ୍ୟରୁ ଆମ ରାଜ୍ୟ ୩୧ ତମ ସ୍ଥାନରେ ରହିଛି ।  ଘରେ ଘରେ ପାଇପ ଦ୍ୱାରା ପିଇବାପାଣିର ଯୋଗାଣ ସୁବିଧାକୁ ଅନ୍ୟ ରାଜ୍ୟ ସାଙ୍ଗରେ ତୁଳନା କଲେ ଆମ ରାଜ୍ୟ ସବୁଠୁ ନିମ୍ନରେ ବୋଲି ଶ୍ରୀ ଦାଶ ପ୍ରକାଶ କରିଛନ୍ତି ।

ସେହିପରି   ଏନଏସଏସର ରିପୋର୍ଟ ଅନୁସାରେ ରାଜ୍ୟରେ ୩୧.୪ % ପରିବାର ରନ୍ଧନ ଗ୍ୟାସ ଯୋଗେ ରୋଷେଇ କରୁଥିବା ବେଳେ ସର୍ବଭାରତୀୟ ସ୍ତରରେ ୬୨% ପରିବାର ରନ୍ଧନ ଗ୍ୟାସରେ ରୋଷେଇ କରନ୍ତି ।   ସେହିପରି ଓଡ଼ିଶାରେ ୫୮.୯% ପରିବାରଙ୍କ ପାଖରେ ନିଜସ୍ୱ ବ୍ୟବହାର ପାଇଁ ପାଇଖାନା ଥିବା ବେଳେ ସାରା ଭାରତରେ ୭୨% ପରିବାରଙ୍କ ପାଖରେ ନିଜସ୍ୱ ପାଇଖାନା ଥିବାରୁ ତଥ୍ୟ ଉପସ୍ଥାପନ କରାଯାଇଛି ।  ଓଡ଼ିଶାରେ ୩୩.୬% ପରିବାର ପାଖରେ ପାଇଖାନା ନଥିବା ବେଳେ ସାରା ଭାରତରେ ୧୫.୪% ପରିବାରଙ୍କ ପାଖରେ ପାଇଖାନା ନଥିବାର ତଥ୍ୟ ସେହି ରିପୋର୍ଟରେ ଉପସ୍ଥାପନ କରାଯାଇଛି ।

ଏବେ ସାରା ଦେଶରେ ଜାତୀୟ କଂଗ୍ରେସ ସଭାପତି ମାଲିକାର୍ଜ୍ଜୁନ ଖାଡ଼ଗେ, ରାହୁଲ ଗାନ୍ଧୀ ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ନେତୃତ୍ୱରେ ବିଭିନ୍ନ ପ୍ରସଙ୍ଗ ନେଇ କଂଗ୍ରେସ ନିର୍ବାଚନ ମଇଦାନକୁ ଓହ୍ଲାଇଛି । ଓଡ଼ିଶାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ସମାନ ମୁଦ୍ଦା ରଖି  ସ୍ୱାଭିମାନର ଜୀବନ ଜୀଇଁବାର ସୁଯୋଗ ସୃଷ୍ଟି କରିବା ସହିତ ଓଡ଼ିଆଙ୍କର ସ୍ୱାଭିମାନ ବଜାୟ ରଖି  ଜନତାଙ୍କ ହୃଦୟକୁ ଛୁଇଁଲା ପରି ପ୍ରସଙ୍ଗକୁ ନେଇ ଆଗାମୀ ନିର୍ବାଚନ ଓଡ଼ିଶାରେ ଲଢ଼ିବ ବୋଲି ଶ୍ରୀ ଦାଶ ପ୍ରକାଶ କରିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ମୁଖପାତ୍ର ମନୋରଞ୍ଜନ ଦାଶ ଓ ରଶ୍ମି ମହାପାତ୍ର ଉପସ୍ଥିତ ଥିଲେ ।

Comments are closed.